ରାୟଗଡ଼ାରେ ଅତନୁଙ୍କ ମାରାଥନ୍ ସମୀକ୍ଷା: ‘କର୍ମୀଙ୍କ ନିବେଦନ ଦଳକୁ ବଞ୍ଚାଅ’  

୧୨ ଘଣ୍ଟା ଧରି ଶୁଣିଲେ ୭ ବ୍ଲକର କର୍ମୀଙ୍କ ଅଭିଯୋଗ, ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ ଲାଗି ପରାମର୍ଶ

ରାୟଗଡ଼ା: ଆଗରୁ ସାଇକେଲରେ ବୁଲି ସଂଗଠନ କରୁଥିଲୁ। ଏବେ ଗାଡ଼ି, ଘୋଡା ମିଳୁଛି। ହେଲେ ପୂର୍ବ ଭଳି ଆତ୍ମ ସନ୍ତୋଷ ନାହିଁ। ଗୋଛି କଟା ରାଜନୀତି ଦଳକୁ ବୁଡ଼ାଉଛି। ତୃଣମୂଳସ୍ତରରେ ସଂଗଠନ ଦୁର୍ବଳ ହୋଇ ପଡ଼ିଲାଣି। ଯାହା ଦଳକୁ କ୍ଷତି ପହଞ୍ଚାଉଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ସଂଗଠନକୁ ସଜାଡ଼ି ନେତା-କର୍ମୀଙ୍କ ମଧ୍ୟରେ ଥିବା ମନୋମାଳିନ୍ୟକୁ ଦୂର କରି ଦଳକୁ ବଞ୍ଚାନ୍ତୁ।

ବିଜେଡ଼ି ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ମନୋନିତ ପରେ ରାୟଗଡ଼ା ଗସ୍ତରେ ଆସି କର୍ମୀଙ୍କ ସହ ଆଲୋଚନା କରିଛନ୍ତି ବିଧାୟକ ଅତନୁ ସବ୍ୟସାଚୀ ନାୟକ। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ବ୍ଲକ୍ ଓ ପଞ୍ଚାୟତସ୍ତରର କର୍ମୀଙ୍କୁ ଫୋକସ୍ କରି ସମସ୍ୟା ଜାଣିବା ସହ ଅଭିଯୋଗ ଶୁଣିଛନ୍ତି ଶ୍ରୀ ନାୟକ। ସକାଳ ୮ରୁ ରାତି ୮ଟା ପର୍ଯ୍ୟନ୍ତ କ୍ରମାଗତ ୧୨ ଘଣ୍ଟା ଧରି ବିଷମକଟକ, ମୁନିଗୁଡ଼ା, ରାୟଗଡ଼ାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ୭ ବ୍ଲକର କର୍ମୀଙ୍କ ମତାମତ ସଂଗ୍ରହ କରିଛନ୍ତି। ଆଲୋଚନା ସମୟରେ କର୍ମୀ କହିଛନ୍ତି, ନିର୍ବାଚନରେ ହାର୍ ଜିତ୍ ଲାଗି ରହିଛି। କିନ୍ତୁ ଦଳୀୟ କନ୍ଦଳ  ଯୋଗୁ ଦଳ ନିର୍ବାଚନରେ ପରାଜିତ ହେବା ବହୁତ ବାଧୁଛି। ୨୦୧୯ ସାଧାରଣ ନିର୍ବାଚନରେ ଭଲ ସ୍ଥିତିରେ ଥିବା ସତ୍ତ୍ବେ ଅସନ୍ତୁଷ୍ଟ କର୍ମୀ ଅଲଗା ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କାମ କଲେ। ଯେଉଁଥି ପାଇଁ ରାୟଗଡ଼ା ବିଧାନସଭା ଓ କୋରାପୁଟ ଲୋକସଭା ଆସନ ବିଜେଡ଼ି ହାତରୁ ଗଲା। ଏବେ ବି ସ୍ଥିତି ଭଲ ନାହିଁ। ବଡ଼ ନେତାମାନେ କର୍ମୀଙ୍କ କଥା ବୁଝୁନାହାନ୍ତି।

୨୦୧୭ ପଞ୍ଚାୟତ ନିର୍ବାଚନରେ କାଶୀପୁର, କଲ୍ୟାଣସିଂହପୁର, ମୁନିଗୁଡ଼ା, ଗୁଡ଼ାରି ବ୍ଲକ୍ ବିଜେଡ଼ି ହାତରୁ ଖସିଥିବାରୁ ଏହି ବ୍ଲକର କର୍ମୀ ପରାଜୟର କାରଣ ସଂପର୍କରେ ଏବଂ ଆଗାମୀ ରଣନୀତି ସଂପର୍କରେ ନିଜର ମତ ରଖିଥିଲେ। ବିଷମକଟକ ବ୍ଲକର ୨ ଜିଲ୍ଲା ପରିଷଦ ଜୋନ ବିଜେଡ଼ି ହାତରୁ ଖସିଥିବାରୁ ଆଗାମୀ ନିର୍ବାଚନରେ ଭଲ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ ବିଧାୟକ ଶ୍ରୀ ନାୟକ। ସେହିପରି ମୁନିଗୁଡ଼ା ବ୍ଲକର ୨ ଜିଲ୍ଲା ପରିଷଦ ଆସନ, ଚନ୍ଦ୍ରପୁରର ଗୋଟିଏ, କଲ୍ୟାଣସିଂହପୁରର ଗୋଟିଏ, କାଶୀପୁରର ଦୁଇଟି ଆସନ ବିଜେଡ଼ି ହାତରୁ ଯାଇଛି। ରାୟଗଡ଼ା, କୋଲନରା ବ୍ଲକର ସମସ୍ତ ଆସନରେ ଜିଲ୍ଲା ପରିଷଦ ଜିତିବା ସହ ବ୍ଲକ ହାତରେ ଥିଲେ ମଧ୍ୟ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଯାଇନି। ବିଜେଡ଼ି ଅପେକ୍ଷା ଅନ୍ୟ ଦଳର ପ୍ରାର୍ଥୀ ଅଧିକା ଭୋଟ ପାଇ ବିଜୟୀ ହେଲେ। କାଶୀପୁର ବ୍ଲକର କର୍ମୀଙ୍କୁ ଦଳରେ ଅଣଦେଖା କରାଯାଉଥିବା କର୍ମୀ ପ୍ରକାଶ କରିଥିଲେ।

ସ୍ବାଧୀନ ବିଧାୟକଙ୍କୁ ଦଳକୁ ଅଣାଯିବା ପାଇଁ ଚର୍ଚ୍ଚା ଚାଲିଛି। ଦଳୀୟ ସୁପ୍ରିମୋଙ୍କ ନିର୍ଦେଶରେ କେହି ଯଦି ଦଳକୁ ଆସେ ଆମେ ସ୍ବାଗତ କରିବୁ ବୋଲି କର୍ମୀ କହିଥିଲେ। କିନ୍ତୁ ଗତ ୨ ବର୍ଷ ହେଲା କର୍ମୀ ଯେଉଁ ପ୍ରକାରର ହନ୍ତସନ୍ତ ହେଉଛନ୍ତି ତାହାକୁ ତୁରନ୍ତ ଦୂର କରିବାକୁ ମତ ରଖିଥିଲେ। ରାୟଗଡ଼ା ବ୍ଲକର ଗ୍ରାମାଞ୍ଚଳରେ ଉନ୍ନୟନମୂଳକ କାମକୁ ଅଧିକ ‌ଫୋକସ୍ କରିବା ସହିତ ଦଳୀୟ ସଂଗଠନକୁ ଅଧିକ ମଜଭୁତ କରିବାକୁ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ। ରାୟଗଡ଼ା ପୌର ପରିଷଦରେ ଦଳୀୟ ସଂଗଠନକୁ ଅଧିକ ଫୋକସ୍ କରିବା ସହିତ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ପ୍ରଦାନ କରିଥିବା ଅର୍ଥର ସୁବିନିଯୋଗ କରି ଲୋକଙ୍କୁ ସୁଫଳ ଯୋଗାଇବାକୁ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ। ଆଲୋଚନା ସମୟରେ ପର୍ଯ୍ୟବେକ୍ଷକ ଶ୍ରୀ ନାୟକଙ୍କ ସମେତ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାଶ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ଜିଲ୍ଲା ବିଜେଡ଼ି ମହିଳା ସଭାନେତ୍ରୀ ଅନୁସୂୟା ମାଝି, ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକା, ପୂର୍ବତନ ସାଂସଦ ଝିନ୍ନ ହିକକା, ଓଡ଼ିଶା ମୋ ପରିବାର ଜିଲ୍ଲା ଆବାହକ ବିନାୟକ କର, ବରିଷ୍ଠ ରାଜ୍ୟ ଉପସଭାପତି ଜଗଦୀଶ ପାତ୍ର, ଚନ୍ଦ୍ରକାନ୍ତ ସାମଲ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଦେବାଶିଷ ଖାଡ଼ଙ୍ଗା, ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ପିଙ୍କୁ ପଣ୍ଡା, ରାୟଗଡ଼ା ନଗର ବିଜେଡ଼ି ସଭାପତି ସତ୍ୟ ନାରାୟଣ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର