ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଅବଧି ଆଉ ୩ ସପ୍ତାହ ବୃଦ୍ଧି

ସଭ୍ୟ ସଂଗ୍ରହ ଲକ୍ଷ୍ୟ ପୂରଣ କରିବାକୁ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ବିଜେଡି ସଭାପତିଙ୍କ ପରାମର୍ଶ

ଭୁବନେଶ୍ବର: ବିଜୁ ଜନତା ଦଳ ତାର ସଭ୍ୟ ସଂଗ୍ରହ ଅଭିଯାନକୁ ଆଉ ୩ ସପ୍ତାହକୁ ବୃଦ୍ଧି କରିଛି। ସଭ୍ୟ ସଂଗ୍ରହ ନେଇ ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କ ସମୀକ୍ଷା ବୈଠକରେ ଏହି ନଷ୍ପତ୍ତି ହୋଇଛି। ସଭ୍ୟ ସଂଗ୍ରହକୁ ଜୋରଦାର କରିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନେତା ଓ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି। ୧ କୋଟି ସଭ୍ୟ ସଂଗ୍ରହ କରିବା ଲକ୍ଷ୍ୟରେ ସେପ୍ଟେମ୍ବର ୨ ତାରିଖରୁ ଆରମ୍ଭ ହୋଇଥିବା ଅଭିଯାନରେ ଏବେସୁଦ୍ଧା ସମସ୍ତ ସାଂଗଠନିକ ଜିଲ୍ଲା ମିଶାଇ ୪୧ ଲକ୍ଷ ସଭ୍ୟ ସଂଗ୍ରହ ହୋଇଛନ୍ତି। ୪ ଲକ୍ଷ ସଭ୍ୟ ସଂଗ୍ରହ କରି ମୟୂରଭଞ୍ଜ ଜିଲ୍ଲା ବିଜେଡି ସବୁଠ ଆଗରେ ରହିଥିବା ସମୀକ୍ଷା ବୈଠକରୁ ଜଣାପଡ଼ିଛି।

ଏବେସୁଦ୍ଧା ୪୧ ଲକ୍ଷ ସଭ୍ୟ ସଂଗ୍ରହ
ସବା ଆଗରେ ରହିଛି ମୟୂରଭଞ୍ଜ ଜିଲ୍ଲା
ସବୁଠୁ ପଛରେ ଚିଲିକା ନିର୍ବାଚନ ମଣ୍ଡଳୀ

ଗୁରୁବାର ରାଜ୍ୟ କାର୍ଯ୍ୟାଳୟରେ ବିଜେ଼ଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଭ୍ୟ ସଂଗ୍ରହ ସ୍ଥିତି ନେଇ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁ ନିର୍ବାଚନ ମଣ୍ଡଳୀରେ ୬୦ ହଜାର ସଭ୍ୟ ସଂଗ୍ରହ ହୋଇଛନ୍ତି, ସେସବୁ ନିର୍ବାଚନ ମଣ୍ଡଳୀରେ ଅଧିକ ସଭ୍ୟ ସଂଗ୍ରହ କରିବା ପାଇଁ ବୈଠକରେ ଗୁରୁତ୍ବ ଦିଆଯାଇଥିଲା। ସମୀକ୍ଷାବେଳେ ଦେଖାଯାଇଥିଲା, ସଭ୍ୟ ସଂଗ୍ରହରେ ବାଲେଶ୍ବର ଜିଲ୍ଲା ଦ୍ବିତୀୟ ସ୍ଥାନରେ ରହିଛି। ତୃତୀୟ ସ୍ଥାନରେ ଯାଜପୁର ଓ ଚତୁର୍ଥରେ ଗଞ୍ଜାମ ଜିଲ୍ଲା ବିଜେଡି ସ୍ଥାନ ପାଇଛି। ପ୍ରାୟ ୨ ହଜାର ସଭ୍ୟ ସଂଗ୍ରହ କରି ଚିଲିକା ନିର୍ବାଚନ ମଣ୍ଡଳୀ ସବୁଠୁ ପଛରେ ରହିଛି। ବୈଠକ ପରେ ସଭ୍ୟ ସଂଗ୍ରହ ଅଭିଯାନ କମିଟି ଆବାହକ ଦେବୀ ପ୍ରସାଦ ମିଶ୍ର କହିଥିଲେ, ସଭାପତିଙ୍କ ନିଷ୍ପତ୍ତିକ୍ରମେ ଗତ ସେପ୍ଟେମ୍ବର ୨ ତାରିଖରୁ ସାରା ରାଜ୍ୟରେ ସଭ୍ୟ ସଂଗ୍ରହ ଅଭିଯାନ ଚାଲିଛି। ସଭ୍ୟ ସଂଗ୍ରହ କଲାବେଳେ ନୂତନ ସଦସ୍ୟମାନଙ୍କ ଆଧାର ନମ୍ବର ଓ ଭୋଟର ପରିଚୟ ପତ୍ର ନକଲ ଦେବା ପାଇଁ ବାଧ୍ୟତାମୂଳକ କରାଯାଇଛି। ବିଜୁ ଜନତା ଦଳରେ ସାମିଲ ହେବାକୁ ସବୁ ବର୍ଗର ଲୋକଙ୍କ ଭିତରେ ଆଗ୍ରହ ରହିଛି। ରାଜ୍ୟ ସରକାରଙ୍କ ବିକାଶ କାର୍ଯ୍ୟକ୍ରମ, ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ପ୍ରଶାସନ ପ୍ରତି ସାରା ରାଜ୍ୟରେ ଜନ ସମର୍ଥନ ରହିଛି। ଆଗକୁ ଧାର୍ଯ୍ୟ କରାଯାଇଥିବା ୧ କୋଟି ସଭ୍ୟ ସଂଗ୍ରହ ଲକ୍ଷ୍ୟ ଆସନ୍ତା ୩ ସପ୍ତାହ ଭିତରେ ପୂରଣ ହୋଇପାରିବ ବୋଲି ଶ୍ରୀ ମିଶ୍ର କହିଥିଲେ।

ସମ୍ବନ୍ଧିତ ଖବର