ବିଜେଡି ବିଧାୟକ ଦଳ ବୈଠକ : ବିଧାନସଭାରେ ବିଧାୟକଙ୍କ ଉପସ୍ଥାନ କଡ଼ାକଡ଼ି

୨ ଦିନ ଛୁଟିରେ ରହିବାକୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରି ଦରକାର
ଦୈନିକ ସରକାରୀ ମୁଖ୍ୟ ସଚେତକ ବିଧାୟକଙ୍କ ଉପସ୍ଥାନ ରଖିବେ
ପ୍ରତି ଦୁଇମାସରେ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବେ
୪ ଜଣିଆ କମିଟି ଗଠନ, ସୋମ୍ୟରଂଜନ, ଉଷା, ଅମର ଓ କିଶୋର ସଦସ୍ୟ
୧୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ କମିଟିକୁ ନିର୍ଦ୍ଦେଶ

ଭୁବନେଶ୍ବର : ରାଜ୍ୟକୁ ଦୁର୍ନୀତିମୁକ୍ତ ଓ ସ୍ବଚ୍ଛ ପ୍ରଶାସନ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫’ଟି’, ମୋ ସରକାର, ମୋ ପରିବାର ଯୋଜନା କାର୍ଯ୍ୟକାରି କରିଛନ୍ତି। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଆପଣାଇଛନ୍ତି। ଏବେ ନିଜ ଦଳର ବିଧାୟକଙ୍କ ପାଇଁ ନବୀନ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିଧାନସଭା ଅଧିବେଶନ ଚାଲିଥିବାବେଳେ ଗୃହକୁ ଆସୁନଥିବା ବିଧାୟକଙ୍କୁ ନିୟମିତ ଗୃହରେ ଉପସ୍ଥିତ ରହିବାକୁ କଡ଼ା ନିର୍ଦେଶ ଦେଇଛନ୍ତି।

ଆଜି ରାଜ୍ୟ ବିଧାନସଭାର ୫୪ନମ୍ବର ପ୍ରକୋଷ୍ଠରେ ବିଧାୟକ ଦଳ ବୈଠକରେ ଅଧ୍ୟକ୍ଷତା ପରେ ନବୀନ କହିଥିଲେ, , ଚଳିତ ଅଧିବେଶନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହି ଅଧିବେଶନରେ ସରକାର ଅନେକ ବିଲ ଆଣିବେ। ଏଥିପାଇଁ ସବୁ ବିଧାୟକମାନଙ୍କ ଉପସ୍ଥିତି ଉପରେ ଗୁରୁତ୍ବ ଦିଆଯାଇଛି। ଅଧିବେଶନର କାର୍ଯ୍ୟଦିବସରେ ଯେପରି ବିଜେଡିର ସବୁ ବିଧାୟକ ଯେପରି ଗୃହ କାର୍ଯ୍ୟରେ ସହଯୋଗ କରିବେ ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିରୋଧୀ ଯେଉଁସବୁ ପ୍ରସଙ୍ଗ ଉତଥାପନ କରିବେ ସେସବୁ ଉତ୍ତର ପ୍ରଦାନ କରାଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ, ଅଧିବେଶନର କାର୍ଯ୍ୟ ଦିବସରେ ବିଜେଡିର ସମସ୍ତ ବିଧାୟକ ନିୟମିତ ନିର୍ଦ୍ଧାରିତ ସମୟରେ ଗୃହରେ ଉପସ୍ଥିତ ରହିବେ। ଯଦି କୌଣସି ବିଧାୟକଙ୍କ ୨ ଦିନ ଛୁଟି ଆବଶ୍ୟକ ପଡ଼େ ତାହେଲେ ସମ୍ପୃକ୍ତ ବିଧାୟକ ମୁଖ୍ୟମନ୍ତ୍ରୀଙ୍କଠୁ ଦରଖାସ୍ତ ମଞ୍ଜୁରି କରାଇବେ। ଗୃହରେ ଦଳର ସମସ୍ତ ବିଧାୟକ ବିତର୍କରେ ଭାଗ ନେବେ। ବିଶେଷକରି ନୂଆ ବିଧାୟକମାନଙ୍କ କାର୍ଯ୍ୟଦକ୍ଷତା ସେ ନିଜେ ଅନୁଧ୍ୟାନ କରିବେ। ବିଧାୟକମାନଙ୍କ ଉପସ୍ଥାନ ସୁନିଶ୍ଚିତ କରିବା ଦାୟିତ୍ବ ସରକାରୀ ଦଳ ମୁଖ୍ୟ ସଚେତକଙ୍କୁ ପ୍ରଦାନ କରାଯାଇଛି। ଏଥିପାଇଁ ଅଧିବେଶନ ଚାଲୁଥିବା ଦିନମାନଙ୍କରେ ମୁଖ୍ୟ ସଚେତକ ପୂର୍ବାହ୍ନ ସାଢ଼େ ୧୧ଟାରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ସଦସ୍ୟମାନଙ୍କ ଉପସ୍ଥାନ ପ୍ରଦାନ କରିବେ। ଏଣିକି ପ୍ରତି ବିଧାୟକ ନିୟମିତ ପ୍ରତି ଦୁଇମାସରେ ତାଙ୍କ ନିର୍ବାଚନମଣ୍ଡଳୀର ଉନ୍ନୟନ କାର୍ଯ୍ୟ ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବେ। ଏହି ରିପୋର୍ଟ ପ୍ରଦାନର ବ୍ୟବସ୍ଥା କଣ ହେବ ସେଥିପାଇଁ ୪ ଜଣ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି। ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଉଷା ଦେବୀ, ଅମର ପ୍ରସାଦ ଶତପଥୀ ଓ କିଶୋର ମହାନ୍ତିଙ୍କୁ ନେଇ ଏହି କମିଟି ଗଠନ ହୋଇଛି। ଏହି କମିଟି ଆସନ୍ତା ୧୦ ଦିନ ମଧ୍ୟରେ ତାଙ୍କ ରିପୋର୍ଟ ପ୍ରଦାନ କରିବ।

ବିଧାୟକମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଗୃହରେ ବିରୋଧୀଙ୍କ ଗଠନମୂଳକ ସମାଲୋଚନାକୁ ଆମେ ସ୍ବାଗତ କରୁ। ଗଠନମୂଳକ ନେଇ ଯେ କୌଣସି ପ୍ରସଙ୍ଗ ଗୃହରେ ବିରୋଧୀ ଉତଥାପନ କରିବେ ସେସବୁ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ। ଆଧୁନିକ ପ୍ରଯୁକ୍ତି ବିଦ୍ୟାସହିତ ଖାପଖୁଆଇ ଚାଲିବାକୁ ମୁଖ୍ୟମନ୍ତ୍ରୀ ସବୁ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପାଟକୁରା ନିର୍ବାଚନ ଓ ବିଜେପୁର ଉପନିର୍ବାଚନରେ ଦଳର ସଫଳତା ପୁଣି ଥରେ ରାଜ୍ୟରେ ବିଜେଡି ଉପରେ ଲୋକଙ୍କ ଆସ୍ଥା ରହିଥିବା ପ୍ରମାଣିତ କରିଛି। ଏହି ଆସ୍ଥା ଯେପରି ଦୀର୍ଘ ଦିନ ଧରି ଦଳ ଉପରେ ତିଷ୍ଟି ରହିବ ସେ ନେଇ ବିଧାୟକମାନେ ପ୍ରଯତ୍ନ ହେବା ପାଇଁ ସେ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର