ଭୁବନେଶ୍ବର : ବିଜେଡିରେ ମିଶିଲେ ବରଗଡ଼ ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ସାଧୁ ନେପାକ। ଶ୍ରୀନେପାକ ତାଙ୍କ କଂଗ୍ରେସ କର୍ମୀଙ୍କ ସହ ରବିବାର ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ସେହିପରି ୨୦୧୪ ନିର୍ବାଚନରେ ବିଷମ କଟକ ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଥିବା ସାରଙ୍ଗଧର କାଡ୍ରେକା ମଧ୍ୟ ତାଙ୍କ ବିଜେପି ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି।

Advertisment

ରବିବାର ନବୀନ ନିବାସରେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶ୍ରୀନେପାକ, ଶ୍ରୀକାଡ୍ରେକାଙ୍କ ସମେତ ଲକ୍ଷ୍ମୀପୁର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ରାଜେନ୍ଦ୍ର ହିକକା ଓ ଟାଙ୍ଗରପାଲ୍ଲୀ ବ୍ଲକ କଂଗ୍ରେସ ନେତା ଓ ଶତାଧିକ କର୍ମୀଙ୍କ ସହ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଶ୍ରୀନେପାକ, ଶ୍ରୀକାଡ୍ରେକା ଏବଂ ଶ୍ରୀହିକକାଙ୍କ ସହ ସମସ୍ତ ନେତା ଓ କର୍ମୀଙ୍କୁ ସଭାପତି ଶ୍ରୀପଟ୍ଟନାୟକ ସ୍ବାଗତ କରିବା ସହ କହିଥିଲେ ଏ ସମସ୍ତ ନେତାଙ୍କ ଯୋଗଦାନ ବିଜୁ ଜନତା ଦଳର ଶକ୍ତିକୁ ଆହୁରି ସୁଦୃଢ଼ କରିବ। ଏହି ଅବସରରେ ଶ୍ରୀନେପାକ କହିଥିଲେ, ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ସେ ବରଗଡ଼ର ବିଧାୟକ ଥିଲେ। କିନ୍ତୁ ତାଙ୍କ ଭଳି ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କୁ ଦଳ ଅଣଦେଖା କରିଥିଲା। ଦଳରେ ପରିବାରବାଦ ଯୋଗୁ ନିର୍ଯ୍ୟାତିତ ହେବାଭଳି ଲାଗିଲା। ଏଥିପାଇଁ କଂଗ୍ରେସ ଦଳ ପରିତ୍ୟାଗ କରି ବିଜେଡିରେ ଯୋଗଦେଇଥିବା ଶ୍ରୀନେପାକ କହିଥିଲେ।