ବିଜେଡିର ମିଶ୍ରଣ ପର୍ବ : ବିଜେଡିରେ ମିଶିଲେ ବିଜେପି ଉପସଭାପତି ରାଜକିଶୋର ଦାସ, କୋରାପୁଟର ବିଜେପି ସାଧାରଣ ସମ୍ପାଦକ ବି ବିଜେଡିରେ

ଭୁବନେଶ୍ବର : ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ବିଜେପି ରାଜ୍ୟ ଉପସଭାପତି ତଥା ମୋରଡ଼ା ନିର୍ବାଚନ ମଣ୍ଡଳୀରୁ ବିଜେପି ଟିକେଟରୁ ଦୁଇ ଦୁଇ ଥର ବିଧାୟକ ପ୍ରାର୍ଥୀ ହୋଇଥିବା ରାଜକିଶୋର ଦାସ। ଶ୍ରୀଦାସଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ, ୧୦ ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ ଅଧ୍ୟକ୍ଷ ଓ ଅଧ୍ୟକ୍ଷାଙ୍କ ସହ ୨୦୦୦ରୁ ଉର୍ଦ୍ଧ୍ବ ବିଜେପି ସମର୍ଥକ ଆଜି ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ସେହିପରି ବିଜେପି କୋରାପୁଟ ଜିଲ୍ଲା ସାଧାରଣ ସମ୍ପାଦକ ଭଗବାନ ପେଟିଆଙ୍କ ସମେତ ଶତାଧିକ ବିଜେପି ସମର୍ଥକ ବିଜେଡିରେ ଯୋଗଦେଇଛନ୍ତି।

ସୋମବାର ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର ମିଶ୍ରଣ କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେପି ରାଜ୍ୟ ଉପସଭାପତି ରାଜକିଶୋର ଦାସଙ୍କ ସମେତ ମୋରଡ଼ା ନିର୍ବାଚନମଣ୍ଡଳୀର ସରପଞ୍ଚ, ସମିତି ସଭ୍ୟ ଓ ସଭ୍ୟା, ଜିଲ୍ଲା ପରିଷଦ ସଭ୍ୟ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ସେହିପରି ନବୀନ ନିବାସରେ ବିଜେଡି ସଭାପତି ଶ୍ରୀପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେପି କୋରାପୁଟ ଜିଲ୍ଲା ସାଧାରଣ ସମ୍ପାଦକ ଭଗବାନ ପେଟିଆଙ୍କ ସମେତ ଜୟପୁର ନିର୍ବାଚନମଣ୍ଡଳୀର ବିଜେପି ନେତା ଅନୁପ ପାତ୍ର ଏବଂ ତାଙ୍କର ଶତାଧିକ ସମର୍ଥକ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ।

ଏହି ଅବସରରେ ସମସ୍ତଙ୍କୁ ସ୍ବାଗତ କରି ବିଜେଡି ସଭାପତି ଶ୍ରୀପଟ୍ଟନାୟକ କହିଥିଲେ ହଜାରେରୁ ଉର୍ଦ୍ଧ୍ବ ବିଜେପି କର୍ମୀଙ୍କ ଦଳରେ ଯୋଗଦାନ ଦଳର ଶକ୍ତିକୁ ଆହୁରି ମଜବୁତ କରିବାରେ ସହାୟକ ହେବ। ଏହି ମିଶ୍ରଣ କାର୍ଯ୍ୟକ୍ରମରେ ବିଜେଡିର ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଅରୁଣ କୁମାର ସାହୁ, ମୋରଡ଼ା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ମହିଳା ବିଜେଡି ସଭାନେତ୍ରୀ ମିନତି ବେହେରା, ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ ଓ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର