ମିଶ୍ରଣ ପର୍ବରେ ବିଜେଡିର ଶକ୍ତି ପ୍ରଦର୍ଶନ

ମନ୍ତ୍ରୀଙ୍କ ଉପସ୍ଥିତିରେ ୧୦ ପଞ୍ଚାୟତ, ୪ ୱାର୍ଡ଼ର କର୍ମୀ ସାମିଲ

ଭଞ୍ଜନଗର : ଆଗକୁ ପୌର ଓ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏହାର ଅବ୍ୟବହିତ ପୂର୍ବରୁ ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ବିଜେଡି ଶୁକ୍ରବାର ମିଶ୍ରଣ ପର୍ବ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରି ନିର୍ବାଚନ ପାଇଁ ବିଗୁଲ୍ ବଜାଇଛି। ବିରୋଧୀ କଂଗ୍ରେସ ଓ ବିଜେପିର ବହୁ କର୍ମୀ ଦଳ ଛାଡ଼ି ଆଜି ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଉପସ୍ଥିତି‌ରେ ବିଜେଡିରେ ସାମିଲ ହୋଇଛନ୍ତି। ଜଗନ୍ନାଥପ୍ରସାଦ ଓ ଭଞ୍ଜନଗର ବ୍ଲକ୍‌ର ୧୦ ପଞ୍ଚାୟତ ଅଲାଡ଼ି, ଖମାରପଲ୍ଲୀ, ରାଉତି, ରୁଢ଼ାପଦର, ଅଳସୁଗୁମା, ଛାମୁଣ୍ଡା, ଗେରେଡ଼ା, ଗାୟଗଣ୍ଡା ଏବଂ ଭଞ୍ଜନଗର ବ୍ଲକ୍ ଅଧୀନ କୁଲାଡ଼ ଏବଂ ତିଳିସିଂ ପଞ୍ଚାୟତ ଓ ଏନଏସି ୧୧, ୧୨, ୧୩, ୧୪ ନମ୍ବର ୱାର୍ଡ଼ରୁ ବହୁ ନେତା ଏବଂ କର୍ମୀ ବିଜ‌େଡିରେ ମିଶିଥିଲେ। ମନ୍ତ୍ରୀ ଶ୍ରୀ ଆରୁଖ ସମସ୍ତଙ୍କୁ ସ୍ବାଗତ କରିଥିଲେ।

ଭଞ୍ଜନଗରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ମହାରଣା ଓ ରାଜ୍ୟ ସଦସ୍ୟ ଟି.ଗୋପୀ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ମନ୍ତ୍ରୀ ଆରୁଖ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିଙ୍କ ଯୋଗୁଁ ଓଡ଼ିଶା ବର୍ତ୍ତମାନ ଦେଶରେ ଏକ ସ୍ବତନ୍ତ୍ର ପରିଚୟ ତିଆରି କରିପାରିଛି। ଗମନାଗମନ, ପରିମଳ ଓ ଆଲୋକୀକରଣ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ଭୋକର ଭୂଗୋଳ ଭାବେ ଓଡ଼ିଶାର ପରିଚୟ ରହିଥିଲା। ହେଲେ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ଓଡ଼ିଶା ଦେଶରେ ଏକ ବଳକା ରାଜ୍ୟ ଭାବେ ପରିଗଣିତ ହୋଇପାରିଛି। ଦାରିଦ୍ରୢ ଦୂରୀକରଣ, ସାମାଜିକ କଲ୍ୟାଣ ଓ ଖାଦ୍ୟ ସୁରକ୍ଷା ‌‌ଯୋଜନାରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି। ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ୯ଟି ‌ମେଡିକାଲ ଖୋଲାଯାଇଛି। ଏଥିସହ ବିଜେଡି ଶାସନ ଅମଳରେ ଭଞ୍ଜନଗରର ଭୌଗୋଳିକ ପରିବର୍ତ୍ତନ ଘଟିଛି। ଆଗକୁ ଦଳର ସାଂଗଠନିକ ସ୍ଥିତିକୁ ଆହୁରି ସୁଦୃଢ଼ କରାଯିବ। ବହୁ ଉନ୍ନୟନ କାର୍ଯ୍ୟ ତ୍ବରାନ୍ବିତ ହେବ। କିଛି ସୁବିଧାବାଦୀ ନେତୃତ୍ବ ପାଇଁ ଅଞ୍ଚଳର ବିକାଶ ଅଟକିଥିଲା। ବର୍ତ୍ତମାନ ସେମାନେ ଦୂରେଇ ଯାଇଥିବାରୁ ନୂତନ କର୍ମୀଙ୍କୁ ନେଇ ଗ୍ରାମାଞ୍ଚଳରେ ତୃଣମୂଳସ୍ତରରୁ ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ ବୋଲି ଶ୍ରୀ ଆରୁଖ କହିଥିଲେ। ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ବିକାଶ ରାଜ୍ୟରେ ମଡ଼େଲ୍ ହୋଇ ଭାବେ ଉଭା ହୋଇଛି ବୋଲି କହିଥିଲେ। ଭଞ୍ଜନଗର ବିଜେଡି ବ୍ଳକ୍‌ ସଭାପତି ରାଜ‌େନ୍ଦ୍ର ପ୍ରସାଦ ପ୍ରଧାନ, ଜଗନ୍ନାଥପ୍ରସାଦ ବ୍ଳକ୍‌ ସଭାପତି ମୋହନ ପ୍ରଧାନ, ବିଜେଡି ନଗର ସଭାପତି ରାଜେନ୍ଦ୍ର ବି ଷୋୟୀ, ଜଗନ୍ନାଥପ୍ରସାଦ ବ୍ଲକ୍ କନ୍ଧମାଳ ସାଂସଦ ପ୍ରତିନିଧି ବିପ୍ରଚରଣ ବାରିକ, ଜିଲ୍ଲା ଉପସଭାପତି ରାଜକୁମାର ସାହୁ, ମହିଳା ବ‌ିଜେଡି ସଭାନେତ୍ରୀ ଶୈଳବାଳା ସାହୁ, ବ୍ଲକ୍ ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ, ରବୀନ୍ଦ୍ର ପ୍ରଧାନ, ଦେବଦତ୍ତ ପ୍ରଧାନ ଓ ଜଗନ୍ନାଥପ୍ରସାଦ ବ୍ଲକ୍ ଉପାଧ୍ୟକ୍ଷ ହିଂମାଶୁ ଶେଖର ବାରିକ ପ୍ରମୁଖ ମଞ୍ଚାସୀନ ଥିଲେ। ସାଂସଦ ପ୍ରତିନିଧି ଦିବାକର ନାୟକ ପରିଚାଳନା ଓ ଯୁବ ବିଜେଡି ସଭାପତି ସୁଧୀର ରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର