ନବୀନ ନିବାସରେ ବିଜେଡିର ମିଶ୍ରଣ ପର୍ବ

ଖଗପତି ପ୍ରଧାନୀଙ୍କ ପୁତୁରା ସଦାଶିବ ପ୍ରଧାନୀ ବିଜେଡିରେ, ଶିକ୍ଷାବିତ୍ ଓ ପୂର୍ବତନ ପୁଲିସ ପ୍ରଶାସକ ବି ଯୋଗଦେଲେ

ଭୁବନେଶ୍ବର : ବିଜେଡିରେ ସାମିଲ ହୋଇଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ବର୍ଷୀୟାନ୍ କଂଗ୍ରେସ ନେତା ଖଗପତି ପ୍ରଧାନୀଙ୍କ ପୁତୁରା ସଦାଶିବ ପ୍ରଧାନୀ। ଶ୍ରୀ ପ୍ରଧାନୀ ନାଲକୋର ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ପଦବିରୁ ଇସ୍ତଫା ପ୍ରଦାନ କରି ଆଜି ନବୀନ ନିବାସରେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ଯୋଗଦେଇଥିଲେ। ସେହିପରି ସଭାପତିଙ୍କ ଉପସ୍ଥିତିରେ ବିଜେଡିରେ ପାଖାପାଖି ୧୫ ଜଣ ବିଶିଷ୍ଟ ଶିକ୍ଷାବିତ୍ ଓ ପୂର୍ବତନ ପୁଲିସ ପ୍ରଶାସକ ଯୋଗଦେଇଥିଲେ।

ବିଜେଡିରେ ସାମିଲ ହୋଇଥିବା ସଦାଶିବ ପ୍ରଧାନୀଙ୍କୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିବା ସହ ଶ୍ରୀ ପ୍ରଧାନୀଙ୍କ ଦଳରେ ଯୋଗଦାନ ନବରଙ୍ଗପୁରରେ ଦଳର ସ୍ଥିତିକୁ ଆହୁରି ମଜବୁତ କରିବ ବୋଲି କହିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନୀ କହିଥିଲେ, ବିଜୁବାବୁ , ଖଗପତି ପ୍ରଧାନୀଙ୍କ ଆଦର୍ଶ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ, ନିର୍ମଳ ନେତୃତ୍ବରେ ଅନୁପ୍ରାଣିତ ହୋଇ ବିଜେଡିରେ ସେ ଯୋଗଦେଇଛନ୍ତି। ସେହିପରି ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଡଃ କପିଳେଶ୍ବର ମିଶ୍ର, ପାରାଦୀପର ଶ୍ରମିକ ନେତା ଜୟନ୍ତ କୁମାର ବିଶ୍ବାଳ, କିରନ ରାଉତ, ଶୁଭକାନ୍ତ ବେହେରା, ପ୍ରଫେସର ଜୟକଷ୍ଣ ମହାନ୍ତ, ପ୍ରଫେସର ବିଜୟ କୁମାର ଟପୋ, ପୂର୍ବତନ ପୁଲିସ ପ୍ରଶାସକ ଆଇପିଏସ ଗୋପବନ୍ଧୁ ମଲ୍ଲିକ, ବିଶ୍ବନାଥ ମହାନ୍ତି, ଗିରିଶ ଚନ୍ଦ୍ର ଶତପଥୀ, ପୂର୍ବତନ ରାଉରକେଲା ସିଡିପିଓ ଛବି ମହାନ୍ତି, ଏନଆରଆରଆଇ ସୁରେନ୍ଦ୍ରନାଥ ରାଉତ, ଡଃ ସୁଲୋଚନା ଦାସ, ଓଡ଼ିଶୀ ନୃତ୍ୟାଙ୍ଗନା ଡଃ ସୁଜାତା ମିଶ୍ର, ଅଧ୍ୟାପକ ଡଃ କମଳାକାନ୍ତ ସାହୁ ଓ ସମ୍ବଲପୁରର ଡଃ ହରୀଶ ନାୟକ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଥିଲେ।

ଏହି ଯୋଗଦାନ କାର୍ଯ୍ୟକ୍ରମରେ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ଦଳର ସାଧାରଣ ସମ୍ପାଦକ ସଞ୍ଜୟକୁମାର ଦାସବର୍ମା, ସାଂସଦ ବଳଭଦ୍ର ମାଝୀ, ସାଂସଦ ପ୍ରତାପ କେଶରୀ ଦେବ, ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲା ବିଜେଡି ସଭାପତି ପ୍ରହଲ୍ଲାଦ ତ୍ରିପାଠୀ, ଜିଲ୍ଲା ଅନୁସୂଚିତ ଜନଜାତି ଉନ୍ନୟନ ପରିଷଦ ଅଧ୍ୟକ୍ଷ ମୋତିରାମ ନାଏକ ଓ ରାଜ୍ୟ ସମ୍ପାଦକ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର