ଭୁବନେଶ୍ବର : ପୁଲିସ ଏଏସଆଇକୁ ଶାସକ ଦଳ ସଦସ୍ୟ ବ୍ୟୋମକେଶ ରାୟ ଧମକ ଦେଇଥିବା ନେଇ ଭାଇରାଲ ହୋଇଥିବା ଅଡିଓ ପ୍ରସଙ୍ଗ ବିଧାନସଭାରେ ଉଠିଲା। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିଧାୟକଙ୍କୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଟାର୍ଗେଟ୍ କରିଥିଲେ। କହିଥିଲେ, ପୁଲିସ ଏଏସ୍ଆଇକୁ ଶାସକ ଦଳର ଜଣେ ବିଧାୟକ ମୋଟୁକୁ ପଠାଇଦେବାକୁ ଧମକ ଦେଉଛନ୍ତି। ୧୧୫ ଜଣ ବିଧାୟକ ଅଛନ୍ତି ବୋଲି ଏପରି ଧମକ ଦେବା କେତେଦୂର ଯଥାର୍ଥ? ସେ ଏସ୍ଆଇଙ୍କୁ ବି ଧନ୍ୟବାଦ। ଭାଇରାଲ ହୋଇଥିବା ଅଡିଓରେ ସେ କହୁଛନ୍ତି ଯେ, ସେ ମୟୂରଭଞ୍ଜର ଲୋକ, ତାଙ୍କୁ କୋରାପୁଟ କିମ୍ବା ମାଲକାନଗିରି ପଠାଇଦେଲେ କିଛି ଅସୁବିଧା ନାହିଁ।
ଶ୍ରୀ ନାଏକ କହିଥିଲେ, ଶାସକଦଳର ସଦସ୍ୟମାନେ ଅଧିକାରୀମାନଙ୍କୁ ଭୟଭୀତ କରାଉଛନ୍ତି। ଏ ଯେଉଁ ଘଟଣା ସମାନାକୁ ଆସିଛି ଏହାର ତଦନ୍ତ ହେବା ଦରକାର। ସମ୍ପୃକ୍ତ ବିଧାୟକ ଅଶ୍ଳୀଳ ଭାଷାରେ ପୁଲିସ ଅଧିକାରୀଙ୍କୁ ଗାଳି ଦେଉଥିବା ଅଡିଓରେ ଶୁଣିବାକୁ ମିଳୁଛି। ପୁଲିସ ଅଧିକାରୀ ଜଣଙ୍କ ବିଧାୟକଙ୍କ ଚାକର ନାଁ ସରକାରଙ୍କର ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଥିଲେ। ବିରୋଧୀ ଦଳ ନେତାଙ୍କୁ ଜବାବ ଦେଇ ବିଜେଡି ବିଧାୟକ ଶ୍ରୀ ରାୟ କହିଥିଲେ, ଏହି ପ୍ରସଙ୍ଗରେ ଗୃହକୁ ବିଭ୍ରାନ୍ତ କରାଯାଉଛି। ଗରିବ ଲୋକମାନଙ୍କ ଭୋଟରେ ସେ ଏ ଗୃହକୁ ନିର୍ବାଚିତ ହୋଇ ଆସିଛନ୍ତି। ଏଏସ୍ଆଇ ଜଣଙ୍କ ଗରିବ ଲୋକଙ୍କୁ ହଇରାଣ କରୁଥିବାରୁ ସେ ଆଇନର ବାଟରେ ଚାଲିବାକୁ ତାଙ୍କୁ କହିଥିଲେ। ମାତ୍ର ଗୋଟିଏ ନ୍ୟୁଜ୍ ଚାନେଲ୍ ତାଙ୍କ ଅଡିଓକୁ ଅଧାରୁ କାଟି ପ୍ରସାରଣ କରୁଛି। ସମ୍ପୃକ୍ତ ଏଏସ୍ଆଇଙ୍କୁ ବଦଳି କରିବା ପାଇଁ ପୁଲିସ ଡିଜିଙ୍କୁ କହିବେ ବୋଲି କହିଥିବା ଶ୍ରୀ ରାୟ କହିଥିଲେ। ଏଥିରେ ବିଜେଡି ଦ​ଳ କିମ୍ବା ସରକାରଙ୍କ କଥା କହିନାହାନ୍ତି। ଶ୍ରୀ ରାୟ କହିଥିଲେ ଯେ, ସେ ମଧ୍ୟବିତ ପରିବାରରୁ ଆସିଛନ୍ତି। ଗରିବ ଲୋକମାନଙ୍କ ପାଇଁ ସେ ଲଢ଼େଇ କରିଆସୁଛନ୍ତି। ବାଚସ୍ପତି ଯଦି ଚାହିଁବେ ଏ ସଂକ୍ରାନ୍ତ ଅଡିଓକୁ ଶୁଣାଇଦେବେ। ତାଙ୍କୁ ଚାନ୍ଦବାଲିର ଲୋକ ଭୋଟ ଦେଇଛନ୍ତି। ସେମାନଙ୍କ ସୁଖଦୁଃଖର ସେ ସାଥୀ। ତାଙ୍କ ସ୍ବରକୁ ଚାପିଦେବାକୁ ବିରୋଧୀ ଦଳ ନେତା ପ୍ରୟାସ କରନ୍ତୁ ନାହିଁ ବୋଲି ଶ୍ରୀ ରାୟ ଗୃହରେ ଚେତାବନୀ ଦେଇଥିଲେ। କାହାପ୍ରତି ତାଙ୍କ ବ୍ୟବହାର କିପରି ହେବ ସେ ନେଇ ବିରୋଧୀ ଦଳ ନେତାଙ୍କଠାରୁ ଶିଖିବେ ନାହିଁ ବୋଲି ରୋକଠୋକ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/Byomkesh-Ray-f.jpg)