ଭୁବନେଶ୍ବର: ବିଜେଡି ବିଧାୟକ ଦଳ ବୈଠକ ଆଜି ଶଙ୍ଖ ଭବନରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ବିରୋଧରେ ମାଳ ମାଳ ଅଭିଯୋଗ ଥିବାରୁ ସେସବୁକୁ ବିଧାନସଭା ଗୃହରେ ପ୍ରଭାବୀ ଢଙ୍ଗରେ ଉଠାଇବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ବିଶେଷ କରି ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁବରଣ କରିବା ଘଟଣାରେ ସରକାରଙ୍କୁ ଅପଦସ୍ଥ କରିବାକୁ ଦଳ ଯୋଜନା କରିଛି। ଅଧିବେଶନ ସମୟରେ ସମସ୍ତେ ଗୃହରେ ଉପସ୍ଥିତ ରହିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।
ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେଡି ବିଧାୟକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ବରିଷ୍ଠ ବିଧାୟକ ଅରୁଣ ସାହୁ କହିଲେ, ସରକାର ଯାହା ଯାହା ପ୍ରତିଶ୍ରୁତି ଦେଇ ଶାସନକୁ ଆସିଥିଲେ, ତାହାକୁ ପାଳନ କରିଛନ୍ତି କି ନାହିଁ ସେ ସମ୍ପର୍କରେ ଜବାବ ମଗାଯିବ। ସରକାର କିଭଳି ଭାବେ ଲୋକଙ୍କୁ ଭୂଆଁ ବୁଲାଇଛନ୍ତି, ତାହା ଆମେ ଉପସ୍ଥାପନ କରିବୁ। ଓଡ଼ିଶାରେ ସେମାନେ ହୁଏତ ୫ ମାସର ସରକାର। କିନ୍ତୁ ଭାରତରେ ୧୧ ବର୍ଷର ସରକାର। ବିଜେପିର ଜନବତିରୋଧୀ ନୀତିରେ ସାଧାରଣ ଲୋକ ପ୍ରଭାବିତ ହେଉଛନ୍ତି। ଡବଲ୍ ଇଞ୍ଜିନ ସରକାରର ଡବଲ୍ ଶୋଷଣ ଚାଲିଛି। ଦରଦାମ ବୃଦ୍ଧି ବାଧୁଛି। ଜୀବନ ଜୀବିକା, ଓଡ଼ିଆ ଅସ୍ମିତା, ଲୋକଙ୍କ ନ୍ୟାର୍ଯ୍ୟ ଦାବି ପାଇଁ ବିଜେଡି ଲଢ଼େଇ କରିବ। ରାଜ୍ୟରେ ଗୋଟିଏ ସରକାର ଥିଲା ପରି ଲୋକ ଅନୁଭବ କରୁନାହାନ୍ତି। ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦମନଲୀଳା ଚାଲିଛି। ରାସନ୍ ଠିକ୍ ସମୟରେ ମିଳୁନି। ଆମ୍ବଟାକୁଆ ଖାଇ ଲୋକ ମୃତ୍ୟୁବରଣ କରୁଛନ୍ତି। ଯେଉଁ କ୍ଷେତ୍ରକୁ ଛୁଇଁବ, ସେଇଟା ଗୋଟିଏ ପ୍ରସଙ୍ଗ। ତେଣୁ ବିଜେଡି ସାଧାରଣ ଲୋକଙ୍କ ସ୍ବର ହୋଇ ବିଧାନସଭାରେ ସବୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇବ।