ମହାନଦୀର ଜଳସ୍ତର ଦେଖି ଅତ୍ୟନ୍ତ ଭୟ ଲାଗିଲାଣି: ସୌମ୍ୟରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର: ଆଜି ବିଧାନସଭାରେ ମହାନଦୀର ଜଳସ୍ତର ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, ମହାନଦୀର ଜଳସ୍ତର ଦେଖି ଅତ୍ୟନ୍ତ ଭୟ ଲାଗିଲାଣି। ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ଜଳସ୍ତର କମ୍ ଅଛି। ବର୍ଷା ହେବାକୁ ବହୁତ ଡେରି ଅଛି, ଖରା ଆରମ୍ଭ ହୋଇଛି, ଏହି ସମୟରେ ମହାନଦୀର ଜଳସ୍ତର କମିଲେ ଆମମାନଙ୍କର ଅବସ୍ଥା କଣ ହେବ ସହଜରେ ଅନୁମେୟ କରିପାରିବା।

ଜଳସ୍ତର କମିବାର କାରଣ ସଂପର୍କରେ ସୂଚନା ଦେଇ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ମହାନଦୀର ଉପର ମୁଣ୍ଡରୁ ପାଣି ଆସୁଛି, ତାକୁ ଆମର ପଡ଼ୋଶୀ ଭାଇମାନେ ଅଟକାଇ ଦେଉଛନ୍ତି। ଏହାଫଳରେ ପାଣିର ବହିବାର ପରିମାଣ କମିଯାଇଛି।
ଏଣେ ଯେତିକି ଆମକୁ ମିଳୁଛି ବର୍ଷା ଜଳ ଏବଂ ନଦୀର ଜଳ, ସେତିକି ସମୁଦ୍ରକୁ ବୋହିଯାଉଛି। ଉତ୍ପତ୍ତି ସ୍ଥଳର ପାଣି ଅଟକାଇ ଦେଉଛନ୍ତି, ଆମକୁ ଆମ ପାଣି ମିଳୁଛି, ଆମେ ସଜାଗ ହୋଇ ଟ୍ରିବ୍ୟୁନାଲ ଉପରେ ନିର୍ଭର ନ କରି ଭବିଷ୍ୟତ ପାଇଁ ଯୋଜନା କରିବା ଦରକାର। ସେମାନେ ଯଦି ଆନିକଟ କରି ପାଣି ଅଟକାଇଛନ୍ତି, ଆମେ ମଧ୍ୟ ଆମ ନଦାନଦୀ ପାଣି ଅଟକାଇବାର ବ୍ୟବସ୍ଥା କଲେ ସମୁଦ୍ରକୁ ଯେଉଁ ଜଳ ବୋହିଯାଉଛି ତାହାକୁ ରକ୍ଷା କରିପାରିବା। ଏହା ଫଳରେ ଭୂତଳ ଜଳର ହ୍ରାସ ଘଟୁଛି ତାହା ଅଧିକ ପରିମାଣରେ ସୁରକ୍ଷିତ ରହି ପାରିବ। କଳକାରଖାନା ଏବଂ ନଦୀରେ ଯେଉଁମାନେ ପ୍ରଦୂଷଣ ଛାଡ଼ୁଛନ୍ତି, ସେମାନଙ୍କ ପାଇଁ ଆମକୁ ଚିନ୍ତା କରିବା ସହ ସଜାଗ ହେବାକୁ ପଡ଼ିବ।
ଆମର ଜଙ୍ଗଲ ଯେମିତି ନଷ୍ଟ ନ ହେବ, ଗଛକଟାକୁ କିଭଳି କମ୍ କରି ଏହାର ପ୍ରତିବଦଳରେ ଯେଉଁ ଗଛ ଲଗାଯାଉଛି, ଏହାକୁ ନିଶ୍ଚିତ କଲେ ଆମ ଜଙ୍ଗଲ ସୁରକ୍ଷିତ ରହିପାରିବ ବୋଲି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର