ଭୁବନେଶ୍ବର: ଜୁଲାଇ ୨୨ରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଦୀର୍ଘ ୨୪ବର୍ଷ ପରେ ବିଜେଡି ବିରୋଧୀ ଦଳ ଭୂମିକାରେ ଅବତୀର୍ଣ୍ଣ ହେଉଥିବାରୁ ଏନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି। ଏଥିପାଇଁ ଆସନ୍ତା ୨୦ତାରିଖରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ଗୃହରେ ଯେପରି ଶାସକ ଦଳକୁ ଅକଳରେ ପକାଇ ହେବ ସେନେଇ ନବୀନ ଆଜି ୫୦ଜଣ ବିଧାୟକଙ୍କୁ ୪୦ଟି ବିଭାଗ ବଣ୍ଟନ କରିଛନ୍ତି। ବିଧାୟକମାନଙ୍କୁ ମିଳିଥିବା ବିଭାଗ‌ର ଯୋଜନା ଓ କାର୍ଯ୍ୟପ୍ରଣାଳୀ ଉପରେ ପୂରା ତଥ୍ୟ ଧରି ଗୃହକୁ ଆସିବାକୁ ଏଥିରେ କୁହାଯିବ। କେଉଁ ପ୍ରସଙ୍ଗରେ ଶାସକ ଦଳକୁ ଘେରି ହେବ ତାହା ଉପରେ ମଧ୍ୟ ସୂଚନା ଦିଆଯିବ। ଏହାସହ ଶାସକ ଦଳ ବିଜେଡି ସରକାର ଅମଳର ବିଭିନ୍ନ ଯୋଜନାକୁ ସମାଲୋଚନା କରିବାକୁ ଥିବାରୁ ଏହାର କିପରି ମୁକାବିଲା କରାଯିବ ସେନେଇ ବି ଆଲୋଚନା ହେବ ବୋଲି ଜଣାପଡ଼ିଛି।