ବିଧାୟକଙ୍କ ଘର ଆଗରେ ଭଉଣୀଙ୍କ ଧାରଣା

ଦାବି କଲେ ସମ୍ପତ୍ତିର ଭାଗ, କହିଲେ ୧୭ ବର୍ଷ ହେଲା ମାନସିକ ନିର୍ଯାତନା ଦିଆଯାଉଛି

ନୟାଗଡ଼ : ପୈତୃକ ସମ୍ପତ୍ତିର ଭାଗ ଦାବି କରି ଶାସକ ଦଳର ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଖଣ୍ଡପଡ଼ାସ୍ଥିତ ବାସଭବନ ଆଗରେ ଧାରଣାରେ ବସିଛନ୍ତି ତାଙ୍କ ସାନଭଉଣୀ ଅବନ୍ତିକା ପଟ୍ଟନାୟକ (୩୫)।

ଦିନତମାମ୍‌ ଅବନ୍ତିକା ଅଖିଆଅପିଆ ଘର ଦୁଆର ମୁହଁରେ ବସି ରହିଛନ୍ତି। ସମସ୍ୟାର ସମାଧାନ ନହେବା ଯାଏ ସେ ଧାରଣାରୁ ଉଠିବେ ନାହିଁ ବୋଲି ଅଡ଼ି ବସିଛନ୍ତି। ଏପରିକି ତାଙ୍କ ମା’ ତଥା ପୂର୍ବତନ ବିଧାୟିକା ବିଜୟଲକ୍ଷ୍ମୀ ପଟ୍ଟନାୟକ ତାଙ୍କୁ ଘର ଭିତରକୁ ଡାକିଥିଲେ ବି ଭାଇ ଅନୁଭବ ଆସି ଏହାର ନିଷ୍ପତ୍ତି ନକରିବା ପର୍ଯ୍ୟନ୍ତ ସେ ଧାରଣାରୁ ଉଠିବେ ନାହିଁ ବୋଲି କହି ତାଙ୍କୁ ଫେରାଇ ଦେଇଛନ୍ତି। ସଂପତ୍ତି ଭାଗ ଦାବିରେ ବିଧାୟକଙ୍କ ଘର ଆଗରେ ଭଉଣୀଙ୍କ ଧାରଣା କେବଳ ବଡ଼ଘରର ଗୁମରକୁ ପଦାରେ ପକାଇ ନାହିଁ. ବିଧାୟକଙ୍କୁ ବି ଅଡ଼ୁଆରେ ପକାଇଛି।

ଅବନ୍ତିକାଙ୍କ ଅଭିଯୋଗ ଅନୁଯାୟୀ ବାପା ପୂର୍ବତନ ବିଧାୟକ ଅରୁଣ ପଟ୍ଟନାୟକଙ୍କର ଏକମାତ୍ର ପୁଅ ଅନୁଭବ ଓ ସେ ଏକମାତ୍ର ଝିଅ ଅଟନ୍ତି। ୨୦୦୦ ମସିହାରେ ତାଙ୍କ ବିବାହ ପରଠାରୁ ତାଙ୍କୁ ପରିବାର ଲୋକେ ଅଣଦେଖା କରି ଆସୁଛନ୍ତି। ଆଇନ ଅନୁଯାୟୀ ବାପାଙ୍କ ସମ୍ପତ୍ତିର ଦାବିଦାର ଉଭୟ ପୁଅ ଓ ଝିଅ ହୋଇଥିବାବେଳେ ତାଙ୍କୁ ଏଥିରୁ ଦୂରେଇ ରଖାଯାଉଛି। ୫/୬ ବର୍ଷ ତଳେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ସେ କୋର୍ଟର ଦ୍ଵାରସ୍ଥ ହୋଇଥିଲେ। କିନ୍ତୁ ଆର୍ଥିକ ଦୁଃସ୍ଥିତିରୁ କେସ୍‌କୁ ଆଗେଇ ନେଇ ପାରିନଥିଲେ। ପରେ ଏଥିନେଇ ବହୁବାର ଆଲୋଚନା ହୋଇଛି। ଆଲୋଚନା ବିଫଳ ହେବା ପରେ ସେ ଆଜି ଧାରଣା ଦେବାକୁ ବାଧ୍ୟ ହୋଇଥିବା ଅବନ୍ତିକା କହିଛନ୍ତି। ମା’ ବିଜୟଲକ୍ଷ୍ମୀଙ୍କୁ ବି ବିଧାୟକ ଅସହାୟ କରି ଦେଇଥିବା ଅବନ୍ତିକା ଅଭିଯୋଗ କରିଛନ୍ତି।

ଏ ସଂପର୍କରେ ବିଧାୟକ ଅନୁଭବ ପଟ୍ଟନାୟକ କହିଛନ୍ତି, ଅବନ୍ତିକା ଯେଉଁ ସମ୍ପତ୍ତି କଥା କହୁଛନ୍ତି ତାହା ତାଙ୍କ ଜେଜେ ବାପାଙ୍କର। ବାପା, ମା’ ଅବା ମୁଁ ଚାହିଁଲେ ଭାଗ ବାଣ୍ଟି ହେବନି। ପରିବାରର ସମସ୍ତେ ଉପସ୍ଥିତ ହେଲେ ଭାଗବଣ୍ଟା ହୋଇପାରିବ। ଅବନ୍ତିକା ତାଙ୍କୁ ବ୍ଲାକ୍‌ମେଲିଂ କରୁଥିବା ଅନୁଭବ ଅଭିଯୋଗ କରିଛନ୍ତି। ଅବନ୍ତିକା କିନ୍ତୁ ବ୍ଲାକ୍‌ମେଲିଂ କଥା ସଂପୂର୍ଣ୍ଣ ମିଛ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର