ଭୁବନେଶ୍ବର: ବିଧାନସଭାରେ ଆଜି ବିଜେଡିର ପ୍ରତିବାଦର ଆଉ ଏକ ତରିକା ଦେଖିବାକୁ ମିଳିଥିଲା। ୧୦ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବିଜେଡି ସଭ୍ୟମାନେ ଏକାଠି ବିଧାନସଭା ପରିସରକୁ ଆସିଥିଲେ। ବିଧାୟକ ଅରୁଣ ସାହୁଙ୍କ ନେତୃତ୍ବରେ ସେମାନେ ବିଧାନସୌଧର ଚାରିପଟେ ବୁଲି ଗଙ୍ଗାଜଳ ସିଞ୍ଚିଥିଲେ। ଶାସକ ଦଳ ବିଧାନସଭାକୁ ଅପବିତ୍ର କରିଥିବାରୁ ଗଙ୍ଗାଜଳ ସିଞ୍ଚି ପବିତ୍ର କରାଯାଉଥିବା କହିଥିଲେ। ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିଜେଡିର କିଛି ସଦସ୍ୟ ଗୃହ ଭିତରକୁ ବି ଗଙ୍ଗା ଜଳ ଆଣିଥିଲେ।
ସେମାନେ ଗୃହ ଭିତରେ ଗଙ୍ଗା ଜଳ ସିଞ୍ଚିଥିଲେ। ଏପରି ଅଶୋଭନୀୟ କାର୍ଯ୍ୟରୁ ବିରତ ରହିବାକୁ ବାଚସ୍ପତି କହିଥିଲେ। ତେବେ ସେମାନେ ଗଙ୍ଗାଜଳ ସିଞ୍ଚିଲା ପରେ ବାହାରକୁ ଯାଇ ରଖିଦେଇ ଆସିଥିଲେ। ଏହା ପରେ ବିଜେଡି ସଭ୍ୟମାନେ ଗୃହ କାର୍ଯ୍ୟରେ ଭାଗ ନେଇଥିଲେ। ଦିନତମାମ କଂଗ୍ରେସ ଦଳ ସଭ୍ୟଙ୍କ ଅନୁପସ୍ଥିତିରେ ଗୃହ ଚାଲିଥିଲା। ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଆଲୋଚନା ଓ ଖର୍ଚ୍ଚଦାବି ଆଲୋଚନା ଯଥାରୀତି ହୋଇଥିଲା।