ବସ୍ତି ବାସିନ୍ଦାଙ୍କ ଥଇଥାନ ପାଇଁ ଗର୍ଜିଲା ବିଜେଡ଼ି; ୧୦ ଏକର ଜାଗା ପ୍ରଦାନ ଲାଗି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ

ରାୟଗଡ଼ା: ଗରିବ, ବାସହରାଙ୍କ ଥଇଥାନ ପାଇଁ ମନ କି ବାତ କାର୍ଯ୍ୟକ୍ରମରେ ବହୁ କଥା କହୁଛନ୍ତି ପ୍ରଧାନମନ୍ତ୍ରୀ। କିନ୍ତୁ ବାସ୍ତବରେ ଗରିବ ଲୋକଙ୍କୁ ଥଇଥାନ ଦିଗରେ ପଦକ୍ଷେପ ନେଉନାହାନ୍ତି। ୪୦ ବର୍ଷ ଧରି ରହି ଆସୁଥିବା ବସ୍ତି ବାସିନ୍ଦାଙ୍କୁ ଜାଗା ଛାଡ଼ି ଅନ୍ୟତ୍ର ପଳାଇବାକୁ ରେଳ ବିଭାଗ ଚିଠି କରିବା ପରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇଛି। ମିଥ୍ୟା ପ୍ରତିଶ୍ରୁତି ବଦଳରେ ବସ୍ତି ବାସିନ୍ଦାଙ୍କ ଥଇଥାନ ଲାଗି କେନ୍ଦ୍ର ଜମି ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରି ହକ୍ ପାଇଁ ଲଢ଼େଇ ଜାରି ରଖିବ ବୋଲି ଚେତାବନୀ ଦେଇଛନ୍ତି ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ।

ରାଜ୍ୟସଭା ସାଂସଦ ଶ୍ରୀ ରାଓଙ୍କ ନେତୃତ୍ବରେ ସହରର ୨ ହଜାରରୁ ଉର୍ଧ୍ବ ବସ୍ତି ବାସିନ୍ଦା ଏକ ବିରାଟ ରାଲିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଉଚ୍ଛେଦ ପୂର୍ବରୁ ଥଇଥାନ ଲାଗି ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ଗୁହାରି କରିଥିଲେ। ଓଡ଼ିଶା ସରକାର ଗରିବ ଲୋକଙ୍କୁ ଥଇଥାନ ପାଇଁ ବହୁ ପଦକ୍ଷେପ ନେଇଛି। କିନ୍ତୁ ବିରୋଧୀ ବିଜେପି ମିଥ୍ୟା ଅପପ୍ରଚାର ପାଇଁ ଯେଉଁ ଚେଷ୍ଟା ଚଳାଇଛି ସେଥିରେ କଦାପି ସଫଳ ହେବନି। ଯଦି ଗରିବ ବସ୍ତିବାସିନ୍ଦାଙ୍କ ପ୍ରତି କେନ୍ଦ୍ରର ଦରଦ ଅଛି ତାହାହେଲେ ରେଲୱେ ନିକଟରେ ଥିବା ଜମି ମଧ୍ୟରୁ ୧୦ ଏକର ଯୋଗାଇ ଦେଇ ଘର ପଟ୍ଟା ପ୍ରଦାନ କରନ୍ତୁ ବୋଲି ରାଜ୍ୟସଭା ସାଂସଦ ଶ୍ରୀ ରାଓ ପ୍ରକାଶ କରିଛନ୍ତି। ରାୟଗଡ଼ା ପୌର ପରିଷଦରେ ୬୧ଟି ବସ୍ତି ଥିବା ବେଳେ ୪୦ଟି ବସ୍ତି ରେଲୱେ ଜାଗାରେ ରହିଛି। ବସ୍ତିରେ ୨୩୧୦ ପରିବାର ବସବାସ କରୁଛନ୍ତି। ସେଥି ମଧ୍ୟରୁ ୩୬୮ ପରିବାରକୁ ମୋ ଜାଗା ମିଶନରେ ଥଇଥାନ ଲାଗି ଓଡ଼ିଶା ସରକାରଙ୍କ ପକ୍ଷରୁ ଜମି ଚିହ୍ନଟ କରାଯାଇ ପଟ୍ଟା ପ୍ରଦାନ କରାଯାଇଛି।

୧୯୨୪ ପରିବାରକୁ ଜମି ପଟ୍ଟା ପାଇଁ ଗ୍ୟାରେଣ୍ଟି କାର୍ଡ ପ୍ରଦାନ କରାଯାଇଛି।  ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କ ଜରିଆରେ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ରାୟଗଡ଼ା ସହରରେ ୧୬.୪୧ ବର୍ଗ କିମି ମଧ୍ୟରେ ଘରୋଇ ଜମି ସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜମି ଥିବା ଉଲ୍ଲେଖ କରାଯାଇଛି। ବସ୍ତି ବାସିନ୍ଦାଙ୍କ ଥଇଥାନ କରି ପଟ୍ଟା ପ୍ରଦାନ କରିବାକୁ ରାଜ୍ୟସଭାରେ ଦୁଇ ଥର ପ୍ରଶ୍ନ ଉଠାଇଛନ୍ତି। କିନ୍ତୁ କେନ୍ଦ୍ର ସରକାର ଏପରି କିଛି ଯୋଜନା ସରକାରଙ୍କ ପକ୍ଷରୁ ନଥିବା ସ୍ପଷ୍ଟ କରିଥିବା ଶ୍ରୀ ରାଓ ସୂଚନା ଦେଇଛନ୍ତି।

ସ୍ମାରକପତ୍ର ପ୍ରଦାନ ସମୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ରାଜ୍ୟ ସଂପାଦକ ଜଗଦୀଶ ପାତ୍ର, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଦେବାଶିଷ ଖାଡଙ୍ଗା, ନିରଂଜନ ବକ୍ସିପାତ୍ର, ରାଜ୍ୟ ମହିଳା ମୋର୍ଚ୍ଚା ସଂପାଦିକା ସୁଜାତା ପାଳ, ଜିଲ୍ଲା ‌ବିଜେଡି ମହିଳା ସଭାନେତ୍ରୀ ଅନୁସୂୟା ମାଝି, ରାଇସିଂ ବିଡିକା, ଭି. ଗୌରୀ ଜୟନ୍ତୀ, ଓଡ଼ିଶା ମୋ ପରିବାର ଜିଲ୍ଲା ଆବାହକ ବିନାୟକ କର, ନଗର ବିଜେଡ଼ି ସଭାପତି ସତ୍ୟ ନାରାୟଣ ପାଢ଼ୀ, ବରିଷ୍ଠ ବିଜେଡ଼ି ନେତା ସନ୍ତୋଷ ରଥ, ଅଶୋକ ପଣ୍ଡା, ଦେବଦତ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର