ପୁଣି ଦୂରଦର୍ଶନ ବିରୋଧରେ ଫେରାଦ ହେଲା ବିଜେଡି

ଭୁବନେଶ୍ବର : ଦୂରଦର୍ଶନ ବିରୋଧରେ ପୁଣି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି। ସାମ୍ବାଦିକତାର ମୌଳିକତା ହରାଇ ବିଜେପି ପାଇଁ ଏହି ସରକାରୀ ସଂସ୍ଥା ଖୋଲାଖୋଲି ପ୍ରଚାର କରି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ଗତ ୨୦ ତାରିଖରେ ବିଜେଡି ସିଇଓଙ୍କ ନିକଟରେ ଅଭିଯୋଗ କରିଥିଲା। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଆଜି ବିଜେଡିର ଏକ ପ୍ରତିନିଧି ଦଳ ଏହି ପ୍ରସଙ୍ଗରେ ସିଇଓଙ୍କୁ ପୁଣି ଏକ ସ୍ମାରକପତ୍ର ଦେଇଥିଲେ।

ବିଜେଡି ପକ୍ଷରୁ ଦର୍ଶାଯାଇଛି, ବିଜେଡିର ସମସ୍ତ କାର୍ଯ୍ୟକ୍ରମକୁ ଦୂରଦର୍ଶନ ପକ୍ଷରୁ ଅଘୋଷିତ ଭାବେ ବନ୍ଦ କରିଦିଆଯାଇଛି। ଅପର ପକ୍ଷରେ କ୍ରମାଗତ ଭାବେ କେନ୍ଦ୍ର ସରକାର ଓ ବିଜେପିର କାର୍ଯ୍ୟକ୍ରମକୁ ଦୂରଦର୍ଶନରେ ବହୁଳ ଭାବେ ପ୍ରଚାର କରାଯାଉଛି। ବିଶେଷ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇ ଖବର ପ୍ରସାରଣ କରାଯାଉଛି। ବିଜେଡି ସାମ୍ବାଦିକ ସମ୍ମିଳନୀ ଦୂରଦର୍ଶନର କ୍ୟାମେରା ଆସୁ ନାହିଁ। ଏପରିକି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରସାରଣ କରାଯାଉ ନାହିଁ। ଏଥି ପାଇଁ ଦୂରଦର୍ଶନର ଉପନିର୍ଦ୍ଦେଶକ(ବାର୍ତ୍ତା)ଙ୍କୁ ଦାୟୀ କରିଛି ବିଜେଡି। ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଦୂରଦର୍ଶନକୁ ଏପରି ପକ୍ଷପାତିତାରୁ ଦୂରେଇ ରଖିବା ପାଇଁ ପଦକ୍ଷେପ ନେବାକୁ ବିଜେଡି ଦାବି କରିଛି।

ସମ୍ବନ୍ଧିତ ଖବର