ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ନେଇ ସମର୍ଥନ ପ୍ରସଙ୍ଗରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ ସୌମ୍ୟରଂଜନ

ହାଇଦ୍ରାବାଦ୍:  ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଭେଟିଛନ୍ତି ବିଜେଡି ସାଂସଦ ସୌମ୍ୟରଂଜନ ପଟ୍ଟନାୟକ । ଚନ୍ଦ୍ରବାବୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତା ପହଞ୍ଚାଇବା ସହ ମହିଳାଙ୍କୁ ୩୩ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗରେ ସମର୍ଥନ ମାଗିଛନ୍ତି ସୌମ୍ୟରଂଜନ । ଏଥିରେ ନାଇଡୁଙ୍କ ପୂର୍ଣ୍ଣ ସମର୍ଥନ ଥିବା ସୂଚନା ଦେଇଛନ୍ତି ସାଂସଦ ସୌମ୍ୟରଂଜନ । ଏହାଛଡା ଅନ୍ୟ ଦୁଇଟି ପ୍ରସଙ୍ଗରେ ବି ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି ।

ବିଶେଷକରି ନିର୍ବାଚନକୁ ସ୍ୱଚ୍ଛ କରିବା, ପୋଲାଭରମ ଭଳି ଓଡିଶା-ଆନ୍ଧ୍ର ମଧ୍ୟରେ ଥିବା ବିବାଦର ସମାଧାନ ଉପରେ ଦୁଇ ନେତା ଆଲୋଚନା କରିଛନ୍ତି । ଆସନ୍ତା ସାଧାରଣ ନିର୍ବାଚନ ବେଶ୍ ଗୁରୁତ୍ୱପୂର୍ଣ୍ଣ  ହୋଇଥିବା ବେଳେ ଏହା କିପରି ସ୍ୱଚ୍ଛ ଏବଂ ଶୃଙ୍ଖଳିତ ହେବ ସେଦିଗରେ ସବୁ ସ୍ତରରେ ଉଦ୍ୟମ ହେବା ଉଚିତ ବୋଲି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ବାର୍ତା ଦେଇଥିବା କହିଛନ୍ତି ଶ୍ରୀ ପଟ୍ଟନାୟକ ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଆରମ୍ଭ କରିଥିବା ଅଭିଯାନ କ୍ରମରେ ସୌମ୍ୟରଂଜନ ହାଇଦ୍ରାବାଦ ଗସ୍ତ କରିଥିଲେ । ଏହି ପ୍ରସଙ୍ଗରେ ସମର୍ଥନ ଯୋଗାଡ କରିବା ପାଇଁ ବିଜେଡି ପକ୍ଷରୁ ପ୍ରତିନିଧିଙ୍କୁ ବିଭିନ୍ନ ମୁଖ୍ୟମନ୍ତ୍ରୀ ତଥା ରାଜନୈତିକ ଦଳର ସମର୍ଥନ ପାଇଁ ଉଦ୍ୟମ ଆରମ୍ଭ ହୋଇ ସାରିଛି ।

ସମ୍ବନ୍ଧିତ ଖବର