ଅନ୍ଧାରକୁ ଠେଲି ହୋଇ ଯିବ କି ‘କାଳିଆ’ର ଭବିଷ୍ୟତ?, କାଳିଆ ଯୋଜନାର ମିଶ୍ରଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଉଭୟ କଂଗ୍ରେସ ଓ ବିଜେପି

ଭୁବନେଶ୍ୱର : ‘କାଳିଆ’ ପାଇଁ ନାହିଁ କି ଟଙ୍କା? ଅନ୍ଧାରକୁ ଠେଲି ହୋଇ ଯିବ କି ‘କାଳିଆ’ର ଭବିଷ୍ୟତ? ଚାଷୀଙ୍କୁ ସହାୟତା ଦେବାକୁ ରାଜ୍ୟ ସରକାର କରିଥିବା କାଳିଆ ଯୋଜନା ପାଇଁ କେତେ ଟଙ୍କା ରଖିଛନ୍ତି ? ଯଦି ଟଙ୍କା ରଖିଛନ୍ତି ତେବେ କେନ୍ଦ୍ର ପାଖରେ ହାତ ପାତୁଛନ୍ତି କଣ ପାଇଁ ? କାଳିଆକୁ ସହାୟତା ଦେବାକୁ କେନ୍ଦ୍ର ଆଗରେ ପ୍ରସ୍ତାବ ଦେଉଛନ୍ତି କଣ ପାଇଁ? ଚାଷୀଙ୍କ ସୁବିଧା ପାଇଁ କେନ୍ଦ୍ରର ସହାୟତା ଲୋଡୁଛନ୍ତି ନା ନିଜ ଆର୍ଥିକ ବୋଝକୁ କେନ୍ଦ୍ର ଉପରେ ଲଦିବାକୁ ଚାହୁଁଛନ୍ତି ରାଜ୍ୟ ସରକାର ? ‘ଯୋଜନା ଆମର, ଯତ୍ନ ତମର’ ନ୍ୟାୟରେ କେନ୍ଦ୍ର ଆଗରେ ବିଜେଡି ସାଂସଦ ପ୍ରସ୍ତାବ ରଖିବା ପରେ ଏମିତି କିଛି ପ୍ରଶ୍ନ ସାଧାରଣରେ ଚର୍ଚ୍ଚା ହେଉଛି।

ତେବେ ଶନିବାର ସଂସଦରେ ବିଜେଡିର ୨ ସାଂସଦ କାଳିଆ କଥା ଉଠାଇଥିଲେ। ଚାଷୀଙ୍କ ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିତ ଯୋଜନା କରିବାକୁ ପ୍ରସ୍ତାବ ଦେଇଥିଲେ। ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଏବଂ କେନ୍ଦ୍ର ସରକାରଙ୍କ ପିଏମ୍ କିଷାନ ଯୋଜନାକୁ ମିଶାଇ ଦେଇ ଏକ ମିଳିତ ଯୋଜନା ପ୍ରସ୍ତୁତ କରିବାକୁ ସଂସଦରେ ପ୍ରସ୍ତାବ ଦେଇଛନ୍ତି ବିଜେଡି ସାଂସଦ। ଓଡିଶା ସରକାର ବର୍ଷକୁ ଚାଷୀଙ୍କୁ ୧୦ ହଜାର ଟଙ୍କା ଦେଉଛନ୍ତି । ସେହିପରି କେନ୍ଦ୍ର ସରକାର ବାର୍ଷିକ ୬ ହଜାର ଟଙ୍କା ଚାଷୀଙ୍କୁ ଦେଉଛନ୍ତି। ତେଣୁ କେନ୍ଦ୍ର ଓ ରାଜ୍ୟ ଚାଷୀଙ୍କୁ ଦୁଇଟି ଅଲଗା ଅଲଗା ଯୋଜନାରେ ସହାୟତା ନଦେଇ ଏକା ସାଙ୍ଗରେ ଦେବାକୁ ପ୍ରସ୍ତାବ ଦେଇଥିଲେ। ରାଜ୍ୟରେ ଥିବା ଯୋଜନାକୁ କେନ୍ଦ୍ରସହ ମିଶାଇ ୭୦-୩୦ ଅନୁପାତରେ ଚାଷୀଙ୍କୁ ଦେବା ପାଇଁ ପ୍ରସ୍ତାବ ଦେଇଛନ୍ତିି ବିଜେଡି ସାଂସଦ। ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ତେଲେଙ୍ଗାନାରେ ଏଭଳି କରାଯାଉଥିବା ବେଳେ ଓଡିଶାରେ ଏମିତି କରିବାକୁ ପ୍ରସ୍ତାବ ଦିଆଯାଇଛି।

ସେପଟେ କାଳିଆକୁ କୋଳେଇ ନେବାକୁ ଅର୍ଥାତ ଯୋଜନାର ମିଶ୍ରଣ ପ୍ରସ୍ତାବ ପରେ ଶାସକ ଦଳ ଉପରେ ବର୍ଷିଛନ୍ତି ଉଭୟ କଂଗ୍ରେସ ଓ ବିଜେପି। ବିଜେପି କହିଛି ରାଜ୍ୟ ସରକାରଙ୍କ ପାଖରେ ଟଙ୍କା ନଥିଲା କେବଳ ଭୋଟ ପାଇଁ କାଳିଆ ଯୋଜନା କରିଥିଲେ। ନବୀନ ସରକାର ମୂଳରୁ ଜାଣିଥିଲେ କି ସେମାନେ କାଳିଆ ଯୋଜନାକୁ ଚଳାଇ ପାରିବେନି ବୋଲି। ଖାଲି ଭୋଟ ପାଇଁ ଯୋଜନା ପ୍ରଣୟନ କରିଥିଲେ। ତେବେ ରାଜ୍ୟର ଆର୍ଥିକ ବୋଝ କେନ୍ଦ୍ର ଉପରେ ଲଦିବାକୁ ନବୀନ ଚାହୁଁଛନ୍ତି। ରାଜ୍ୟ ସରକାର କଥାରେ ଅଧିକ କାମରେ କମ ବୋଲି କହି ସମାଲୋଚନା କରିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ।

କାଳିଆ ମିଶ୍ରଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ତୀର ମାରିଛନ୍ତି ତାରା । ନିର୍ବାଚନ ଜିତିବାକୁ ରାଜ୍ୟ ସରକାର କାଳିଆ ଯୋଜନା କରିଥିବା ବେଳେ ଯୋଜନା ପାଇଁ ଟଙ୍କା ନାହିଁ । ଆଉ ଏବେ ଉକ୍ତ ଯୋଜନା ପାଇଁ କେନ୍ଦ୍ର ପାଖରେ ପ୍ରସ୍ତାବ ଦେଉଛନ୍ତି କହି କଟାକ୍ଷ କରିଥିଲେ।

କେନ୍ଦ୍ର ସହ ରାଜ୍ୟ ଯୋଜନା ମିଶ୍ରଣରୁ ରାଜନୈତିକ ଗନ୍ଧ ବିରୋଧୀ ବାରି ଥିବା ବେଳେ ହଠାତ କଣ ପାଇଁ ରାଜ୍ୟ ସରକାର କେନ୍ଦ୍ର ସହ ଯୋଡି ହେଉଛନ୍ତି ତାହା ଏକ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି। କେନ୍ଦ୍ରର ବିଭିନ୍ନ ଯୋଜନାକୁ ଚାଲେଞ୍ଜ ଦେଇ ରାଜ୍ୟ ସରକାର ବହୁ ଜନହିତକର ଯୋଜନା କରୁଥିବା ବେଳେ ହଠାତ କଣ ପାଇଁ ହାତ ପାତିଲେ ? ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଠାରୁ କେନ୍ଦ୍ରର ଆୟୁଷ୍ମାନ ଯୋଜନାକୁ ଚାଲେଞ୍ଜ ଦେଇ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କରିଥିଲେ । ହେଲେ ଏବେ କାଳିଆ ପାଇଁ କେନ୍ଦ୍ର ଆଗରେ ପ୍ରସ୍ତାବ ରଖିବା ପରେ କାଳିଆ ପାଇଁ ଟଙ୍କା ନଥିବା ସନ୍ଦେହ ଘନୀଭୂତ ହୋଇଛି।

ତେବେ ଗତ କିଛି ଦିନ ଧରି କେନ୍ଦ୍ର-ରାଜ୍ୟ ମଧ୍ୟରେ ନିବିଡତା ବଢୁଥିବା କଥା ଯେଉଁ ଚର୍ଚ୍ଚା ହେଉଥିଲା, ହେଲେ ଆଜି ସାଂସଦଙ୍କ ‘କାଳିଆ ମିଶ୍ରଣ’ ପ୍ରସ୍ତାବ ସେ ଚର୍ଚ୍ଚାକୁ ଅଧିକ ଫର୍ଚ୍ଚା କରିଛି । କେନ୍ଦ୍ର-ରାଜ୍ୟ ଯୋଡି ହେଉଥିବାରୁ ଯୋଜନା ଯୋଡିବାକୁ ଚାହୁଁଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର