ବିଜେପୁର ଉପନିର୍ବାଚନ : ରୀତା ସାହୁ ବିଜେଡି ପ୍ରାର୍ଥୀ

ବିଜେପି ପ୍ରାର୍ଥୀ ଘୋଷଣା ଆଜି, ୩୦ରେ ୩ ଦଳର ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିବେ

ଭୁବ‌େନଶ୍ବର : ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ରୀତା ସାହୁଙ୍କୁ ପ୍ରାର୍ଥୀ କରିଛି। ଆଜି ଦଳର ସଭାପତି ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ନବୀନ ନିବାସରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ‘ମୋତେ ଆଶୀର୍ବାଦ ଦେଇଥିବାରୁ ବିଜେପୁରବାସୀଙ୍କ ନିକଟରେ ମୁଁ କୃତଜ୍ଞ। ଏହି ନିର୍ବାଚନମଣ୍ଡଳୀ ମୋର ଫୋକସ୍ ନିର୍ବାଚନମଣ୍ଡଳୀ ଭାବେ ସବୁବେଳେ ରହିବ। ଉପନିର୍ବାଚନରେ ରୀତା ସାହୁ ବିଜେଡି ପ୍ରାର୍ଥୀ ହେବେ।’

କଂଗ୍ରେସ ଏହାପୂର୍ବରୁ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ଆଜି ପ୍ରାର୍ଥୀ ଘୋଷଣା କଲା ପରେ ନଜର ଏବେ ବିଜେପି ଉପରେ। ଅଶୋକ ପାଣିଗ୍ରାହୀ ଓ ସନତ ଗଡ଼ତିଆଙ୍କ ନାମ ଚର୍ଚ୍ଚାର ଆଗରେ ରହିଛି। ଶ୍ରୀ ପାଣିଗ୍ରାହୀ ଗତ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିଲା ବେଳେ ଶ୍ରୀ ଗଡ଼ତିଆ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ।

ସମ୍ଭବତଃ ଆସନ୍ତାକାଲି ନୂଆଦିଲ୍ଲୀରୁ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ। ପ୍ରାର୍ଥିପତ୍ର ଦାଖଲର ଶେଷ ଦିବସ ଅର୍ଥାତ ସେପ୍ଟେମ୍ବର ୩୦ ତାରିଖରେ ତିନିଟି ଯାକ ଦଳର ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିବେ। ପଦ୍ମପୁରସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରାଯିବ।

୨୦୧୪ ମସିହାରେ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁ ବିଜେପୁରର ବିଜୟୀ ହୋଇଥିଲେ। ଦୀର୍ଘ ବର୍ଷ ଧରି ଏହା କଂଗ୍ରେସର ଗଡ଼ ରହିଥିଲା। ସୁବଳଙ୍କ ମୃତ୍ୟୁ ପ‌େର ୨୦୧୮ରେ ହୋଇଥିବା ଉପନିର୍ବାଚନରେ ତାଙ୍କ ପତ୍ନୀ ରୀତା ସାହୁ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ। ସେହି ଉପନିର୍ବାଚନରେ ଶ୍ରୀମତୀ ସାହୁ ବିଜୟୀ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପାରମ୍ପରିକ ଆସନ ହିଞ୍ଜିଳି ସହ ବିଜେପୁରରୁ ମଧ୍ୟ ପ୍ରାର୍ଥୀ ହୋଇଥିଲେ। ବିଜେପୁରରେ ବିଜେପି ପ୍ରା‌ର୍ଥୀ ସନତ ଗଡ଼ତିଆଙ୍କୁ ୫୦ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ। ତେବେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଆସନକୁ ରଖି ବିଜେପୁରରୁ ଇସ୍ତଫା ଦେଲା ପରେ ଏଠାରେ ଆସନ୍ତା ଅକ୍ଟୋବର ୨୧ ତାରିଖରେ ଉପନିର୍ବାଚନ ହେବାକୁ ଯାଉଛି। ବିଜେଡିରୁ ଟିକେଟ୍‌ ପାଇଁ ଏକାଧିକ ଦାବିଦାର ଆଗକୁ ଆସିଥିଲେ ବି ଦଳର ସଭାପତି ରୀତା ସାହୁଙ୍କ ଉପରେ ପୁନର୍ବାର ଆସ୍ଥା ସ୍ଥାପନ କରିଛନ୍ତି।

ରୀତା ସାହୁଙ୍କ ନାମ ଘୋଷଣା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ସେ କାଲି ଆମ ଘରର ବୋହୂ ଥିଲେ। ଆଜି ତାଙ୍କ ଘରକୁ ଯାଇଛନ୍ତି। ତେଣୁ ତାଙ୍କ ବିଷୟରେ କିଛି କହିବିନି। କିନ୍ତୁ ସବୁବେଳେ ଅନୁକମ୍ପା ଭୋଟ୍‌ ମିଳି ନ ଥାଏ। ବରଂ ତାହା ଏକ ନିର୍ଦ୍ଦିଷ୍ଟ ସମୟ ଭିତରେ ରହିଥାଏ। ନବୀନ ବାବୁ କେତେ ଦିନ ବିଜେପୁରବାସୀଙ୍କୁ ପ୍ରତାରିତ କରିବେ, ତାହା ଲୋକ ବିଚାର କରିବେ।

ସମ୍ବନ୍ଧିତ ଖବର