ବିଜେଡି ଦେଲାନି ମନ୍ତ୍ରୀପଦ, ବିଜେପି ଦେବ ବିରୋଧୀ ଦଳ ନେତା ପଦ, ଚର୍ଚ୍ଚାରେ ବିଷ୍ଣୁ ସେଠୀ

 

ଭଦ୍ରକ: ନିର୍ବାଚନ ପରେ ଭଦ୍ରକ ଜିଲ୍ଲା ଲଗାତର ଭାବେ ମନ୍ତ୍ରୀ ପଦ ପାଇ ଆସୁଥିଲା। ମାତ୍ର ଗତ ୨୦୧୯ ନିର୍ବାଚନରେ ଭଦ୍ରକ ଜିଲ୍ଲା ମନ୍ତ୍ରୀ ଶୂନ୍ୟ ହୋଇଗଲା। ଜିଲ୍ଲାରେ ମନ୍ତ୍ରୀ ପଦ ପାଇବା ପାଇଁ ହକ୍‌ଦାର ଥିବା  ଭଣ୍ଡାରିପୋଖରୀର ବରିଷ୍ଠ ବିଜେଡି ବିଧାୟକ ତଥା ପୂର୍ବତନମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ  ମନ୍ତ୍ରୀ ପଦ ମିଳି ନ ଥିବା ବେଳେ ଚାନ୍ଦବାଲି ନିର୍ବାଚନମଣ୍ଡଳୀର ଯୁବ ବିଧାୟକ  ତଥା ରାଜ୍ୟ  ଯୁବ ବିଜେଡି ସଭାପତି ବ୍ୟୋମକେଶ୍ ରାୟ ମଧ୍ୟ ମନ୍ତ୍ରୀ ପଦ ପାଇବାକୁ ହକଦାର ଥିଲେ। ଏଇ ଦୁଇ ନେତାଙ୍କୁ ଛାଡି ଦେଲେ ଭଦ୍ରକ  ସଦରର ଯୁବ ବିଧାୟକ ସଂଜୀବ ମଲ୍ଲିକଙ୍କୁ ମଧ୍ୟ ନବୀନଙ୍କ ଦ୍ବିତୀୟ ଦଫାର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବେଳେ  ମନ୍ତ୍ରୀ ପଦ ମିଳିବ ବୋଲି ଚର୍ଚ୍ଚା ଜୋର ଧରିଥିଲା।

ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ମଧ୍ୟ ଭଦ୍ରକ ଜିଲ୍ଲାକୁ ମନ୍ତ୍ରୀପଦ ଦେଲେନାହିଁ। ଭଦ୍ରକ ଜିଲ୍ଲାବାସୀ ପଞ୍ଚାୟତ ନିର୍ବାଚନ ଓ ‌େପୗର ନିର୍ବାଚନ ଠାରୁ ଆରମ୍ଭ କରି ସାଧାରଣ ନିର୍ବାଚନରେ ବିଜେଡିକୁ ବିପୁଳ ସମର୍ଥନ ଦେଇ ବିଜୟୀ କରାଇଥିଲେ ବି ଜିଲ୍ଲାକୁ ନବୀନ ବାବୁ ମନ୍ତ୍ରୀପଦ ନ ଦେବା ଜିଲ୍ଲାବାସୀଙ୍କୁ ହତାଶ କରିଛନ୍ତି। ଭଦ୍ରକ ଜିଲ୍ଲାର ବିଧାୟକମାନଙ୍କର ସେଭଳି ଦବ୍‌ଦବା ନଥିଲା ପରି ମନେ ହେଉଛି। ଭଦ୍ରକ ଜିଲ୍ଲାକୁ ସବୁକ୍ଷେତ୍ରରେ ବିଜେଡି ଅଣଦେଖା କରିଆସିଛି। ଭଦ୍ରକର ବିକାଶ ପାଇଁ ନବୀନ ସରକାରଙ୍କର ଆନ୍ତରିକତାର ଅଭାବ ରହିଥିବା ବେଳେ ଭଦ୍ରକର ବିଜେଡି ବିଧାୟକମାନଙ୍କୁ ‌କୌଣସି କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଉ ନଥିବା ‌ଏବେ ସବୁଠି ଚର୍ଚ୍ଚା ଚାଲିଛି। ନବୀନଙ୍କ ପଞ୍ଚମ ପାଳିର ପ୍ରଥମ ଓ ଦ୍ବିତୀୟ ଦଫାରେ ବିଜେଡି ଜିଲ୍ଲାକୁ ମନ୍ତ୍ରୀ ପଦ ଦେଇ ନଥିବା ବେଳେ ଜିଲ୍ଲାର ନେତାଙ୍କୁ ଗୁରୁତ୍ବ ଦେଉନଥିବା ସବୁଠି ଚାଲିଛି ଚର୍ଚ୍ଚା। ବିଜେଡି ମନ୍ତ୍ରୀ ପଦ ନ ଦେଇ ଭଦ୍ରକ ନେତା ଓ ଭଦ୍ରକ ଜିଲ୍ଲାକୁ ହତାଶ କରିଥିବା ‌ବେଳେ ଏବେ ବିଜେପି ଭଦ୍ରକ ଜିଲ୍ଲାକୁ ବିରୋଧୀ ଦଳର ନେତା ପଦ ଦେଇ ଏହାର ଫାଇଦା ନେବାକୁ ବସିଛି।

ବିଧାନସଭାର ବିରୋଧୀ ଦଳ ନେତା ବଦଳିବା ଘଟଣାକୁ ନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଛି। ବିଜେପିର ବରିଷ୍ଠନେତା ତଥା ଧାମନଗର ବିଧାୟକ ତଥା ଏବେର ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କୁ ବିଜେପି ବିରୋଧୀ ଦଳର ନେତା କରିବା ନେଇ ଚର୍ଚ୍ଚା ହେଉଛି। ବିଧାନସଭାର ବିରୋଧୀ ଦଳର ନେତା ଭାବେ ବିଷ୍ଣୁ ସେଠୀଙ୍କ ନାମକୁ ନେଇ ବିଜେପିର କିଛି ବରିଷ୍ଠ ନେତା ଦିଲ୍ଲୀ ନେତାଙ୍କ ଠାରେ ଉପସ୍ଥାପନ କରିଛନ୍ତି। ବିଷ୍ଣୁ ବିଜେପିର ଜଣେତୃଣମୂଳସ୍ତରର ନେତା।  ଛାତ୍ର ଓ ଯୁବ ରାଜନୀତିରୁ ସେ ବିଜେପି ସହିତ ରହିଛନ୍ତି। ଅତୀତରେ ବିଜେଡି ବିଜେପି  ମେଣ୍ଟରେ ବିଷ୍ଣୁ ଚାନ୍ଦବାଲିରୁ ବିଧାୟକ ଭାବେ ବିଜୟୀ ହୋଇଥିଲେ। ପରେ ସେ ଗତ ୨୦୧୯ ନିର୍ବାଚନରେ ଧାମନଗର ନିର୍ବାଚନମଣ୍ଡଳୀରୁ ବିଜେପିରୁ ବିଧାୟକ ହୋଇଥିଲେ। ଜିଲ୍ଲାରେ ସବୁ ବିଧାନସଭା ସହିତ ଲୋକସଭା ଆସନରୁ ବିଜେଡି ବିଜୟୀ ହୋଇଥିବା ବେଳେ ବିଜେଡିର ସବୁ ଦବ୍‌ଦବାକୁ ସାମ୍‌ନା କରି  ବିଷ୍ଣୁ  ଧାମନଗରରୁ ବିଧାୟକ ଭାବେ ବିଜୟୀ ହେବା ପରେ ରାଜ୍ୟ ରାଜନୀତିରେ ତାଙ୍କର ଏକ ସ୍ବତନ୍ତ୍ର ପତିଆରା ବୃଦ୍ଧି ପାଇଥିଲା।

ବିରୋଧୀ ଦଳର ନେତା  ପଦ ପାଇଁ ସେତେବେଳେ ମଧ୍ୟ  ବିଷ୍ଣୁଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିଲା। ମାତ୍ର ଦଳ ସେତେବେଳେ ପ୍ରଦୀପ୍ତ ନାୟକଙ୍କୁ ବିରୋଧୀ ଦଳର ନେତା କରାଇ ବିଷ୍ଣୁଙ୍କୁ ବିରୋଧୀ ଦଳର ଉପନେତା ପଦରେ ବସାଇଥିଲା। ଏବେ ବିଜେପି ବିରୋଧୀ ଦଳର ନେତା ପଦ ବଦଳାଇବାକୁ ଯାଉଥିବା ବେଳେ  ବିରୋଧୀ ଦଳର ନେତା ପଦ ପାଇଁ ସବୁ ମହଲରୁ ବିଷ୍ଣୁଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି।  ବିଜେପି ଦଳର କିଛି ବରିଷ୍ଠ ନେତା ମଧ୍ୟ ବିଷ୍ଣୁ ବିରୋଧୀ ଦଳର ନେତା ହୁଅନ୍ତୁ ବୋଲି  ଚାହୁଁଥିବା ଜଣାପଡିଛି। ତେବେ ଏ ସଂପର୍କରେ ବିଷ୍ଣୁ ସେଠୀଙ୍କ ମତାମତ ନେବାରୁ ସେ କହିଲେ, ମୁଁ ଦଳର ଜଣେ ଶୃଙ୍ଖଳିତ ସଭ୍ୟ। ଦଳରେ  ରହି ଦଳ ପାଇଁ ଓ ଲୋକଙ୍କ ପାଇଁ କାମ କରୁଛି। ଦଳ ଯେତେବେଳେ ଯାହା ନିର୍ଦ୍ଦେଶ ଦେବ ସେହି  ନିର୍ଦ୍ଦେଶ ମୁତାବକ ମୋତେ କାର୍ଯ୍ୟ କରିବାକୁ ପଡିବ।

ତେବେ ବିରୋଧୀ ଦଳର ନେତା ପଦ ପାଇଁ ତାଙ୍କ ନାମକୁ ନେଇ ଯେଉଁ ଚର୍ଚ୍ଚା ହେଉଛି ସେଥିରେ ସେ ନିଜର ପ୍ରତିକ୍ରିୟା ରଖି କହିଲେ, ପଦ ମୋତେ ମିଳୁ କି ନ ମିଳୁ ଦଳ ଆଉ କାହାକୁ ବିରୋଧୀ ଦଳର ନେତା କରୁ ସେଥିରେ ମୋ କିଛି ପ୍ରତିକ୍ରିୟା ନାହିଁ। ଯିଏ ବି ବିରୋଧୀ ଦଳର ନେତା ହେବେ, ଆମେ ତାଙ୍କୁ ସହଯୋଗ କରିବୁ ବୋଳି ପ୍ରତିକ୍ରିୟାରେ ସମ୍ବାଦକୁ କହିଛନ୍ତି।  ବିଜେଡି ମନ୍ତ୍ରୀ ପଦ ନେଇ ଭଦ୍ରକର ବିଜେଡି ନେତାଙ୍କୁ ହତାଶ କରିଥିବା ବେଳେ ବିଜେପି ଆଗାମୀ ଦିନରେ ବିଷ୍ଣୁଙ୍କୁ ବିରୋଧୀ ଦଳର ନେତା ପଦ ଦେବ ବୋଲିି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର