ବଦଳିଗଲା କି ବିଜେଡି-ବିଜେପି ସମୀକରଣ? କୃଷି ବିଲ୍‌କୁ ରାଜ୍ୟସଭାରେ ବିଜେଡିର ବିରୋଧ

ସିଲେକ୍ଟ କମିଟିକୁ ପଠାଇବାକୁ ପ୍ରସ୍ତାବ ଦେଲା
ସିବିଆଇ ଏବେ ଟପ୍‌ ଗିଅରକୁ ଆସିବ, ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବ: ବିଜେପି
ନାଟକ ଚଳାଇଛନ୍ତି ବିଜେଡି-ବିଜେପି: ନିରଞ୍ଜନ

ଭୁବନେଶ୍ୱର/ନୂଆଦିଲ୍ଲୀ : ଆଜି ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଦୁଇଟି କୃଷି ସଂକ୍ରାନ୍ତ ବିଲ୍‌ ବାଚନିକ ଭୋଟରେ ପାରିତ ହୋଇଥିଲେ ହେଁ ଏହାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ଏଇଥିପାଇଁ ଯେ ବିଲ୍‌କୁ ଆଜି ରାଜ୍ୟସଭାରେ ବିଜେଡି କଡ଼ା ବିରୋଧ କରିଥିଲା। କୃଷି ଉତ୍ପାଦନ ବେପାର ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସରଳୀକରଣ) ବିଧେୟକ, ୨୦୦୦ ଏବଂ କୃଷକ (ସଶକ୍ତୀକରଣ ଓ ସୁରକ୍ଷା) ରାଜିନାମା ଓ କୃଷି ସେବା ବିଧେୟକ ୨୦୦୦ ଆଲୋଚନା ବେଳେ ବିଜେଡି ଦାବି କରିଥିଲା ଯେ ଏହା ସିଲେକ୍ଟ କମିଟିକୁ ଯିବା ଦରକାର। ବିଜେଡି ସାଂସଦ ଅମର ପଟ୍ଟନାୟକ ଦାବି କରିଥିଲେ ଯେ ଦୁଇଟି ବିଲ୍‌ରେ ବହୁମାତ୍ରାରେ ଭଲ କଥା ରହିଛି। ହେଲେ ପରିଚାଳନାଗତ ଦିଗକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ଏପଟେ ବିଜେଡିର ଏଭଳି ଭୂମିକାକୁ ନେଇ ଉଭୟ ବିଜେପି ଏବଂ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସାଂସଦ ସୁରେଶ ପୂଜାରୀ ଗଣମାଧ୍ୟମକୁ କହିଛନ୍ତି ଯେ ସିବିଆଇ ରେଡ୍ ହେଲା ବୋଲି ବିଜେଡି ଏଭଳି ଭୂମିକା ଗ୍ରହଣ କରିଛି। କେବଳ ସେତିକି ନୁହେଁ, ରାଜ୍ୟ ବିଜେପି ନେତାମାନେ ରାଜ୍ୟ ସରକାରଙ୍କୁ ଚାଷୀ ବିରୋଧୀ ବୋଲି ମଧ୍ୟ କହିଛନ୍ତି। ସେପଟେ ପିସିସି ସଭାପତି ବିଜେଡି-ବିଜେପି ଏହି ନାଟକବାଜି ପାଇଁ ରାଜ୍ୟବାସୀଙ୍କୁ ଜବାବ ଦିଅନ୍ତୁ ବୋଲି ଦାବି କରିଛନ୍ତି।

ଆଜି ସଂସଦରେ ବିଜେଡି ପକ୍ଷରୁ ସମସ୍ତ ସାଂସଦଙ୍କୁ ଗୃହରେ ଉପସ୍ଥିତ ରହିବା ପାଇଁ ହ୍ବିପ୍ ଜାରି କରାଯାଇଥିଲା। ଏଣୁ ଦଳର ୯ଜଣ ଯାକ ସାଂସଦ ଗୃହରେ ଉପସ୍ଥିତ ଥିଲେ। ବିଜେଡି ପୂର୍ବରୁ ଏହି ବିଲ୍‌କୁ ଲୋକସଭାରେ ଷ୍ଟାଣ୍ଡିଂ କମିଟିକୁ ପଠାଇବାକୁ ଦାବି କରିଥିଲା। ହେଲେ ଆଜି ଦଳ ସିଲେକ୍ଟ କମିଟିକୁ ପଠାଇବା ଲାଗି ପ୍ରସ୍ତାବ ରଖିଥିଲା ଗୃହରେ। ସାଂସଦ ଶ୍ରୀ ପଟ୍ଟନାୟକ ବିଜେଡି ପକ୍ଷରୁ ଆଲୋଚନାରେ ଭାଗ ନେଇ କହିଥିଲେ ଯେ ବିଲ୍‌ରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଣଦେଖା କରାଯାଇଛି। ସେହିଭଳି ଭାଗଚାଷୀଙ୍କ ସ୍ବାର୍ଥର ସୁରକ୍ଷା ମଧ୍ୟ ପରାହତ ହୋଇଛି। ବିଲ୍‌ରେ ଯେଉଁ ବ୍ୟବସ୍ଥା ରହିଛି, ତା ଦ୍ବାରା କୃଷକଙ୍କୁ ଆଶାନୁରୂପକ ଲାଭ ମିଳିପାରିବ ନାହିଁ ଏବଂ ଚାଷୀର ମୂଲଚାଲ କ୍ଷମତା ଉଭେଇଯାଇପାରେ। ଏହି ଦୁଇଟି ବିଲ୍‌ କେବଳ ବଡ଼ ବଡ଼ ବ୍ୟବସାୟୀଙ୍କ ପାଇଁ ଉଦ୍ଦିଷ୍ଟ କି ବୋଲି ସାଂସଦ ପ୍ରଶ୍ନ କରିଥିଲେ। ସେ ଆହୁରି କହିଥିଲେ ଯେ ଭାରତର କୃଷିକୁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବିନା ଚିନ୍ତା କରାଯାଇପାରିବ ନାହିଁ। ଦେଶର ୬୩ ପ୍ରତିଶତ ଚାଷୀ ଏହି ବର୍ଗର। ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା, କାଳିଆ ଓ ବଳରାମ ଯୋଜନା ସଂପର୍କରେ ସେ ଏହି ଅବସରରେ ଗୃହକୁ ଅବହତ କରି କହିଥିଲେ ଯେ ଏହି ବିଲ୍ ଯୋଗୁଁ ଏମ୍‌ଏସ୍‌ପି ବ୍ୟବସ୍ଥାର ଉଚ୍ଛେଦ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ବିଜେପି ସାଂସଦ ସୁରେଶ ପୂଜାରୀ ବିଜେଡିର ଭୂମିକା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆଜି ସେ ଗଣମାଧ୍ୟମକୁ କହିଛନ୍ତି ଯେ କୃଷି ବିଲ୍ ୨୦୨୦ ବାବଦରେ ବିଜେଡିର ଅଧ୍ୟୟନ କମ ଅଛି। ସ୍ବାଧୀନତାର ୭୨ବର୍ଷ ପରେ ଗୋଟିଏ ଦେଶ ଓ ଗୋଟିଏ ବଜାର ବ୍ୟବସ୍ଥା କରାଗଲା। ଏଯାଏ ଚାଷୀକୁ ଏମ୍‌ଏସ୍‌ପି ହାରରେ ମୂଲ୍ୟ ଦିଆଯାଇପାରିଲା ନାହିଁ। ରବି କି ଖରିଫ୍ ସମୟରେ ବିଭିନ୍ନ ଆଳ ଦେଖାଇ କଟ୍‌ନି ଛଟ୍‌ନି କରାଇବା, ୫ଶହରୁ ୭ଶହ ଟଙ୍କା କମ୍ ଦରରେ ଧାନ ବିକ୍ରି ବ୍ୟବସ୍ଥାରେ ପୂର୍ଣ୍ଣଛେଦ ପଡିବାକୁ ଯାଉଛି। ଆଜି ଦିନରେ ଓଡ଼ିଶାରେ ମଣ୍ଡି ରାଜନୈତିକ ବ୍ୟକ୍ତିବିଶେଷ ହିଁ ଚଳାଉଛନ୍ତି। ସରକାରୀ ଅଧିକାରୀ ଓ ରାଜନେତାଙ୍କ ମଧ୍ୟସ୍ଥତା କାରଣରୁ ଓ ଦୂରଦୃଷ୍ଟି କାରଣରୁ ଚାଷୀମାନେ ତାଙ୍କର ମୂଲ୍ୟ ପାଉନଥିଲେ। ବିଜେଡି ଦଳର ଔପଚାରିକ ବିବୃତି ଆସିଲା ଯେ କେନ୍ଦ୍ର ସରକାର ଆମ ଉପରେ ଚାପ ସୃଷ୍ଟି କରୁଛନ୍ତି ରାଜ୍ୟସଭାରେ ଆମର ସମର୍ଥନ ନେବା ପାଇଁ। ଏବେ ତ ପ୍ରମାଣିତ ହୋଇଗଲା ଯେ ବିଜେଡି ଲୋକସଭାରେ ବା ରାଜ୍ୟସଭାରେ ସମର୍ଥନ କରୁ କି ନ କରୁ ସିବିଆଇ ତା ବାଟରେ ଯିବ। ବିଜେଡି ସମର୍ଥନ କରୁ କି ନ କରୁ ବିଜେପି ନେତୃତ୍ବାଧୀନ ସରକାର ଚାଷୀଙ୍କ ଉନ୍ନତି ପାଇଁ ଯାହା କରିବା କଥା କରିବ। ଏବେ ବିଜେଡି ବିରୋଧରେ ଆମର ଅଭିଯୋଗ ହେଲା ଯେ ସେମାନେ ଚାପ କୌଶଳ ଆରମ୍ଭ କରିଛନ୍ତି। ଭଲ ବିଲ୍‌କୁ ବିରୋଧ କଲେ, କାଳେ ସିବିଆଇ ତଦନ୍ତରୁ ସେମାନେ ବର୍ତିଯିବେ। ହେଲେ ସିବିଆଇ ତଦନ୍ତରୁ ସେମାନେ ବର୍ତିବାର ନାହିଁ। ଚିଟ୍‌ଫଣ୍ଡ କେଳେଙ୍କାରୀ ସହିତ ସିସୋର ସହିତ ବିଜେଡିର ଯେଉଁ ସଂପର୍କ ରହିଛି, ତାର ତଦନ୍ତ ବି ନିଷ୍ଠାର ସହିତ ସିବିଆଇ କରିବ। ସିବିଆଇ ଏବେ ଟପ୍‌ ଗିଅରକୁ ଆସିବ ଓ ଚିଟ୍‌ଫଣ୍ଡରେ ଯେଉଁମାନେ ଲିପ୍ତ ଅଛନ୍ତି, ସେମାନଙ୍କ ପାଖରେ ଅବଶ୍ୟ ପହଞ୍ଚିବ।

ରାଜ୍ୟ ବିଜେପି ପକ୍ଷରୁ ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଓଡିଶା ଚାଷୀ ଆତ୍ମହତ୍ୟାରେ ରେକର୍ଡ କରିଛି। ରାଜ୍ୟରେ ସରକାରୀ ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ ମାନଙ୍କୁ ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ପ୍ରାକୃତିକ ଦୁର୍ବିପାକ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗୁଛି। ଏହା ସତ୍ତ୍ବେ ଓଡିଶାର ଶାସକ ଦଳ ଚାଷୀଙ୍କୁ ଅଧିକ ମୂଲ୍ୟ ମିଳିବା ପାଇଁ ଉଦ୍ଦିଷ୍ଟ କୃଷି ସଂସ୍କାରକୁ ବିରୋଧ କରୁଛି। ଶ୍ରୀ ହରିଚନ୍ଦନ କହିଛନ୍ତି, ମୋଦୀ ସରକାରଙ୍କ କୃଷି ନୀତି କାରଣରୁ କୁଚିଣ୍ଡା କିମ୍ବା କୋରାପୁଟର ଚାଷୀ ଦେଶର ଯେକୌଣସି ବଜାରରେ ଲଙ୍କା ଏବଂ ଅଦା ବିକ୍ରି କରିବାକୁ ସାମର୍ଥ୍ୟ ହେବ। କନ୍ଧମାଳର ଜଣେ ଚାଷୀ ଆମେରିକା ବଜାରରେ ହଳଦୀ ବିକିବାକୁ ମଧ୍ୟ ସକ୍ଷମ ହୋଇପାରିବ। ଏହାବ୍ୟତୀତ ଏହି ନୀତି କାରଣରୁ ଓଡିଶାର ଅଧିକାଂଶ ଅଞ୍ଚଳର ଚାଷୀମାନେ ମଧ୍ୟ ଲାଭ ପାଇବେ। ମାତ୍ର ଏହି ବିଲ୍‌କୁ ବିରୋଧ କରି ରାଜ୍ୟ ସରକାର କଣ କହିବାକୁ ଚାହୁଁଛନ୍ତି ତାହା ସ୍ପଷ୍ଟ କରନ୍ତୁ। ଏହି ପରିବର୍ତ୍ତନଶୀଳ ବିଲ୍‌କୁ ବିରୋଧ କରି ରାଜ୍ୟ ସରକାର ଚାଷୀ ବିରୋଧୀ ବୋଲି ପ୍ରମାଣିତ କରିଛନ୍ତି। ବିଶେଷ ଭାବରେ ଚାଷୀଙ୍କ ମଧ୍ୟରେ ମଧ୍ୟସ୍ଥିଙ୍କ ଉପସ୍ଥିତି କାରଣରୁ ରାଜ୍ୟରେ ଚାଷୀମାନେ ଉଚିତ୍ ମୂଲ୍ୟ ପାଇନାହାନ୍ତି ଏବଂ ରାଜ୍ୟରେ ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଉଛି। ମାତ୍ର ଏହି ବିଲ୍‌କୁ ବିରୋଧ କରି ରାଜ୍ୟ ସରକାର ମଧ୍ୟସ୍ଥି ଓ ଦଲାଲ ମାନଙ୍କ ପ୍ରତି ନିଜ ଆନୁଗତ୍ୟର ନିଦର୍ଶନ ଦେଇଛନ୍ତି। ଏହି ବିଲ୍‌କୁ ବିରୋଧ କରି ରାଜ୍ୟ ସରକାର କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କ ସ୍ୱାର୍ଥ ବିରୋଧୀ କାମ କରିନାହାନ୍ତି କି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏହି ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କୃଷି ବିଲ୍ ଚାଷୀଙ୍କ ଉପକାରରେ ଆସିବ କି ନାହିଁ, ସେ ନେଇ ଅଧିକ ଆଲୋଚନା ଓ ବିଚାରର ଆବଶ୍ୟକତା ରହିଛି। ଆମେ ବିଜେଡି-ବିଜେପିର ନାଟକ କଥା କିଛି ବୁଝିପାରୁନାହୁଁ। ସେ ଓଡ଼ିଶା ଲୋକଙ୍କୁ ଏତେ ନିର୍ବୋଧ ବୋଲି କାହିଁକି ଭାବୁଛନ୍ତି? ଲୋକସଭାରେ ବିଜେଡି ଏହି ବିଲ୍‌କୁ ସମର୍ଥନ କଲେ। କିନ୍ତୁ ରାଜ୍ୟସଭାରେ ଆଜି ଏହାକୁ ବିରୋଧ କରିଛନ୍ତି। ଏହା କି ପ୍ରକାର ରାଜନୀତି ଓ ଏହା କି ପ୍ରକାର ନାଟକ? ଏଭଳି ଅଭିନୟ କରି ସେମାନେ ଓଡ଼ିଶାବାସୀଙ୍କୁ କାହିଁକି ପ୍ରତାରିତ କରୁଛନ୍ତି? ଉଭୟ ଲୋକଙ୍କୁ ତାଙ୍କର ଆଭିମୁଖ୍ୟ ପ୍ରଥମେ ସ୍ପଷ୍ଟ କରିବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର