ବିମାନବନ୍ଦର ଘରୋଇକରଣକୁ ବିରୋଧ କଲା ବିଜେଡି

ରାଜ୍ୟବାସୀଙ୍କୁ ଡବଲ୍ ଇଂଜିନ୍ ସରକାରର ପ୍ରଥମ ଭେଟି: ଦାସବର୍ମା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ଘରୋଇକରଣକୁ ବିରୋଧ କରିଛି ବିଜେଡି। ଦଳର ମୁଖପାତ୍ର ତଥା ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଦାସବର୍ମା କହିଛନ୍ତି, ବିମାନବନ୍ଦରର ଘରୋଇକରଣ ଖବର ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ଦ୍ୱିତୀୟ ପର୍ଯ୍ୟାୟରେ ଘରୋଇକରଣ ହେବାକୁ ଥିବା ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ଦେଶର ଶ୍ରେଷ୍ଠ ୨୦ ଲାଭଦାୟକ ବିମାନବନ୍ଦର ମଧ୍ୟରେ ଅନ୍ୟତମ। ଘରୋଇକରଣ ପରେ ବିମାନ ଭଡ଼ା ବଢ଼ିବା ସ୍ୱାଭାବିକ।

ଲାଭରେ ଚାଲୁଥିବା ଏକ ବିମାନବନ୍ଦରର ପରିଚାଳନା ଭାର ଘରୋଇ ସଂସ୍ଥା ହାତକୁ ଟେକି ଦିଆଯିବା କେତେଦୂର ଯୁକ୍ତିସଂଗତ ତଥା ଏହାଦ୍ୱାରା ରାଜ୍ୟର କି ସ୍ୱାର୍ଥ ସାଧିତ ହେବ, ତାହା ବାସ୍ତବିକ ଚିନ୍ତାର ବିଷୟ। ଓଡ଼ିଶାର ଜନସାଧାରଣ ନୂଆ ସରକାରଙ୍କ ଉପରେ ଖୁବ୍ ଆସ୍ଥା ପ୍ରକଟ କରିବା ପରେ ଏକ ଲାଭଦାୟକ ବିମାନବନ୍ଦରକୁ ପିପିପି ମୋଡ୍‌ରେ ଚଳାଇବା ଅର୍ଥାତ୍ ପରୋକ୍ଷରେ ଏହାକୁ ଘରୋଇ କମ୍ପାନିକୁ ବିକିଦେବା ନିଷ୍ପତ୍ତି ରାଜ୍ୟବାସୀଙ୍କୁ ଡବଲ୍ ଇଂଜିନ୍ ସରକାରର ପ୍ରଥମ ଭେଟି ବୋଲି ଶ୍ରୀ ଦାସବର୍ମା କହିଛନ୍ତି।

ସୂଚନାଯୋଗ୍ୟ ଯେ ଅହମ୍ମଦାବାଦ, ଲକ୍ଷ୍ନୌ, ମାଙ୍ଗାଲୋର, ଜୟପୁର, ଗୌହାଟୀ ଓ ତିରୁଅନନ୍ତପୁରମ୍ ଆଦି ୬ଟି ବିମାନବନ୍ଦରର ଘରୋଇକରଣ ସରିଛି। ଆଦାନୀ ଗ୍ରୁପ୍ ୬ଟି ଯାକ ବିମାନବନ୍ଦର ପରିଚାଳନା କରୁଛି। ଏବେ ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର, ଇନ୍ଦୋର, ବାରାଣସୀ, ଅମୃତସର, ରାୟପୁର ଓ ତିରୁଚିରାପାଲୀ ସହରରେ ଥିବା ବିମାନବନ୍ଦର ଘରୋଇକରଣମୁହାଁ। କୁହାଯାଉଛି ଯେ, ନିର୍ବାଚନ ପୂର୍ବରୁ ମୋଦୀ ସରକାର ଏନେଇ ନିଷ୍ପତ୍ତି ନେଇଥିଲେ। ଖୁବ୍‌ଶୀଘ୍ର ସେହି ନିଷ୍ପତ୍ତିରେ କେନ୍ଦ୍ର କ୍ୟାବିନେଟ ମୋହର ବାଜିବ।

ସମ୍ବନ୍ଧିତ ଖବର