ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ୱାକଫ୍‌ ବୋର୍ଡରେ ପ୍ରସ୍ତାବିତ ପରିବର୍ତ୍ତନକୁ ବିରୋଧ କରିଛି ବିଜେଡି। ଆଜି ଦଳର ସଂଖ୍ୟାଲଘୁ ଶାଖା ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏହି ଅବସରରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ସ୍ମାରକପତ୍ରରେ ଦର୍ଶାଯାଇଛି, ୱାକଫ୍‌ ବିଲ୍‌ ମାଧ୍ୟମରେ ପ୍ରସ୍ତାବିତ ପରିବର୍ତ୍ତନଗୁଡ଼ିକ କେନ୍ଦ୍ର ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ଏକତରଫା ଭାବେ ନିଆଯାଇଛି। ଏଥିରେ କୌଣସି ପକ୍ଷର ମତାମତ ନିଆଯାଇ ନାହିଁ। ସର୍ଭେ କରାଯାଇଥିବା ସମସ୍ତ ୱାକଫ୍‌ ସମ୍ପତ୍ତି ୱାକଫ୍‌ ବୋର୍ଡର ସମ୍ପତ୍ତି ଭାବେ ରହିବା ନିହାତି ଆବଶ୍ୟକ।

Advertisment

ଏହାର ସ୍ଥିତି ଉପରେ କୌଣସି ପରିବର୍ତ୍ତନ ଗ୍ରହଣୀୟ ନୁହେଁ। ପ୍ରସ୍ତାବିତ ୱାକଫ୍‌ ବିଲ୍‌ରେ ଜିଲ୍ଲାପାଳମାନଙ୍କୁ ଅଧିକାର ଦିଆଯାଇଛି ଯେ ସେମାନେ ସ୍ଥିର କରିବେ ସମ୍ପତ୍ତିର ମାଲିକାନା କାହାର, ଯାହା କି ଗ୍ରହଣୀୟ ନୁହେଁ। ସେହି ୱାକଫ୍‌ ବୋର୍ଡଗୁଡ଼ିକୁ ପରିବର୍ତ୍ତନ କରାଯାଇ ସେଥିରେ ଅଣମୁସ୍‌ଲିମମାନଙ୍କୁ ମଧ୍ୟ ସ୍ଥାନ ଦିଆଯିବ ବୋଲି ରଖାଯାଇଥିବା ପ୍ରସ୍ତାବକୁ ବିଜେଡି ବିରୋଧ କରିଛି। ୱାକଫ୍‌ ବିଲ୍‌ ମାଧ୍ୟମରେ ପ୍ରସ୍ତାବିତ ପରିବର୍ତ୍ତନ ଭାରତର ମୁସଲମାନ ସମ୍ପ୍ରଦାୟର ସାମ୍ୱିଧାନିକ ଅଧିକାର ଉପରେ କୁଠାରଘାତ ସଦୃଶ। ରାଷ୍ଟ୍ରପତି ଏଥିରେ ହସ୍ତକ୍ଷେପ କରିବା ସହ ଏହି ବିବାଦୀୟ ବିଲ୍‌କୁ ଫେରସ୍ତ ନେବାକୁ ବିଜେଡି ସଂଖ୍ୟାଲଘୁ ଶାଖା ଦାବି କରିଛି। ସାଂସଦ ମୁନ୍ନା ଖାନ୍‌ଙ୍କ ନେତୃ୍ତ୍ବରେ ଆୟୋଜିତ ଏହି ଗଣଧାରଣାରେ ଏମ୍‌ ଡି ମୋବିନ୍, ଏସ୍‌କେ ସିରା, ଏମ୍‌ ଡି ଦିଲ୍‌ସାଦ, ଏସ୍‌ କେ ଅହମ୍ମଦ ଅଲ୍ଲୀ, ଏସ୍‌ କେ ଫୈୟାଜ୍, ଏସ୍‌ କେ ଅବଦୁଲ୍ଲା, ଏମ୍‌ ଡି ଫାରୁକ୍‌, ଏମ୍‌ ଡି ରଫିକ୍ ପ୍ରମୁଖ ସାମିଲ ହୋଇଥିଲେ।BJD opposes proposed changes in Waqf Bill