ନଦୀ ସଂଯୋଗୀକାରଣ ବିଲ୍‌କୁ ବିଜେଡିର ବିରୋଧ: ପ୍ରସ୍ତାବିତ ବିଲ୍‌ ଓଡ଼ିଶାର ସ୍ୱାର୍ଥ ବିରୋଧୀ

ଭୁବନେଶ୍ୱର : ଦେଶର ପ୍ରମୁଖ ନଦୀଗୁଡ଼ିକର ସଂଯୋଗୀକରଣ ପାଇଁ କେନ୍ଦ୍ର ସରକାର ଯେଉଁ ବିଲ୍‌ ସଂସଦରେ ଗୃହୀତ କରିବା ଲାଗି ଉଦ୍ୟମ କରୁଛନ୍ତି, ତାହାକୁ ବିଜୁ ଜନତା ଦଳ ପକ୍ଷରୁ ବିରୋଧ କରାଯାଇଛି । ବିଧାନସଭାରେ ଶୂନ୍ୟ କାଳ ସମୟରେ ଏହି ପ୍ରସଙ୍ଗ ଉତ୍‌ଥାପନ କରି ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଲେ ଯେ, ଏହି ପ୍ରସ୍ତାବିତ ବିଲ୍‌ ଓଡ଼ିଶାର ସ୍ୱାର୍ଥ ବିରୋଧୀ ।

ଏହି ବିଲ୍‌ରେ ବ୍ୟବସ୍ଥା ରହିଛି ଯେ, ନଦୀଗୁଡ଼ିକ କେନ୍ଦ୍ରୀୟ ଜଳ ଆୟୋଗର ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିବେ । ତା’ଦ୍ୱାରା ରାଜ୍ୟଗୁଡ଼ିକ ନଦୀର ପାଣି ଉପରେ ସେମାନଙ୍କର ଅଧିକାର ହରାଇବେ । ନଦୀ ଉପରେ ନିର୍ଭରଶୀଳ ସଂପୃକ୍ତ ରାଜ୍ୟର ଜନ ସାଧାରଣଙ୍କର ଜୀବିକା ବ୍ୟାହତ ହେବ । ନଦୀ ସଂଯୋଗୀକରଣ ଦ୍ୱାରା ସଂପୃକ୍ତ ରାଜ୍ୟର ଭୂତଳ ଜଳ ସ୍ତର ହ୍ରାସ ପାଇବ । ନଦୀରେ ଜଳ ପରିବହନ ବ୍ୟବସ୍ଥା ମଧ୍ୟ ବ୍ୟାହତ ହେବ ବୋଲି ଶ୍ରୀ ମିଶ୍ର ଯୁକ୍ତି ଦର୍ଶାଇଥିଲେ ।

ନଦୀ କିପରି ବଞ୍ଚିବ ସେଥିପାଇଁ ପ୍ରସ୍ତାବିତ ବିଲ୍‌ରେ କୌଣସି ବ୍ୟବସ୍ଥା ନାହିଁ । ରାଜ୍ୟରେ ଜଳ ସଂକଟ ବେଶୀ ହେଲାଣିି । ଏହି ପ୍ରସ୍ତାବିତ ବିଲ୍‌ କାର୍ଯ୍ୟକାରୀ ହେଲେ ଜଳ ସଂକଟ ଆହୁରି ଗୁରୁତର ହେବ ବୋଲି ବିଜେଡ଼ି ନେତା ଆଶଙ୍କା ପ୍ରକାଶ କରିଛନ୍ତି । ନଦୀ ସଂଯୋଗୀକରଣ ଦ୍ୱାରା ତାହାର ପ୍ରଭାବ ଓଡ଼ିଶା ଉପରେ କିପରି ପଡ଼ିବ ସେ ସଂପର୍କରେ ବିଶେଷଜ୍ଞଙ୍କ ମତ ରାଜ୍ୟବାସୀ ଜାଣିବା ଉଚିତ । ଏହି ବିଷୟ ବିଧାନସଭାରେ ସବିସ୍ତାରେ ଆଲୋଚନା ହେବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ । ବରିଷ୍ଠ ବିଜେଡ଼ି ବିଧାୟକ ଅମର ପ୍ରସାଦ ଶତପଥୀ ମଧ୍ୟ ଏହି ଦାବିକୁ ସମର୍ଥନ କରିଥିଲେ ।

ସମ୍ବନ୍ଧିତ ଖବର