ମାଲକାନଗିରି ଓ ମାଥିଲିରେ ବିଜେଡି ସାଂଗଠାନିକ ସଂପାଦକଙ୍କ ବୈଠକ

ମାଲକାନଗିରି: ବିଜେଡିର ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମାଲକାନଗିରିରେ ପହଞ୍ଚି ଏକ ଗୁୁରତ୍ବପୂର୍ଣ୍ଣ ବୈଠକରେ ଯୋଗ ଦେଇଛନ୍ତି। ସ୍ଥାନୀୟ ଲାଠିଆଗୁଡ଼ାରେ ବିଜେଡି କାର୍ଯ୍ୟାଳୟରେ ବିଧାୟକ ପ୍ରାର୍ଥୀ ମାନସ ମାଡକାମୀଙ୍କ ସମେତ ସମସ୍ତ ବରିଷ୍ଠ ନେତା ଓ କର୍ମୀଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ କରିଥିଲେ।କିପରି ବିଜେଡି ମାଲକାନଗିରି ବିଧାନସଭା ଆସନକୁ ହାତେଇବ ସେନେଇ ରଣକୌଶଳ କରିଥିଲେ। ସମସ୍ତ କର୍ମୀଙ୍କୁ ନେଇ ଯେପରି ଲଢେଇ କରିବ ସେନେଇ ପରାମର୍ଶ ଦେଇଥିଲେ।

ଏହି ଅବସରରେ ବିଭିନ୍ନ ଦଳର ବହୁ କର୍ମୀ ବିଜେଡିରେ ସାମିଲ ହୋଇଥିଲେ। ଗତ ନିର୍ବାଚନରେ ବିଜେପି ଏହି ନିର୍ବାଚନ ମଣ୍ଡଳୀରେ ବିପୁଳ ସଂଖ୍ୟାରେ ବିଜୟ ଲାଭ କରିଥିବାରୁ ଏଥର ଯେପରି ବିଜେଡି ହାତେଇବ ସେନେଇ ଗୁରୁମନ୍ତ୍ର ଦେଇଥିଲେ। ବିଜେଡିରେ ଗୋଷ୍ଠୀ ବିବାଦ ରହିଥିଲେ ତୁରନ୍ତ ସମାଧାନ କରି ଏକତ୍ର ହୋଇ ଲଢେଇ କରିବାକୁ କହିଥିଲେ। ସେହିପରି ମାଥିଲି ଠାରେ ମଧ୍ୟ ଚିତ୍ରକୋଣ୍ଡା ବିଧାୟକ ପ୍ରାର୍ଥିନୀ ଲକ୍ଷ୍ମୀପ୍ରିୟା ନାୟକ ସମେତ ଏହି ନିର୍ବାଚନ ମଣ୍ଡଳୀର ନେତା ଓ କର୍ମୀଙ୍କୁ ନେଇ ମିଳିମିଶି ଯେପରି ଲଢିବେ ସେନେଇ ପରାମର୍ଶ ଦେଇଥିଲେ।ସମସ୍ତ ବିରୋଧୀ କର୍ମୀକୁ ଏକତ୍ର କରିବାକୁ ନିର୍ଦେଶ ଦେଇଥିଲେ।

ପ୍ରକାଶ ଥାଉକି ଲକ୍ଷ୍ମୀପ୍ରିୟାକୁ ବିରୋଧ କରି ବହୁ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସରପଞ୍ଚ, ସମିତି ସଭ୍ୟମାନେ ବିଜେପି ମୁହାଁ ହୋଇଥିଲେ। ତେଣୁ ଏହାର କିଛି ପ୍ରଭାବ ପଡ଼ିବ କି ବୋଲି ପ୍ରଶ୍ନ କରିଥିଲେ। ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି କର୍ମୀମାନେ ସଫା ସଫା କହିଥିଲେ। ଅତି ତରବରିଆ ଭାବେ ଆସି ବୈଠକ କରି ଶ୍ରୀ ଦାସ ସମସ୍ତଙ୍କୁ ମନ୍ତ୍ର ଫୁଙ୍କି ଚାଲିଯାଇଥିଲେ। ମାଲକାନଗିରି ଏବଂ ଚିତ୍ରକୋଣ୍ଡା ଦୁଇଟି ଯାକ ଆସନ ଏଥର ବିଜେଡି ହାତରେ ରହିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏହା କେତେ ସଫଳ ହେବ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର