ଭଦ୍ରକ: ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡିର ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ( ବବି) ଭଦ୍ରକ ଜିଲ୍ଲାର ଆରଡି ଗ୍ରସ୍ତରେ ଆସିଥିଲେ। ଆରଡିର ପ୍ରସିଦ୍ଧ ଶୈବ ପୀଠ ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରିବା ସହ ଏହି ପୀଠର ବିକାଶ କରିବା ପାଇଁ ସେ ଘୋଷଣା କରିଥିଲେ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବ୍ଲୁପ୍ରିଣ୍ଟ ସଂପର୍କରେ ଉପସ୍ଥିତ ଜିଲ୍ଲାର ନେତୃମଣ୍ଡଳୀ ଓ ଆରଡି ମନ୍ଦିରର ସେବାୟତଙ୍କ ସହ ଆଲୋଚନା କରିଥିଲେ। ପ୍ରାୟ ୫୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ପ୍ରାଥମିକ ପର୍ଯ୍ୟାୟରେ ଖର୍ଚ୍ଚ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଏଇ ପୀଠର ବିକାଶ ପାଇଁ ଯାହା ଟଙ୍କା ଖର୍ଚ୍ଚ ହେବ ରାଜ୍ୟ ସରକାର ତାହା କରିବେ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ। ବିଜେଡିର ସାଂଗଠନିକ ସଂପାଦକ ଶ୍ରୀ ଦାସଙ୍କର ଏଇ ଅଚାନକ ଆରଡି ଗ୍ରସ୍ତକୁ ଭଦ୍ରକ ବିଜେଡି ରାଜନୀତିରେ ଏକ ଝଡ ସୃଷ୍ଟି ହୋଇଛ। ବହୁ ଦିନର ନୀରବତା ପରେ ହଠାତ୍ ବବିଙ୍କ ତୋଫାନି ଗ୍ରସ୍ତକୁ ନେଇ ଭଦ୍ରକ ରାଜନୈତିକ ପାଣିପାଗ ଚଳ ଚଞ୍ଚଳ ହୋଇଯାଇଥିଲା। ବବିଙ୍କର ଆରଡି ଗ୍ରସ୍ତ ଚାନ୍ଦବାଲି ବିଧାୟକ ବ୍ୟେମକେଶ ରାୟ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳଙ୍କ ସମେତ ଜିଲ୍ଲାର କିଛି ଛାମୁଆ ନେତୃମଣ୍ଡଳୀ ସେଠାରେ ଉପସ୍ଥିତ ରହିଥିଲେ।
ସେତୁ ପ୍ରସଙ୍ଗର ବିଫଳତାକୁ ନେଇ ତେଜୁଛି ବିରୋଧୀଙ୍କ ରାଜନୀତି
ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠର ବିକାଶ ହେବ। ଏଥିପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ଏହା ସ୍ବାଗତ ଯୋଗ୍ୟ ପଦକ୍ଷେପ। ମାତ୍ର ଭଦ୍ରକର ଏଇ ପ୍ରସିଦ୍ଧଶୈବ ପୀଠକୁ ସ୍ଥଳ ପଥରେ ଯିବା ପାଇଁ ଗମନା ଗମନର ସୁବିଧା ପାଇଁ ବ୍ୟବସ୍ଥା କରାଯିବା ପ୍ରସଙ୍ଗରେ ଆମ ନିର୍ବାଚିତ ଲୋକ ପ୍ରତିନିଧିମାନେ ସ୍ବର ଉଠାଇଲେ ନାହିଁ। ଚାନ୍ଦବାଲି ବ୍ଲକ ଏବେ ମଧ୍ୟ ଏକ ବିଚ୍ଛିନ୍ନାଞ୍ଚଳ ଭାବେ ରହିଛି। ଗୋଟିଏ ପଟେ ଧାମରା ମନ୍ତେଇ ନଦୀ ପାଇଁ ବିଚ୍ଛିନ୍ନ ହୋଇ ରହିଥିବା ବେଳେ ଅନ୍ୟ ପଟରେ ଆରଡିର ସାଳନ୍ଦୀ ଓ ବୈତରଣୀ ନଦୀ ପାଇଁ ବିଚ୍ଛିନ୍ନ ହୋଇ ରହିଛି। ଆରଡିର ତିନିତର ଘାଟ ରେ ସେତୁ ନିର୍ମାଣ ପାଇଁ ୧୫ ଥର ଟେଣ୍ଡର ପରେ ମଧ୍ୟ ସେତୁ ନିର୍ମାଣ କାମ ଆଗକୁ ଆଗେଇ ପାରିଲା ନାହିଁ। ଏଇ ସେତୁ ପ୍ରସଙ୍ଗରେ ବିଜେଡିର ସାଂଗଠନିକ ସଂପାଦକ ଶ୍ରୀ ଦାସ ପାଟି ଖୋଲିଲେ ନାହିଁ। ବିଧାୟକ ବ୍ୟେମକେଶ ରାୟ ମଧ୍ୟ ଏଇ ପ୍ରସଙ୍ଗରେ ମଧ୍ୟ ସ୍ବର ଉଠାଇଲେ ନାହିଁ। ତିନିତର ସେତୁ ଆରଡି ପୀଠର ବିକାଶର ମୁଖ୍ୟ ବାଧକ ହୋଇଥିବା ବେଳେ ଏଥି ପ୍ରତି ରାଜ୍ୟ ସରକାର ଦୃଷ୍ଟି ନଦେବା ପରିତାପର ବିଷୟ ହୋଇଛି।
କେବଳ ଆରଡି ପୀଠର ବିକାଶ କରିଦେଲେ ହେବ ନାହିଁ। ଏ ପୀଠକୁ କିଭଳି ଅନ୍ୟ ଜିଲ୍ଲାରୁ ପର୍ଯ୍ୟଟକ ଓ ଭକ୍ତମାନେ ସୁଗମ ସଡକ ପଥରେ ଆସି ପରିବେ ସେ ଦିଗ ପ୍ରତି ବିଚାର କରିବାର ଅଛି। ମାତ୍ର ତିନିତର ସେତୁ ପ୍ରସଙ୍ଗକୁ ନେଇ ସେଦିନ ଶ୍ରୀ ଦାସଙ୍କ ସମ୍ମୁଖରେ ଚାନ୍ଦବାଲି ବିଧାୟକ ଡ. ରାୟ କିମ୍ବା ଭଦ୍ରକ ସାଂସଦ ଶ୍ରୀମତୀ ମଣ୍ଡଳ ପଦୁଟିଏ ନକହିବା ଘଟଣା ଆରଡିବାସୀଙ୍କୁ ବ୍ୟଥିତ କରିଛି। କେବଳ ସେତିକି ନୁହେଁ। ଅଧାରୁ କାମ ହୋଇ ଅଟକି ରହିଥିବା ବାଂଶଡା ଘାଟର ମନ୍ତେଇ ନଦୀର ସେତୁ କେବେ ପୂର୍ଣ୍ଣାଙ୍ଗ ହେବ । ସେ ପ୍ରସଙ୍ଗରେ ମଧ୍ୟ କେହି କିଛି କହିଲେ ନାହିଁ। ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଏଇ ଦୁଇ ସେତୁ ପ୍ରସଙ୍ଗ ନେଇ ଅତୀତରେ ବହୁବାର ଆନ୍ଦୋଳନ ଧାରଣା, ଧର୍ମଘଟ ହୋଇଛି। ମାତ୍ର ରାଜ୍ୟ ସରକାର ଏଇ ଦୁଇ ପ୍ରମୁଖ ପ୍ରସଙ୍ଗ ପୂରଣ କରିବା ଦିଗରେ ଏବ ମଧ୍ୟ ବିଫଳ ହୋଇ ରହିଛନ୍ତି। ବିଜେଡି ସରକାରଙ୍କର ଏଇ ବିଫଳତାକୁ ନେଇ ବିରୋଧୀ ଏହାକୁ ରାଜନୈତିକ ପ୍ରସଙ୍ଗ କରୁଛି। ଭଦ୍ରକ ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ ଭାବେ ରହୁଥିବା ଆରଡିରୁ ଚାନ୍ଦବାଲି ଓ ଚାନ୍ଦବାଲିରୁ ଧାମରା ଲୋକଙ୍କ ପାଇଁ ସଡକ ପଥର ଗମନା ଗମନ ସୁବିଧା ହୋଇ ପରି ନାହିଁ। ବର୍ଷ ବର୍ଷ ଧରି ଏଇ ନଦୀ ଘାଟରେ ବିପଦ ପୂର୍ଣ୍ଣ ଭାବେ ଡଙ୍ଗାରେ ଯାତାଯାତ କରୁଛନ୍ତି ଲୋକେ। କେତେ ବେଳେ ଡଙ୍ଗା ବୁଡିର ଭୟ ତ ଆଉ କେତେ ବେଳେ କୁମ୍ଭୀର ଟାଣି ନେବାର ଭୟ ଲୋକଙ୍କୁ ଏବେ ମଧ୍ୟ ଭୟଭୀତ କରି ରଖୁଛି।
ନିର୍ବାଚନ ପରେ ନିର୍ବାଚନ ଆସିଛି। ଲୋକେ ବାରଂବାର ନେତାଙ୍କ କଥାରେ ଭୋଟ ଦେଇଛନ୍ତି। ନେତା ବିଜୟୀ ହୋଇ ଶାସନ କ୍ଷମତାରେ ବସିଛି। ମାତ୍ର ଯେଉଁ ନେତା ଏଇ ଲୋକଙ୍କ ଭୋଟ ହାତେଇ କ୍ଷମତା ଗାଦିରେ ବସୁଛନ୍ତି। ସେଇ ନେତା କେବେ ଥରେ ଚିନ୍ତା କରିଛନ୍ତି କି , ଯେଉଁ ଲୋକମାନେ ଏତେ ଭରସା ଓ ବିଶ୍ବାସ କରି ଭୋଟ ଦେଲେ। ସେଇ ଅଞ୍ଚବାସୀଙ୍କ ପାଇଁ ଦୁଇଟି ସେତୁ ନିର୍ମାଣ କରିବାର ଯୋଗ୍ୟତା କଣ ଆମର ନାହିଁ। ଏଭଳି ପ୍ରଶ୍ନ ଏବେ ବିରୋଧୀ ଉଠାଉଛି। ବିଜେଡି ସାଂଗଠନିକ ସଂପାଦକଙ୍କର ଆରଡି ଗ୍ରସ୍ତକୁ ସ୍ଥାନୀୟ ଲୋକେ ସ୍ବାଗତ କରିଥିବା ବେଳେ ସେତୁ ନିର୍ମାଣ ପ୍ରସଙ୍ଗରେ ପ୍ରଣବ କିଛି ନକହିବା ଘଟଣାକୁ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଜନ ସାଧାରଣ ସହଜରେ ଗ୍ରହଣ କରି ନାହାନ୍ତି।