ଭୁବନେଶ୍ବର : ଜାନୁଆରି ୩୧ରୁ ସଂସଦ ଅଧିବେଶନ ଆରମ୍ଭ ହେବ। ହେଲେ ଏଥର ବିଜେଡି ସାଂସଦଙ୍କ ଆଭିମୁଖ୍ୟ ଭିନ୍ନ ରହିବ। ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ ବିଜେଡି ସାଂସଦମାନେ କେନ୍ଦ୍ର ସରକାରଙ୍କୁ ଘେରିବେ ବୋଲି ଶନିବାର ଦିନ ନବୀନ ନିବାସରେ ବସିଥିବା ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି ହୋଇଛି।
ବୈଠକ ପରେ ସାଂସଦ ପିନାକୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ, ମହିଳା ସଂରକ୍ଷଣ ବିଲ୍ ପାସ୍ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବା ସହ ଅନୁରୋଧ କଲେଣି। ହେଲେ ଏହାକୁ କାର୍ଯ୍ୟକାରୀ କରାଯାଉନି। ତେଣୁ ଏହି ବିଲ୍ ପାସ୍ କରିବାକୁ ଆମେ କେନ୍ଦ୍ରୀୟ ନେତାଙ୍କୁ ଭେଟିବା ସହ ସଂସଦରେ ଏହି ପ୍ରସଙ୍ଗ ଉଠାଇବୁ। ସେହିପରି ଓଡ଼ିଶାରେ ବିଜେପି ଅପପ୍ରଚାର କରୁଛି। ତାକୁ ଚେକ୍ ଦେଇ ପ୍ରକୃତ ସତକୁ ସଂସଦରେ ଉପସ୍ଥାପନ କରିବା ସହ ଲୋକଙ୍କ ସମ୍ମୁଖକୁ ଆଣିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଏହାବ୍ୟତୀତ ଓଡ଼ିଶାର ବିଜେପି ସାଂସଦଙ୍କ ରାଜନୀତି ଯୋଗୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବେଆଇନ ଭାବେ ଓଡ଼ିଶାର ପ୍ରାୟ ୪ଲକ୍ଷ ଘର କାଟିଦିଆଯାଇଛି। ଏହି ପ୍ରସଙ୍ଗ ବି ଉଠିବ। ତାମିଲନାଡୁ ସମେତ ଅନ୍ୟ କିଛି ରାଜ୍ୟ ପାଇଁ କେନ୍ଦ୍ର ସରକାର ଏସ୍ଟି ତାଲିକା ପ୍ରସ୍ତୁତ କରିଥିବାବେଳେ ଓଡ଼ିଶା ପାଇଁ ଏହି ତାଲିକା ଆସିନି। ଓଡ଼ିଶାର ଏସ୍ଟି ଭାଇଭଉଣୀଙ୍କୁ ସେମାନଙ୍କ ହକ୍ ଦେବା ପାଇଁ ଦିଲ୍ଲୀରେ ଦାବି ଉପସ୍ଥାପନ କରିବୁ। ଆୟୁଷ୍ମାନ ଯୋଜନା କାହିଁକି ଓଡ଼ିଶାରେ ଲାଗୁ ହେଉନି ବୋଲି ବିରୋଧୀ ପ୍ରଶ୍ନ କରୁଛନ୍ତି? ହେଲେ ବିଏସ୍କେୱାଇ କିପରି ଆୟୁଷ୍ମାନ ଯୋଜନା ଠାରୁ ଭଲ ଏବଂ ଏହା ମଧ୍ୟରେ ଥିବା ପାର୍ଥକ୍ୟକୁ ଦିଲ୍ଲୀରେ ବୁଝାଇବୁ।
ନବୀନ ନିବାସରେ ଆଜି ବସିଥିବା ବୈଠକରେ ବିଜେଡିର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/m9-2.jpg)