ବିଜେଡିରେ ସାଂଗଠନିକ ସ୍ତରରେ ନିଯୁକ୍ତି

ବିଜୟ, ପ୍ରମୋଦ ଓ ସାରଦା ସାଧାରଣ ସମ୍ପାଦକ, ଅମରେଶଙ୍କୁ କେନ୍ଦ୍ରାପଡ଼ା ସହ-ପର୍ଯ୍ୟବେକ୍ଷକ ଦାୟିତ୍ବ, ପୂର୍ବତନ ଦେବଗଡ଼ ବିଧାୟକ ସଞ୍ଜୀବ ପ୍ରଧାନଙ୍କ ନିଲମ୍ବନ ପ୍ରତ୍ୟାହାର

ଭୁବନେଶ୍ବର : ବିଜେଡିର ସାଂଗଠନିକ ସ୍ତରରେ ନିଯୁକ୍ତି ଧାରାରେ ଆଜି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଭୁବନେଶ୍ବର-ମଧ୍ୟ ନିର୍ବାଚନ ମଣ୍ଡଳୀର ବିଧାୟକ ବିଜୟ ମହାନ୍ତିଙ୍କୁ ଦଳର ସାଧାରଣ ସମ୍ପାଦକ ସହିତ ଭୁବନେଶ୍ବର ସାଂଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇଛନ୍ତି। ସେହିପରି ପ୍ରମୋଦ କିଶୋର ଜେନା, ସାରଦା ପ୍ରସନ୍ନ ଜେନାଙ୍କୁ ମଧ୍ୟ ସାଧାରଣ ସମ୍ପାଦକ ଦାୟିତ୍ବ ଦେଇଛନ୍ତି। ଦେବୀ ପ୍ରସାଦ ଭୂତିଆ, ହର୍ଷବର୍ଦ୍ଧନ ସିଂହଦେଓ, ଶଶୀ କୁମାର ସାହୁଙ୍କୁ ବିଜେଡି ରାଜ୍ୟ ସମ୍ପାଦକ ଦାୟିତ୍ବ ମିଳିଛି। ଦେବଗଡ଼ର ପୂର୍ବତନ ବିଧାୟକ ସଞ୍ଜୀବ ପ୍ରଧାନଙ୍କ ନିଲମ୍ବନ ଆଦେଶକୁ ସଭାପତି ପ୍ରତ୍ୟାହାର କରିଛନ୍ତି।

ସେହିପରି ଦୁର୍ଗା ପ୍ରସାଦ ସାମନ୍ତରାୟଙ୍କୁ ରାଜ୍ୟ ସମ୍ପାଦକ ସହିତ ଭୁବନେଶ୍ବର-ଉତ୍ତର ନିର୍ବାଚନ ମଣ୍ଡଳୀର ସହ-ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି। ରାଜ୍ୟ ସମ୍ପାଦକ ଥିବା ସୁଧୀର କୁମାର ଦାସଙ୍କୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ବାଲେଶ୍ବର ଜିଲ୍ଲା ସହ-ପର୍ଯ୍ୟବେକ୍ଷକ ଭାବେ ସୁଶୀଲ ରାୟଙ୍କୁ ନିଯୁକ୍ତି ମିଳିଥିବା ବେଳେ ବାଲେଶ୍ବର ଜିଲ୍ଲା ବିଜୁ-ଜନତା ଦଳର ଉପ-ସଭାପତି ଭାବେ ଭୂବନାନନ୍ଦ ଦାସ, ଗିରିଶ ଚନ୍ଦ୍ର ଦାସ, ଜିଲ୍ଲା ସମ୍ପାଦକ ଭାବେ ମନୋଜ କୁମାର ରାଉତ, ଆଶିଷ ଘୋଷ ଏବଂ ଅରୁଣ ଚାଟାର୍ଜୀଙ୍କୁ ଦଳ ସଭାପତି ନିଯୁକ୍ତି ଦେଇଛନ୍ତି। ବିଜୁ ଯୁବ ଜନତା ଦଳ ରାଜ୍ୟ ଉପ-ସଭାପତି ଭାବେ କଟକର ମିହିର ରଞ୍ଜନ ପରିଡ଼ା ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ବିଜୁ ଯୁବ ଜନତା ଦଳ କାର୍ଯ୍ୟକାରୀ ସଭାପତି ଭାବେ ଲୋହିତ କୁମାର ମହାନ୍ତିଙ୍କୁ ନିଯୁକ୍ତ କରାଯାଇଛି। ଅନ୍ୟପଟେ ବିଜୁ ଯୁବ ଜନତା ଦଳ ସଭାପତି ଅମରେଶ ପତ୍ରୀଙ୍କୁ କେନ୍ଦ୍ରାପଡ଼ା ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଥିବା ଏକ ପ୍ରେସ୍ ଇସ୍ତାହାରରେ ସାଧରଣ ସମ୍ପାଦକ ବିଜୟ ନାୟକ ଜଣାଇଛନ୍ତି।

ସମ୍ବନ୍ଧିତ ଖବର