ବ୍ରହ୍ମପୁର : ୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ଶାସକ ବିଜେଡିରେ ଗୋଷ୍ଠୀକନ୍ଦଳ ଦଳର ମୁଣ୍ଡିଆଳଙ୍କ ପାଇଁ ସେତିକି ମୁଣ୍ଡବ୍ୟଥା ବଢ଼ାଇବାରେ ଲାଗିଛି। ଗଞ୍ଜାମ ଜିଲ୍ଲାର ରାଜନୈତିକ ତୀର୍ଥକ୍ଷେତ୍ର ବ୍ରହ୍ମପୁର ନିର୍ବାଚନମଣ୍ଡଳୀରେ ବି ଏହାର ଛିଟା ପଡ଼ିଛି। ବ୍ରହ୍ମପୁର ନିର୍ବାଚନମଣ୍ଡଳୀରେ ବିଜେଡିରେ ଗୋଷ୍ଠୀ କନ୍ଦଳ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ବଢ଼ି ଚାଲିଥିବା ଗୋଷ୍ଠୀକନ୍ଦଳର ତ୍ବରିତ ସମାଧାନ ନ‌ହେଲେ ‘ନେଡ଼ି ଗୋଡ଼ କହୁଣିକୁ ଚାଲିଯିବ ବୋଲି ରାଜନୈତିକ ତଥ୍ୟାଭିଜ୍ଞ ମହଲରେ ଆଲୋଚନା ଆରମ୍ଭ ହୋଇଯାଇଛି। ଏକଦା ସହରରେ ଦଳର ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଥିବା ମହାନଗର ବିଜେଡିର ଉପସଭାପତି କେ.ଅନିଲ କୁମାରଙ୍କୁ ନେଇ ଏହି ବିବାଦ ମୁଣ୍ଡ ଟେକିଛି।

Advertisment

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳନ ପାଇଁ ଗତ ଶନିବାର ବ୍ରହ୍ମପୁର ସହରର ଅଯୋଧ୍ୟାନଗର ସ୍ଥିତ କଲ୍ୟାଣମଣ୍ଡପରେ ବ୍ରହ୍ମପୁର ମହାନଗର ବିଜେଡିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ.ଗୋପବନ୍ଧୁ ଦାସ, ଜିଲ୍ଲା ବିଜେଡି ସଭାପତି ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇଙ୍କ ସମେତ ମହାନଗର ବିଜେଡିର ବହୁ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ। ବୈଠକରେ କେ. ଅନିଲ କୁମାର ଅନୁପସ୍ଥିତ ଥିବ‌ା ବେଳେ ତାଙ୍କ ଭୂମିକାକୁ ନେଇ ସରଗରମ ଆଲୋଚନା ହୋଇଥିଲା।
ଏକଦା ବ୍ରହ୍ମପୁର ସହରରେ ଅନିଲ କୁମାର ଥିଲେ ବିଜେଡିର ‘ପାୱାରଫୁଲ୍‌ ନେତା। ତାଙ୍କ ଭଉଣୀ କେ.ମାଧବୀ ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ବ୍ରହ୍ମପୁର ମହାନଗର ନିଗମର ମେୟର ଥିଲେ, ପରନ୍ତୁ କ୍ଷମତା ନିୟନ୍ତ୍ରଣର ଚାବିକାଠ ରହିଥିଲା ଅନିଲଙ୍କ ହାତରେ। ତତ୍କାଳୀନ ବିଧାୟକ ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ସହ ଉଭୟଙ୍କ ସମ୍ପର୍କ ନିବିଡ଼। ତେବେ ଗତ ନିର୍ବାଚନରେ ଡା.ଚ୍ୟାଉପଟ୍ଟନାୟକଙ୍କୁ ଦଳ ଟିକଟ ନଦେଇ ବିକ୍ରମ କୁମାର ପଣ୍ଡାକୁ ଟିକଟ ଦେବା ସହ ସେ ନିର୍ବାଚିତ ହୋଇଥିଲେ। ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ହେଲା ପରେ ଅନିଲଙ୍କ ସହ ଯୋଗାଯୋଗରେ ରହିଥିବା ନେଇ ଏବେ ଆଲୋଚନା ଜୋର୍ ଧରିଛି । ଗୋପାଳପୁର ବିଧାନସଭା କ୍ଷେତ୍ରରେ ବିଧାୟକଙ୍କ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନରେ ଅନିଲ କୁଆଡ଼େ ପ୍ରମୁଖ ଭୂମିକା ନେଉଛନ୍ତି ଏବଂ ବିଧାୟକ ପ୍ରଦୀପଙ୍କ ପାଖେ ପାଖେ ରହୁଥିବା ଦେଖିବାକୁ ମିଳୁଛି ବୋଲି ଶାସକଦଳର କିଛି କର୍ପୋରେଟର ଏହି ବୈଠକରେ ଖୋଲାଖୋଲି ଅଭିଯୋଗ ଆଣିଥିଲେ।

ଅନିଲଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ଜିଲ୍ଲା ସଭାପତି ଡା.ଚ୍ୟାଉପଟ୍ଟନାୟକଙ୍କୁ ପ୍ରଶ୍ନ କରିଥିଲେ। ଅଭିଯୋଗକୁ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଡ. ଗୋପବନ୍ଧୁ ଦାସ ହସ୍ତକ୍ଷେପ କରିବା ସହ ଏନେଇ ମୁଖ୍ୟମନ୍ତ୍ରୀ ଏବଂ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଅବଗତ କରାଯିବ ବୋଲି କହିଥିଲେ। ଜିଲ୍ଲା ସଭାପତି ଡା. ଚ୍ୟାଉପଟ୍ଟନାୟକଙ୍କ ସହ ଯୋଗା‌ଯୋଗ କରାଯିବାରେ ପୂର୍ବରୁ ଯେଉଁମାନେ ଦଳବିରୋଧୀ କାର୍ଯ୍ୟ କରିଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବର୍ତ୍ତମାନ ଯେଉଁମାନେ ଦଳ ବିରୋଧୀ ନେଇ ଅଭିଯୋଗ ଆଣୁଛନ୍ତି ସେମାନେ ଦଳ ବିରୋଧୀଙ୍କ କାର୍ଯ୍ୟକଳାପ ନେଇ ଲିଖିତ ଅଭିଯୋଗ ଦେଲେ ତାହା ଉପରେ ଦଳ ଆଲୋଚନା କରିବ ବୋଲି ସେ ସମ୍ବାଦକୁ କହିଛନ୍ତି। ବୈଠକରେ କିଏ ଦଳ ବିରୋଧୀ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ଉଠିଥିଲା ବୋଲି ପ୍ରଶ୍ନ କରିବାରେ କିଏ ସେ ଦଳ ବିରୋଧୀ ତାହାର ନାମ ମୁଁ ଜାଣିନାହିଁ କି ମୋତେ କିଏ କହିଲେ ମୁଁ ତାହା ଶୁଣିପାରିଲି ନାହିଁ ବୋଲି କହିଛନ୍ତି। ତେବେ ଏହି ଘଟଣାକୁ ନେଇ ସହରରେ ରାଜନୈତିକ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏହି ଖବରକୁ ନେଇ ଭାଇରାଲ୍‌ ହେଉଥିବା ଦେଖିବାକୁ ମିଳିଛି।