ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ବିଜେଡିକୁ କଣ୍ଟା ବିଜେଡି

କୁରୁଳା ପରେ ଧବଳପୁର ପଞ୍ଚାୟତରେ କନ୍ଦଳ ଜଳଜଳ

ଶେରଗଡ଼ : ଆସନ୍ତାବର୍ଷ ପଞ୍ଚାୟତ ନିର୍ବାଚନ। ହେଲେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଅଧୀନ ଶେରଗଡ଼ ବ୍ଲକ୍‌ ବିଭିନ୍ନ ପଞ୍ଚାୟତରେ ଏବେ ବିଜେଡି ପାଇଁ ବିଜେଡି କଣ୍ଟା ସାଜି ଛିଡ଼ା ହୋଇଛି। ଅର୍ଦ୍ଧାଧିକ ପଞ୍ଚାୟତରେ ଗୋଷ୍ଠୀ କନ୍ଦଳ ଜଳଜଳ ହୋଇ ଦିଶିଲାଣି। କେଉଁଠି ଅନାସ୍ଥା ପ୍ରସ୍ତାବ ପାଇଁ ସ୍ବରୋତ୍ତୋଳନ ତ, ଆଉ କେଉଁଠି ଜନପ୍ରତିନିଧି ଅଦାଲତର କାଠଗଡ଼ାରେ ଛିଡ଼ା ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସମାଧାନ ପାଇଁ ବହୁବାର ଉଦ୍ୟମ ହେଉଥିଲେ ବି କିଛି ସୁଫଳ ମିଳୁନି। ଫଳରେ ଆସନ୍ତାବର୍ଷ ପଞ୍ଚାୟତ ନିର୍ବାଚନକୁ ଏହା ନିଶ୍ଚିତ ଭାବେ ପ୍ରଭାବିତ କରିବ ବୋଲି କିଛି ରାଜନୈତିକ ସମୀକ୍ଷକ ପୂର୍ବ ଆକଳନ କରିଛନ୍ତି। ଏହାର ଫାଇଦା ବିଜେପି ଓ କଂଗ୍ରେସ ‌ନେଇପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି।

ଗତ କିଛି ମାସ ହେଲା କୁରୁଳା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ବୈଠକ ନିମନ୍ତେ ତାରିଖ ଧାର୍ଯ୍ୟ ହେବା, ବାରମ୍ବାର ବୈଠକ ବାତିଲ୍ ହେବା ଓ ମାମଲା ହାଇକୋର୍ଟ ପର୍ଯ୍ୟନ୍ତ ଯିବା ଆଦି ଆଲୋଚନାର ପ୍ରସଙ୍ଗ ହୋଇ ଛିଡ଼ା ହୋଇଛି। ଏଭଳି ଏକ ଘଡ଼ିସନ୍ଧି ସମୟରେ ଧବଳପୁର ପଞ୍ଚାୟତରେ ଅନାସ୍ଥା ରାଜନୀତିକୁ ନେଇ ତର୍କବିତର୍କ ମୁଣ୍ଡ ଟେକିଛି। ସରପଞ୍ଚଙ୍କ ସପକ୍ଷ ଓ ବିପକ୍ଷ ଗୋଷ୍ଠୀ ଭିତରେ ଆରମ୍ଭ ହୋଇଯାଇଛି ଶୀତଳ ଯୁଦ୍ଧ। ଅନାସ୍ଥା ପାଇଁ ବିପକ୍ଷ ଗୋଷ୍ଠୀ ପ୍ରଶାସନର ଦ୍ବାରସ୍ଥ ହୋଇଥିବା ବେଳେ ସପକ୍ଷ ଗୋଷ୍ଠୀ ଢାଲ ସାଜି ସରପଞ୍ଚଙ୍କୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡ଼ିଲେଣି। ଆଉ କାର୍ଯ୍ୟକାଳ ଶେଷ ହେବାକୁ ବ‌ର୍ଷେ ବି ନଥିବା ବେଳେ ଅନାସ୍ଥା ବୈଠକକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୨୦୧୭ ନିର୍ବାଚନରେ ଧବଳପୁର ପଞ୍ଚାୟତ ସମିତିସଭ୍ୟ ଅପ୍ରତିଦ୍ବନ୍ଦ୍ବୀ ଭାବେ ନିର୍ବାଚିତ ହୋଇଥିଲେ। ଆଉ ସରପଞ୍ଚ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ହରାଇ ଅଣବିଜେଡି ଭାବେ ବିଜୟୀ ହୋଇଥିଲେ। କିନ୍ତୁ ନିର୍ବାଚନ ପରେ ସରପଞ୍ଚ ବିଜେଡି ସହ ହାତ ମିଶାଇଥିଲେ। ତେବେ ସରପଞ୍ଚ ଓ ସମିତିସଭ୍ୟ ଦୁଇ ଗୋଷ୍ଠୀର ହୋଇଥିବା ଯୋଗୁଁ ଏଠି ୪ ବର୍ଷ ହେଲା ବିବାଦ ମୁଣ୍ଡ ଟେକିଛି। ଯାହାର ପ୍ରଭାବ ଉନ୍ନୟନମୂଳକ କାର୍ଯ୍ୟ ଉପରେ ପଡ଼ିଛି। ସମସ୍ତ ବିକାଶମୂଳକ କାମ ଏକରକମ ଠପ୍ ହୋଇ ପଡ଼ି ରହିଛି। ଆଉ ଯାହା ବି କାମ ହେଉଛି, ଉଭୟ ଗୋଷ୍ଠୀ ପରସ୍ପର ବିରୋଧରେ ଅନିୟମିତତା ଅଭିଯୋଗ ଆଣିବା ଓ ଆରୋପପ୍ରତ୍ୟାରୋପରେ ବ୍ୟସ୍ତ ରହିଛନ୍ତି। ଏପରିକି ଦୁଇଗୋଷ୍ଠୀଙ୍କୁ ବୁଝାଇବାକୁ ଦଳୀୟସ୍ତରରେ ଜୋରଦାର ଉଦ୍ୟମ ଏବଂ ବୈଠକ ବସିଥିଲେ ବି କୌଣସି ସୁଫଳ ମିଳିନି। ଫଳରେ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପାଇଁ ବିରୋଧୀ ୱାର୍ଡ଼ସଭ୍ୟସଭ୍ୟା ମାନେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛି। ଏହି ପ୍ରସ୍ତାବ ବର୍ତ୍ତମାନ ପ୍ରଶାସନ ନିକଟରେ ବିଚାରାଧୀନ ଅଛି।

ଅନ୍ୟପକ୍ଷରେ କୁରୁଳା ପଞ୍ଚାୟତରେ ବି ସମାନ ସ୍ଥିତି। ଭଞ୍ଜନଗର ଉପଜିଲ୍ଲାପାଳ କୁରୁଳା ପଞ୍ଚାୟତରେ ଅନାସ୍ଥା ବୈଠକ ନିମନ୍ତେ ତାରିଖ ଧାର୍ଯ୍ୟ କରି ନୋଟିସ୍ ଦେଇଥିଲେ। ପରେ କରୋନା କଟକଣାକୁ ଦୃଷ୍ଟିରେ ରଖି ଏହାକୁ ବାତିଲ୍ କରାଯାଇଥିଲା। ତେବେ ଉପଜିଲ୍ଲାପାଳଙ୍କ ନିଷ୍ପତ୍ତି ବିରୋଧରେ ପ୍ରତିପକ୍ଷ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଯାହାକି ବିଚାରାଧୀନ ଅଛି। ଏଭଳି ପରିସ୍ଥିତିରେ ପୁଣି ଧବଳପୁର ପଞ୍ଚାୟତରେ ଅନାସ୍ଥା ପ୍ରସ୍ତାବକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ତେବେ ଦଳୀୟ କନ୍ଦଳରେ ପୂର୍ଣ୍ଣଛେଦ ଟାଣିବାକୁ ହାଇକମାଣ୍ଡ୍ ଆଗକୁ କିଭଳି ରଣକୌଶଳ ପ୍ରସ୍ତୁତ କରିବେ ତାହା ସମୟ କହିବ। ସେହିପରି ପିତଳ ସରପଞ୍ଚ, ତହଁର ସରପଞ୍ଚ ଓ ଶେରଗଡ଼ ସମିତିସଭ୍ୟ ପଦରେ ବି ଟଣାଓଟରା ଭଳି ପରିସ୍ଥିତି ଲାଗି ରହିଛି।

ସମ୍ବନ୍ଧିତ ଖବର