‘ବିଜେଡି କାହାର ପୈତୃକ ସମ୍ପତ୍ତି ନୁହେଁ, ଜନବିରୋଧୀ କାର୍ଯ୍ୟକୁ ବରଦାସ୍ତ କରାଯିବନି’: ପ୍ରଦୀପ ବିରୋଧୀ ଗୋଷ୍ଠୀଙ୍କ ବୟାନ

ଗୋଳନ୍ଥରା: ‘ବିଜେଡି ଦଳ କାହାର‌ ପୈତୃକ ସମ୍ପତ୍ତି ନୁହେଁ। ନବୀନ କହିଲେ ବିଜେଡି, ବିଜେଡି କହ‌ିଲେ ନବୀନ। ଦଳରେ ଜନବିରୋଧୀ କାର୍ଯ୍ୟକଳାପ ଓ ଦୁର୍ନୀତିକୁ ଆଦୌ ପ୍ରଶୟ ଦିଆଯିବନି କି ବରଦାସ୍ତ କରାଯିବନି। ଏଠାରେ ଏକଚାଟିଆ ନୀତି ଚାଲିବନି। ଏହି କ୍ରମରେ ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀ ନିଜର ଅହଙ୍କାର ଓ ଦଳୀୟ କର୍ମୀଙ୍କୁ ତାଙ୍କର ଅଣଦେଖା ମନୋଭାବ ଯୋଗୁଁ ଦଳରୁ ବହିଷ୍କୃତ ହୋଇଛନ୍ତି। ଗୋପାଳପୁର ନିର୍ବାଚନମଣ୍ଡଳୀର ଆଗୁଆ ଧାଡ଼ିର ନେତା ଓ କର୍ମୀମାନେ ସୁପ୍ରିମୋଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ଆଗକୁ ନିର୍ବାଚନମଣ୍ଡଳୀରେ ଦଳର ସାଂଗଠନିକ ସ୍ଥିତିକୁ ପୁଣି ସୁଦୃଢ଼ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ’। ବ୍ରହ୍ମପୁର ଉପକଣ୍ଠ ଖଜୁରିଆ ବାଇପାସ୍‌ସ୍ଥିତ ଚନ୍ଦ୍ରଚୂଡ଼େଶ୍ବର ମନ୍ଦିର ପ୍ରାଙ୍ଗଣରେ ଦଳର ସାଂଗଠନିକ ବୈଠକରେ ନେତାମାନେ ଏହି ପଣ କରିଛନ୍ତି।

ଜନବିରୋଧୀ କାର୍ଯ୍ୟ ଓ ଟାଟା ମୋଟର୍ସରେ ଚାକିରିରେ ଠକେଇରେ ଲିପ୍ତ ଅଭିଯୋଗରେ ପ୍ରଦୀପ ଦଳରୁ ବହିଷ୍କୃତ ହେବା ପରେ ବିରୋଧୀ ଗୋଷ୍ଠୀ (ଆଗଧାଡ଼ିର ନେତା)ଙ୍କୁ ନେଇ ଆଜି ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ବ୍ରହ୍ମପୁର ବିଧାୟକ ଡା.ର‌ମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ପ୍ରତି ପଞ୍ଚାୟତର ଆଗଧାଡ଼ିର ନେତା ଓ କର୍ମୀ ଉପସ୍ଥିତ ଥିଲେ। କିଏ ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରଶଂସା ଗାଥା ଗାଉଥିବା ବେଳେ ଆଉ କିଏ ଭାବମୂର୍ତ୍ତି ବଖାଣୁଥିଲେ। ଦଳରେ ଦୁର୍ନୀତି ଓ ଜନବିରୋଧୀ କାର୍ଯ୍ୟକଳାପକୁ ଆଦୌ ପ୍ରଶ୍ରୟ ଦିଆଯାଉ ନଥିବାରୁ ଏହା ସାରା ବିଶ୍ବରେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିପାରିଛି। ୧୯୬୭ ମସିହାରୁ ‌ଗୋପାଳପୁର ନିର୍ବାଚନମଣ୍ଡଳୀ ଗଠନ ହୋଇଥିଲା। ପ୍ରଦୀପ ଏଠାରୁ ୩ ଥର ବିଜୟୀ ହୋଇଥିଲେ।

ଗତବର୍ଷ କମ୍ ଭୋଟ ବ୍ୟବଧାନରେ ସେ ବିଜୟୀ ହେବା ପରେ କର୍ମୀମାନଙ୍କୁ ଅଣଦେଖା କରିବା ସହ ଖରାପ ବ୍ୟବହାର କରିଆସୁଥିଲେ। ଯାହାକୁ ବ୍ଲକ୍ ବିଜେଡି ଖୋଲାଖୋଲି ବିରୋଧ କରୁଥିଲା। ବିଧାୟକଙ୍କୁ କୌଣସି କାର୍ଯ୍ୟକ୍ରମରେ ଆଉ ଦେଖା ମିଳି ନଥିଲା। ବର୍ତ୍ତମାନ ପରିସ୍ଥିତିରେ ଜନବିରୋଧୀ କାର୍ଯ୍ୟ ଓ ଦୁର୍ନୀତି ପାଇଁ ବିଧାୟକଙ୍କୁ ଦଳରୁ ବହିଷ୍କାର କରି ମୁଖ୍ୟମନ୍ତ୍ରୀ ସ୍ବାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି। କାରଣ ପ୍ରଦୀପ ବିଶ୍ବାସଘାତକ ସାଜି ଦୁର୍ନୀତିରେ ଲିପ୍ତ ରହୁଥିଲେ। ଆଜି ସମସ୍ତଙ୍କ ପାଇଁ ଅ‌ଲୋଡ଼ା ପାଲଟି ଜେଲ୍ ହାଜତରେ ଅଛନ୍ତି। ସୁପ୍ରିମୋଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରାଯାଉଛି। ପୁଣି ଥରେ ନିର୍ବାଚନମଣ୍ଡଳୀରେ ଦଳର ସ୍ଥିତିକୁ ସଜାଡ଼ି ସୁଦୃଢ଼ କରାଯିବ ବୋଲି ନେତା ମାନେ ମତବ୍ୟକ୍ତ କରିବା ସହ ଶପଥ ନେଇଥିଲେ।

ବୈଠକରେ ରଙ୍ଗେଇଲୁଣ୍ଡା ବ୍ଲକ୍ ପଞ୍ଚାୟତ, ଗୋପାଳପୁର ଏନଏସି ଓ ବ୍ରହ୍ମପୁର ମହାନଗର ନିଗମ ୫ଟି ୱାର୍ଡ଼ର ଛାମୁଆ ନେତା ମାନେ ଯୋଗ ଦେଇ ମନ୍ତବ୍ୟ ରଖିଥିଲେ। ବ୍ଲକ ଉପାଧ୍ୟକ୍ଷ ଅଜିତ ଦାସ ପରିଚୟ ପ୍ରଦାନ ଓ ଦୀପକ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଯୁବନେତା ଦଣ୍ଡପାଣି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର