‘ଥାପୁଡ଼ା ଥେରାପି’ରେ ଚାଲିଛି ବିଜେଡି ସଂଗଠନ

ଜୟପୁର(ପ୍ରମୋଦ ପଟ୍ଟନାୟକ): କୋରାପୁଟ ଜିଲ୍ଲା ବିଜୁ ଜନତା ଦଳର ତୃଣମୂଳସ୍ତରରେ କୁହୁଲୁଛି ବିଦ୍ରୋହ। ବିଦ୍ରୋହକୁ ଚାପି ଦେବାକୁ ‘ପିଠି ଥାପୁଡ଼ା’ ଥେରାପିର କୌଶଳ ଅବଲମ୍ବନ କରାଯାଉଥିଲେ ହେଁ ଏହା ଗୋଟିଏ ବ୍ଲକକୁ ଅନ୍ୟ ବ୍ଲକକୁ ବ୍ୟାପିବାରେ ଲାଗିଛି। କ୍ରମାଗତ ଭାବେ ବିଜୁ ଜନତା ଦଳ ନିର୍ବାଚନରେ ଜିତି ସଂଗଠନର ସ୍ଥିତି ବେଶ୍ ମଜଭୁତ ଥିବା ପ୍ରମାଣିତ କରିଆସୁଥିଲେ ହେଁ କର୍ମୀଙ୍କ ମହଲରେ ଚାପି ହୋଇ ରହିଥିବା ଅସନ୍ତୋଷ ଦିନେ ଆହୁରି ତୀବ୍ର ହେବା ଆଶଙ୍କା ରହିଛି। ବିଶେଷ କରି ତୃଣମୂଳ ସ୍ତରରେ ଦଳ ସମର୍ଥନରେ ନିର୍ବାଚିତ ହୋଇଆସିଥିବା ଜନପ୍ରତିନିଧିଙ୍କ ମଧ୍ୟରେ ବିଶ୍ବାସର ସଙ୍କଟ ଦେଖାଦେଇଛି। ଏହାର ଫଳସ୍ବରୁପ ଜିଲ୍ଲାର ତିନି ତିନୋଟି ବ୍ଲକରେ ଦଳ ସମର୍ଥିତ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ଏହା ପୁଣି ଦଳ ସମର୍ଥନରେ ନିର୍ବାଚିତ ହୋଇଥିବା ସଦସ୍ୟମାନେ ହିଁ ଆଣିଛନ୍ତି। ଜିଲ୍ଲାର ତିନୋଟି ବ୍ଲକରେ ଯେଉଁ ଦଳ ସମର୍ଥନରେ ଏହି ପ୍ରତିନିଧି ମାନେ ନିର୍ବାଚିତ ହୋଇ ଆସିଛନ୍ତି ସେମାନେ ହିଁ ସେହି ବ୍ଲକର ଅଧ୍ୟକ୍ଷଙ୍କ ବିରୋଧରେ ସ୍ବର ଉଠାଇଛନ୍ତି। କେଉଁଠି ବ୍ଲକ ଅଧ୍ୟକ୍ଷଙ୍କ ମନମୁଖୀ କାରବାରର ଅଭିଯୋଗ ତ ପୁଣି କେଉଁ ବ୍ଲକରେ ବ୍ଲକ ଅଧ୍ୟକ୍ଷ ଉନ୍ନୟନ କାର୍ଯ୍ୟରେ ପିସି ମାଗୁଥିବା ନେଇ ସାଂଘାତିକ ଅଭିଯୋଗ ଆସୁଛି। ନିଜ ଦଳ ସମର୍ଥିତ ଅଧ୍ୟକ୍ଷ ନିର୍ବାଚିତ ‌ହୋଇଥିଲେ ହେଁ ଉନ୍ନୟନମୂଳକ କାର୍ଯ୍ୟରେ ସମିତିସଭ୍ୟ ଓ ସରପଂଚଙ୍କୁ ଅବଗତ କରାଯାଉନାହିଁ। ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯିବା ପଛରେ ଦଳର କିଛି କାର୍ପଟଦାରଙ୍କ ହାତ ରହୁଥିବା ବି ସୂଚନା ମିଳୁଛି। ନିଜର ସ୍ଥିତି ଜାହିର କରିବା ସହ ଗୋଳିଆ ପାଣିରୁ ମାଛ ଧରିବା ନ୍ୟାୟରେ ସଂପୃକ୍ତ କାର୍ପଟଦାର ମାନେ ବିରୋଧର ଏକ ବାତାବରଣ ସୃଷ୍ଟି କରି ଶେଷ ମୁହୁର୍ତ୍ତରେ ‘ଗୁଣିଆ ଓ ଦିଶାରିର ଭୂମିକା ନେଉଛନ୍ତି। କେବଳ ତୃଣମୂଳ ସ୍ତରରେ ନୁହଁ ବରଂ ଗତ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନିର୍ବାଚନରେ ଦଳୀୟ ହାଇକମାଣ୍ଡଙ୍କ ନିଷ୍ପତ୍ତି ବିରୋଧ କରି ଜଣେ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ହେବା ଏବଂ ଏଥିରେ ଦଳୀୟ ପ୍ରାର୍ଥୀଙ୍କ କ୍ରସ୍ ଭୋଟିଂକୁ ନେଇ ଦେଖିଲେ ଦଳରେ ବିଦ୍ରୋହ ରହିଥିବା ସ୍ପଷ୍ଟ ହୋଇଯାଇଛି।

କୋରାପୁଟ ଜିଲ୍ଲା ବି‌ଜୁ ଜନତା ଦଳ ସଭାପତି ଭାବେ ଈଶ୍ବର ପାଣିଗ୍ରାହୀ ନିଯୁକ୍ତ ହେବା ପରେ ଦଳ ନିର୍ବାଚନରେ ସଫଳତା ହାସଲ କରିଛି। ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ସାଧାରଣର ନିର୍ବାଚନରେ ଦଳକୁ ବେଶ୍ ସଫଳତା ବି ମିଳିଛି। କୋରାପୁଟ ଜିଲ୍ଲାର ୧୪ଟି ବ୍ଲକ ମଧ୍ୟରୁ କଂଗ୍ରେସ ଓ ବିଜେପି ସମର୍ଥିତ ପ୍ରାର୍ଥୀ ଦୁଇଟି ବ୍ଲକ ଦଖଲ କରିଥିବା ବେଳେ ବଳକା ୧୨ଟି ବ୍ଲକରେ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେଭଳି ଗତ ବିଧାନସଭା ନିର୍ବାଚନରେ କୋରାପୁଟ ଜିଲ୍ଲାର ୫ଟି ବିଧାନସଭା ଆସନ ମଧ୍ୟରୁ ଦଳ ୪ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ମାତ୍ର ଗୋଟିଏ ଆସନ ଦଖଲ କରିଥିଲା। ନିର୍ବାଚନ ଫଳାଫଳକୁ ବିଚାରକୁ ନିଆଗଲେ କୋରାପୁଟ ଜିଲ୍ଲାରେ ଦଳ ବେଶ୍ ଅଗ୍ରଣୀ ରହିଥିବା ସ୍ପଷ୍ଟ। ତେବେ ଗତ କିଛି ଦିନ ଧରି ଦଳର ତୃଣମୂଳ ସ୍ତରରେ ସମୀକରଣ ବଦଳିବାରେ ଲାଗିଛି। ସେମିଳିଗୁଡ଼ା ବ୍ଲକ ଅଧ୍ୟକ୍ଷ ଦିନେଶ୍ ଖରାଙ୍କ ବିରୋଧରେ ଦଳୀୟ ସମର୍ଥିତ ସମିତିସଭ୍ୟ ଓ ସରପଂଚ ପ୍ରଥମେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଅନାସ୍ଥା ପ୍ରସ୍ତାବକୁ ନେଇ ଭୋଟଦାନ ପ୍ରକ୍ରିୟା ‌ଶେଷ ହୋଇଥିଲେ ହେଁ କୋର୍ଟଙ୍କ ନିର୍ଦ୍ଦେଶ ବଳରେ ନିର୍ବାଚନର ଫଳାଫଳ ଘୋଷଣା ହୋଇପାରିନାହିଁ। ସେଭଳି ବନ୍ଧୁଗାଁ ବ୍ଲକ ଅଧ୍ୟକ୍ଷା ପ୍ରମିଳା ଜାକାକାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ପଛରେ ବି ରହିଛି ଦଳୀୟ ସମର୍ଥିତ ସରପଂଚ ଓ ସମିତିସଭ୍ୟଙ୍କ ଭୂମିକା। ପ୍ରଶାସନ ପକ୍ଷରୁ ଅନାସ୍ଥା ପ୍ରସ୍ତାବକୁ ନେଇ ବୈଠକ ଡକାଯାଇଥିବା ବ‌େଳେ ସେଥିରେ ଅଧିକାଂଶ ଅନୁପସ୍ଥିତ ରହିବାରୁ ଏହା କାଟ ଖାଇଥିଲା। ଏଥିପାଇଁ ଜିଲ୍ଲା ସଭାପତିଙ୍କ ଠାରୁ ଆରମ୍ଭ କରି ଦଳ ସଂଗଠନ ଦାୟିତ୍ବରେ ଥିବା କର୍ମକର୍ତ୍ତାଙ୍କୁ ନାକେଦମ୍ ହେବାକୁ ପଡିଥିଲା। ଏଥିରେ ଅସ‌ନ୍ତୁଷ୍ଟ ସରପଂଚ ଓ ସମିତିସଭ୍ୟଙ୍କୁ ଶେଷ ମୁହୁର୍ତ୍ତରେ କେବଳ ‘ପିଠି ଥାପୁଡ଼ା ଥେରାପି ବ୍ୟବହାର କରାଯାଇଥିଲା। ଏବେ ଖୋଦ୍ ଜିଲ୍ଲା ସଭାପତି ଇଶ୍ବର ପାଣିଗ୍ରାହୀଙ୍କ ନିଜ ବ୍ଲକ ଲମତାପୁଟ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀକୁମାରୀ ହନ୍ତାଳଙ୍କ ବିରୋଧରେ ଅଣାଯାଇଛି ଅନାସ୍ଥା ପ୍ରସ୍ତାବ। ୧୫ଟି ପଂଚାୟତ ବିଶିଷ୍ଟ ଲମତାପୁଟ ବ୍ଲକର ୧୨ ଜଣ ସମିତିସଭ୍ୟ ଓ ସରପଂଚ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ‌ବେଳେ ପ୍ରଶାସନ ପକ୍ଷରୁ ଆବେଦନ କରିଥିବା ନିର୍ବାଚିତ ପ୍ରତିନିଧିଙ୍କ ଦସ୍ତଖତ ଯାଞ୍ଚ କରାଯାଇଛି।

ଗତ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଉପନିର୍ବାଚନ ବେଳେ ଦଳ ଭିତରେ ରହିଥିବା ବିଦ୍ରୋହ ସ୍ପଷ୍ଟ ବାରି ହୋଇପଡିଥିଲା। ଉପାଧ୍ୟକ୍ଷ ଆସନ ପାଇଁ ଦଳ ନାର୍ସୁଲୁ କାମୁଡିଙ୍କୁ ପ୍ରାର୍ଥୀ କରିଥିବା ବେଳେ ଦଳର ଅନ୍ୟତମ ସଭ୍ୟା ପାର୍ବତୀ ମସ୍ତି ଦଳର ନିଷ୍ପତ୍ତିକୁ ବିରୋଧ କରି ବିଦ୍ରୋହ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଏଥିରେ ବିଜେଡି ପ୍ରାର୍ଥୀ ନାର୍ସୁଲୁ ନିର୍ବାଚିତ ହେଲେ ସତ କିନ୍ତୁ ବିଦ୍ରୋହୀ ପ୍ରାର୍ଥୀ ବି ୮ ଖଣ୍ଡ ଭୋଟ ପାଇଥିଲେ। ଏଥିରେ କୁଆଡେ ତିନି ଜଣ ଦଳୀୟ ପ୍ରାର୍ଥୀ କ୍ରସ୍ ଭୋଟିଂ କରିଥିବା କୁହାଯାଇଥିଲା। ଦଳ ପକ୍ଷରୁ ବିଶୃଙ୍ଖଳିତ ଆଚରଣ ପାଇଁ ପାର୍ବତୀ ମସ୍ତିଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲେ ହେଁ କେଉଁ ମାନେ କ୍ରସ୍ ଭୋଟିଂ କରିଥିଲେ ତାହା ଆଜି ବି ଅସ୍ପଷ୍ଟ। ଅସନ୍ତୁଷ୍ଟ ଓ ବିଦ୍ରୋହୀଙ୍କୁ କରାୟତ କରିବା ପାଇଁ କେବଳ ‘ଥାପୁଡା ଥେରାପି ବ୍ୟବହାର କରଯାଉଥିଲେ ହେଁ ଦିନେ ଏହା ଉଗ୍ର ରୂପ ଧାରଣ କରିବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ।

ସମ୍ବନ୍ଧିତ ଖବର