କେନ୍ଦ୍ରକୁ ପ୍ରଚଣ୍ଡ ଆକ୍ରମଣ ଯୋଜନା

ବିଧାନସଭା ଭିତରେ ଓ ବାହାରେ ଘେରିବ ବିଜେଡି

ଏମ୍‌ଏସ୍‌ପି, ମହାନଦୀ ଓ ପୋଲାଭରମ୍‌ ପ୍ରସଙ୍ଗ ଉଠିବ

ଭୁବନେଶ୍ୱର : କେନ୍ଦ୍ର ସରକାର ହେଉଛନ୍ତି ଟାର୍ଗେଟ। ପ୍ରସଙ୍ଗ ହେଉଛି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ମହାନଦୀ ଟ୍ରିବ୍ୟୁନାଲ ଗଠନ ଓ ପୋଲାଭରମ୍‌। ଏସବୁ କ୍ଷେତ୍ରରେ କେନ୍ଦ୍ରର ନୀତି ଓଡ଼ିଶା ସ୍ୱାର୍ଥ ବିରୋଧୀ। ଏକଥା ଦର୍ଶାଇ ବିଧାନସଭା ଆରମ୍ଭରୁ ଗୃହରେ କମ୍ପନ ସୃଷ୍ଟି କରିବ ସରକାରୀ ଦଳ।

ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଶୀତ ଅଧିବେଶନ ପରିପ୍ରେକ୍ଷୀରେ ଆଜି ବିଧାନସଭାରେ ଅନୁଷ୍ଠିତ ବିଜେଡି ବିଧାୟକ ଦଳ ବୈଠକରେ ଏ ନେଇ ବିସ୍ତତ ରଣନୀତି ପ୍ରସ୍ତୁତ କରାଯାଇଛି। ସବୁ ବିଧାୟକଙ୍କୁ ଗୃହରେ ଉପସ୍ଥିତ ରହିବା ଲାଗି ତାଗିଦ୍‌ କରି ମୁଖ୍ୟମନ୍ତ୍ରୀ ତାଙ୍କ ଆଭିମୁଖ୍ୟ ଜଣାଇ ଦେଇଛନ୍ତି ଯେ ଏ ପ୍ରସଙ୍ଗକୁ ନେଇ ବିରୋଧୀଙ୍କୁ ଘେରାଯିବା ଦରକାର। ଏମିତି ଯେ ସାଧାରଣ ଲୋକଙ୍କ ନିକଟରେ କେନ୍ଦ୍ର ଅବହେଳାର ଟିକିନିଖି ଚିତ୍ର ପହଞ୍ଚିବ। ଏହି ତିନିଟି ପ୍ରସଙ୍ଗ ସଂପର୍କରେ ଗଣମାଧ୍ୟମକୁ ମଧ୍ୟ ମୁଖ୍ୟମନ୍ତ୍ରୀ ସୂଚାଇଥିଲେ।

ଅନ୍ୟପଟରେ ବିଧାନସଭାରେ ବାହାରେ କେନ୍ଦ୍ର ବିରୋଧୀ ଆନ୍ଦୋଳନ ଜୋରଦାର କରିବା ଲାଗି ସ୍ଥିର ହୋଇଛି। ଦଳୀୟସ୍ତରରେ ଏସବୁ ପ୍ରସଙ୍ଗକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ସନ୍ଧ୍ୟାରେ ଏକ ଜରୁରି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକ ଏଥିରେ ଯୋଗଦେଇଥିଲେ।

ବ୍ୟାପକ ଆଲୋଚନା ପରେ ସ୍ଥିର ହୋଇଥିଲା, ଯେଉଁ ସମୟରେ ବିଧାନସଭା ଚାଲିବ, ସେ ସମୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଘଟଣାରେ ବିଜେଡି ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକ ମିଳିତ ଭାବେ ବ୍ଲକସ୍ତରରେ କେନ୍ଦ୍ର ବିରୋଧୀ ହାଓ୍ଵା ତିଆରି କରିବେ। ପୂର୍ବରୁ ଜିଲ୍ଲାସ୍ତରରେ କରାଯିବା ନେଇ ଯୋଜନା ହୋଇଥିଲେ ହେଁ ବୈଠକ ସ୍ଥଳରେ ହିଁ ରଣନୀତି ପରିବର୍ତନ କରାଯାଇ ବ୍ଲକରୁ ଆନ୍ଦୋଳନ ଆରମ୍ଭ କରିବା ଲାଗି ଯୋଜନା ହୋଇଥିଲା।

ଧାନର ମୂଲ୍ୟ ବୃଦ୍ଧି କ୍ଷେତ୍ରରେ କେନ୍ଦ୍ର କିଭଳି ଅବିଚାର କରୁଛି, ସେ ନେଇ ଲୋକଙ୍କୁ ଜଣାଇବା ଲାଗି ସମସ୍ତ ବ୍ଲକରେ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିଧାନସଭା ପରେ ଏହି କାର୍ଯ୍ୟକ୍ରମ ଜିଲ୍ଲାସ୍ତରରେ ଅନୁଷ୍ଠିତ ହେବ। ସେହିପରି ମହାନଦୀ ପ୍ରସଙ୍ଗରେ ମଧ୍ୟ ଅନୁରୂପ ପଦକ୍ଷେପ ନେବ ଦଳ। ଡିସେମ୍ବର ୯ ତାରିଖ ଦିନ ସୁପ୍ରିମକୋର୍ଟରେ ପରବର୍ତୀ ଶୁଣାଣି ରହିଛି। ଏହା ପରେ ମହାନଦୀ ପ୍ରସଙ୍ଗକୁ ନେଇ ଜିଲ୍ଲା ଓ ବ୍ଲକସ୍ତରରେ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ଗୋଟିଏ ଧାଡିରେ କହିଲେ ବିଧାନସଭା ଭିତରେ ଓ ବାହାରେ ସମାନ୍ତରାଳ ଭାବେ କେନ୍ଦ୍ର ବିରୋଧୀ ହାଓ୍ଵା ତିଆରି କରିବା ଲାଗି ବିଜେଡି ଆଜି ଉଭୟ ବୈଠକରେ ଖସଡା ପ୍ରସ୍ତୁତି କରିଛି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ବି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ ଓ ଦଳର ବରିଷ୍ଠ ନେତା ଓ କାର୍ପଟଦାରମାନେ ଉପସ୍ଥିତ ଥିଲେ।

ଏଠାରେ ଉଲ୍ଲେଖଥାଉକି, ଆଜି ବିଜେଡି ବିଧାୟକ ଦଳ ବୈଠକରେ ଶୀତ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ ହୋଇଥିଲା। ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଦଳୀୟ ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ଏମ୍‌ଏସ୍‌ପି, ମହାନଦୀ ଓ ପୋଲାଭରମ୍‌ ପ୍ରସଙ୍ଗ କଥା କହିଥିଲେ। ବିରୋଧୀ ଦଳ ଘେରିବା ଆଶଙ୍କା ଥିବା ପରିପ୍ରେକ୍ଷୀରେ ଶାସକ ଦଳ ଆରମ୍ଭରୁ ପ୍ରଚଣ୍ଡ ଆକ୍ରମଣ କରିବା ଲାଗି ଯୋଜନା ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକମାନଙ୍କ ଭୂମିକା ସଂପର୍କରେ ଅବତାରଣା କରିବାକୁ ଯାଇ ଓଡ଼ିଶା ସ୍ୱାର୍ଥ ପ୍ରସଙ୍ଗ ଜୋରଦାର ଉଠାଇବା ଲାଗି କହିଥିଲେ। ସବୁ ବିଧାୟକ ଯେମିତି ବିଧାନସଭାରେ ଉପସ୍ଥିତ ରୁହନ୍ତି, ସେ ନେଇ ବି ବିଧାୟକମାନଙ୍କୁ ତାଗିଦ୍‌ କରାଯାଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଧ୍ୟ ସରକାରୀ ଦଳ ରଣନୀତିର ବାଖ୍ୟା କରିଥିଲେ। ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଅତିରିକ୍ତ ବଜେଟ୍‌ ଉପସ୍ଥାପନ, ଖର୍ଚ୍ଚ ଦାବି ଆଦି ପ୍ରସଙ୍ଗରେ ତାଙ୍କ ମତ ରଖିଥିଲେ।

ସମ୍ବନ୍ଧିତ ଖବର