ଫୁଲବାଣୀ: ବିଜେଡିର ଆଜି ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଚଳିତଥର ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ମହିଳା କାର୍ଡ଼ ଖେଳି ଜୟଶ୍ରୀ କହଁରଙ୍କୁ ପ୍ରାର୍ଥୀ କରିଛି। ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ହେବାପାଇଁ ବୌଦ୍ଧ ଉପଜିଲ୍ଲାପାଳ ପଦରୁ ଇସ୍ତଫା ଦେଇଥିବା ରବୀନ୍ଦ୍ରନାଥ କହଁର କିମ୍ବା ବିଧାୟକ ଅଙ୍ଗଦ କହଁରଙ୍କ ନାମ ସବୁଠୁ ଚର୍ଚ୍ଚାରେ ଥିଲା। ମାତ୍ର, ସମସ୍ତଙ୍କୁ ଚକିତ କରି ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରୁ ଫିରିଙ୍ଗିଆ ଜିଲ୍ଲା ପରିଷଦ ସଦସ୍ୟା ଜୟଶ୍ରୀ କହଁରଙ୍କୁ ପ୍ରାର୍ଥୀ ଘୋଷଣା କରିଛନ୍ତି।
ଗତକାଲି କଂଗ୍ରେସ ଏଠାରୁ କଟ୍ରିଙ୍ଗିଆ ସରପଞ୍ଚ ପ୍ରତିଭା କହଁରଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା। ପ୍ରତିଭାଙ୍କ ସ୍ବାମୀ ଘନ କୁମାର ଶବର ଜଣେ ଟାଣୁଆ କଂଗ୍ରେସ ନେତା ଭାବେ କନ୍ଧମାଳ ଜିଲ୍ଲାରେ ଖୁବ୍ ପରିଚିତ। ଏଣୁ ପ୍ରତିଭାଙ୍କୁ ମୁକାବିଲା କରିବାକୁ ବିଜେଡି ମଧ୍ୟ ମହିଳା କାର୍ଡ଼ ଖେଳିଛି ବୋଲି କୁହାଯାଉଛି। ଏବେ ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଭାବେ ଜୟଶ୍ରୀ, କଂଗ୍ରେସରୁ ପ୍ରତିଭା ଏବଂ ବିଜେପିରୁ ଉମାଚରଣ ମଲିକଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବା ନିଶ୍ଚିତ ହୋଇଯାଇଛି।
ଅନ୍ୟପଟେ ବାଲିଗୁଡ଼ା ଅଙ୍କ ଜଟିଳ ହେଉଥିବାରୁ ଏହି ଆସନ ପାଇଁ ବିଜେଡି ଦ୍ବିତୀୟ ଦଫାରେ ମଧ୍ୟ ପ୍ରାର୍ଥୀ ଘୋଷଣା କରିନାହିଁ। ବାଲିଗୁଡ଼ାରେ ଅନେକ ଆଶାୟୀ ଥିବାରୁ ଏବଂ ଦଳ ଏଠାରେ କାହାକୁ ପ୍ରାର୍ଥୀ କରିବ ଦ୍ବନ୍ଦ୍ବରେ ପଡୁଥିବାରୁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଚୟନ ସମ୍ଭବପର ହୋଇପାରୁ ନାହିଁ ବୋଲି ଜଣେ ଦଳୀୟ କର୍ମକର୍ତ୍ତା ସୂଚନା ଦେଇଛନ୍ତି। ବାଲିଗୁଡ଼ା ବିଧାନସଭା ଆସନ ପାଇଁ ବିଜେଡିରୁ ବର୍ତ୍ତମାନର ବିଧାୟକ ଚକ୍ରମଣି କହଁର, କ୍ଳେଶ ପ୍ରଧାନ ଏବଂ ପୂର୍ବତନ ବିଧାୟକ ରାଜୀବ ପାତ୍ର ପ୍ରମୁଖ ଆଶାୟୀ ରହିଛନ୍ତି। ଦଳ ଏଠାରୁ କାହାକୁ ପ୍ରାର୍ଥୀ କରିବ ତାହାକୁ ଅପେକ୍ଷା କରାଯାଇଛି। ତେବେ ବାଲିଗୁଡ଼ା ଆସନ ନିମନ୍ତେ ବିଜେପି ପକ୍ଷରୁ କଳ୍ପନା କହଁର ଓ କଂଗ୍ରେସ ପକ୍ଷରୁ ସୁରଦା ପ୍ରଧାନଙ୍କ ନାମ ଘୋଷଣା ହୋଇସାରିଛି।
ବିଜେଡିରୁ ଇସ୍ତଫା ଦେଲେ ଦେବେନ୍ଦ୍ର କହଁର
ଫୁଲବାଣୀ: ଆଜି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ପରେ ପରେ ଫୁଲବାଣୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଦେବେନ୍ଦ୍ର କହଁର ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏହି ଆସନରୁ ଦଳ ପ୍ରାର୍ଥୀ ଭାବେ ଜୟଶ୍ରୀ କହଁରଙ୍କ ନାମ ଘୋଷଣା କରିଛି। ଦୀର୍ଘ ୧୫ ବର୍ଷ ଧରି ଦଳ ପାଇଁ ସେ କାର୍ଯ୍ୟ କରିଛନ୍ତି। ମାତ୍ର ବର୍ତ୍ତମାନ ତାଙ୍କୁ ଦଳରେ ଅଣଦେଖା କରା ଯାଉଥିବା ଅନୁଭବ କରୁଥିବାରୁ ଇସ୍ତଫା ଦେବାକୁ ଉଚିତ ମଣିଛନ୍ତି ବୋଲି ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ଗତ ୨୦୦୯ ସାଧାରଣ ନିର୍ବାଚନରେ ଦେବେନ୍ଦ୍ର ଫୁଲବାଣୀ ଆସନରୁ ବିଜେଡିରୁ ଲଢ଼ି ବିଜୟୀ ହୋଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ୨୦୧୪ ଏବଂ ୨୦୧୯ରେ ତାଙ୍କୁ ଟିକେଟ୍ ଦିଆଯାଇ ନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/HHHSFSFHSFHSFH.jpg)