ଯାଜପୁର/ବରୀ: ବାଲିଆସ୍ଥିତ ଅଭିମନ୍ୟୁ ସାମନ୍ତସିଂହାର ମହାବିଦ୍ୟାଳୟର ଛାତ୍ରୀଙ୍କୁ ଅସଦାଚରଣ କରିବା ଘଟଣାରେ ନିଲମ୍ବିତ ଅଧ୍ୟାପକ ବିଦ୍ୟାଧର ଧଳ ଓ ଅଧ୍ୟକ୍ଷ ସୁଧୀର ରାଉତଙ୍କୁ ବହିଷ୍କାର ତଥା ଗିରଫ ଦାବିରେ ଆଜି ବିଜେଡି ପକ୍ଷରୁ ଥାନା ଘେରାଉ କରାଯାଇଛି। ମହାବିଦ୍ୟାଳୟ ସମ୍ମୁଖରେ ପୀଡ଼ିତା ଓ ତାଙ୍କ ପରିବାରର ଅନଶନକୁ ସମର୍ଥନ ଜଣାଇ ବିଭିନ୍ନ ସଙ୍ଗଠନ ସାମିଲ ହୋଇଛନ୍ତି। ଏହି ସମ୍ବେଦନଶୀଳ ମାମଲାର ତଦନ୍ତ ପାଇଁ ଶିକ୍ଷା ବିଭାଗ, କ୍ରାଇମ୍‌ବ୍ରାଞ୍ଚ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ପୁଲିସ ବିଫଳ ହୋଇଥିବାରୁ ବିବାଦ ଦିନକୁ ଦିନ ଘନଉଛି।
ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ନିଲମ୍ବିତ ଅର୍ଥନୀତି ଅଧ୍ୟାପକ ଶ୍ରୀ ଧଳ ଓ ଅଧ୍ୟକ୍ଷ ଶ୍ରୀ ରାଉତଙ୍କୁ ଗତକାଲି ଉପଜିଲ୍ଲାପାଳ ନିଲମ୍ବନ କରିଥିଲେ। ସେମାନଙ୍କୁ ବହିଷ୍କାର ସହିତ ଗିରଫ କରିବାକୁ ଆଜି ଆନ୍ଦୋଳନ ଜୋରଦାର ହୋଇଛି।

Advertisment

ମହାବିଦ୍ୟାଳୟ ସମ୍ମୁଖରେ ପୀଡ଼ିତା, ତାଙ୍କ ପରିବାର ଓ  ନବନିର୍ମାଣ ଯୁବଛାତ୍ର ସଙ୍ଗଠନ ଅନଶନ ଜାରି ରଖିଛନ୍ତି। ଘଟଣାର ଅଧିକ ତଦନ୍ତ ପାଇଁ ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ରଣଜିତ୍ ପ୍ରଧାନ, ମହିଳା ଓ ଶିଶୁ  ହିଂସା ବିରୋଧୀ ଅଭିଯାନର ସଭାପତି ସୁଭାଷ ପଣ୍ଡା, କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଇମାମି କଲ୍ୟାଣୀ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କ ବୟାନ ରେକର୍ଡ଼ କରିଛନ୍ତି। ଆନ୍ଦୋଳନକୁ ସମର୍ଥନ ଜଣାଇ ବଡ଼ଚଣା ବ୍ଲକ୍ ମହିଳା ମହାସଂଘର ସଭାନେତ୍ରୀ ପ୍ରମିଳା ଜେନାଙ୍କ ନେତୃତ୍ବରେ ବହୁ କର୍ମୀ ମଧ୍ୟ ସାମିଲ ହୋଇଛନ୍ତି। ସେହିପରି ବରୀ ବ୍ଲକ୍ ଅଧ୍ୟକ୍ଷ ଅଶୋକ ଗେଡୀ, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ ସାମଲ, ବଡ଼ଚଣା ବିଜେଡି ନେତା କ୍ୟାପ୍‌ଟେନ୍ ରାଜନାରାୟଣ ମହାପାତ୍ର, ତାପସ ରାୟ ପ୍ରମୁଖ ଅନଶନସ୍ଥଳରେ ପହଞ୍ଚି ସମର୍ଥନ ଜଣାଇଛନ୍ତି। ବିଜେଡି ପକ୍ଷରୁ କରାଯାଇଥିବା ଥାନା ଘେରାଉରେ ବ୍ଲକ୍ ଅଧ୍ୟକ୍ଷଙ୍କ ନେତୃତ୍ବରେ ଶତାଧିକ କର୍ମୀ ସାମିଲ ହୋଇ ଦାବିପତ୍ର ପ୍ରଦାନ କରିଛନ୍ତି। ଆନ୍ଦୋଳନକୁ ବ୍ୟାପକ କରିଥିବା ନବନିର୍ମାଣ କୃଷକ ସଙ୍ଗଠନର ଛାତ୍ରନେତା ମନୱର ଅଲ୍ଲୀ, ଅଶ୍ବିନୀ ଜେନା, ରାଜ୍ୟ ସହସଂଯୋଜକ ନିମାଇଁ ରାୟ, କୃଷକ ନେତା ତ୍ରିଲୋଚନ ସାମଲ, ଶ୍ରୀଧର ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଉପଜିଲ୍ଲାପାଳ, ଡିଏସ୍‌ପି ମହାବିଦ୍ୟାଳୟରେ ରହି ପରିସ୍ଥିତି ଉପରେ ନଜର ରଖିଥିଲେ।