ଭୁବନେଶ୍ବର : ବିଜୁ ଜନତା ଦଳର ନିର୍ବାଚନୀ ପ୍ରସ୍ତୁତି ଜୋର ଧରିଛି। ପୁଣି ଏଥରକ ନିଆରା ଢଙ୍ଗରେ ନିର୍ବାଚନକୁ ଓହ୍ଲାଇବାକୁ ଚାହିଁଛନ୍ତି ଦଳର ମୁଖିଆ ନବୀନ ପଟ୍ଟନାୟକ। ଦଳ ଦାବି କରିଛି, ଗତଥର ନିର୍ବାଚନ ଲଢିବା ବେଳେ ଯାହା ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ପୂରଣ କରିଛି। ଏଥିସହିତ ଏଥର ଲୋକଙ୍କ ଠାରୁ ମତାମତ ସଂଗ୍ରହ କରି ଇସ୍ତାହାର ପ୍ରସ୍ତୁତ କରିବାକୁ ଯୋଜନା କରିଛି ଦଳ।

Advertisment

‘ଘରେ ଘରେ ଶଙ୍ଖ: ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ’’ ଅଭିଯାନକୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ତମ ଜୟନ୍ତୀରୁ ଦଳ ସଭାପତି ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ସୋମବାର ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଦଳର ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଅରୁଣ ସାହୁ ଓ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ମୀନତି ବେହେରା ଏହି ସୂଚନା ଦେଇଛନ୍ତି।

ଦଳର ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସାଧାରଣ ସମ୍ପାଦକ ଅରୁଣ ସାହୁ କହିଥିଲେ, ଆସନ୍ତାକାଲିଠାରୁ ବିଜେଡି ଏକ ଅଭିନବ ଲୋକାଭିମୁଖୀ ପଦକ୍ଷେପ ସ୍ବରୁପ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଘରେ ଘରେ ଶଙ୍ଖ, ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ, କାର୍ଯ୍ୟକ୍ରମ ଜରିଆରେ ବିଜୁ ମହିଳା ଜନତା ଦଳର କର୍ମୀ ଓ ଦଳର କାର୍ଯ୍ୟକର୍ତ୍ତା ରାଜ୍ୟର ୮୬ ଲକ୍ଷ ପରିବାରଙ୍କ ପାଖକୁ ଯାଇ ଲୋକେ ସରକାରଙ୍କଠୁ କଣ ଆଶା ରଖନ୍ତି, ତାର ଲମ୍ବା ତାଲିକା ପ୍ରସ୍ତୁତ କରିବେ। ଲୋକଙ୍କଠାରୁ ସଂଗ୍ରହ ହୋଇଥିବା ମତାମତ ଆଧାରରେ ବିଜେଡି ଆଗାମୀ ନିର୍ବାଚନ ପାଇଁ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବ। ଏହି ଅଭିଯାନକୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ରାଜ୍ୟ କାର୍ଯ୍ୟାଳୟରେ ଶୁଭାରମ୍ଭ କରିବେ। ଏହି ମତାମତ ସଂଗ୍ରହ ଅଭିଯାନ ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖ ଯାଏ ଚାଲିବ ବୋଲି ଆପାତତଃ ସ୍ଥିର କରାଯାଇଛି।

ବିଜେଡିର ଲୋକଙ୍କ ପ୍ରତି ଆସ୍ଥା ଥିବା ନେଇ ଶ୍ରୀ ସାହୁ ସୂଚନା ଦେଇ କହିଥିଲେ, ୨୦୧୪ ମସିହାରେ ବିଜେଡି ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇ ଆସିବା ପରେ ନିର୍ବାଚନ ଇସ୍ତାହାର ପ୍ରତିଶ୍ରୁତି ମୁତାବକ କାର୍ଯ୍ୟ କରିବା ପାଇଁ ପ୍ରଥମ ମନ୍ତ୍ରିପରିଷଦ ବୈଠକରେ ସଂକଳ୍ପ ନେଇଥିଲା। ପ୍ରତିଶ୍ରୁତି ମୁତାବକ ଗତ ୫ବର୍ଷ ଭିତରେ ଲୋକଙ୍କ ଆଶା ମୁତାବକ ପାଳନ କରିବାରେ ସକ୍ଷମ ହୋଇଛି। ପୂର୍ବରୁ ମଧ୍ୟ ନିର୍ବାଚନ ପ୍ରତିଶ୍ରୁତି ମୁତାବକ ଲୋକଙ୍କ ଆସ୍ଥା ଜିତିଥିବାରୁ ଲଗାତାର ଭାବେ ନବୀନ ସରକାରଙ୍କୁ ଲୋକେ କ୍ଷମତାକୁ ଆଣିଛନ୍ତି। ଭାରତବର୍ଷରେ ଏପରି ଅନେକ ରାଜନୈତିକ ଦଳ ଅଛନ୍ତି ସେମାନେ ନିର୍ବାଚନ ବେଳେ ଦେଇଥିବା ଇସ୍ତାହାର ଅନୁଯାୟୀ କ୍ଷମତାକୁ ଆସିଲେ ପାଳନ କରନ୍ତି ନାହିଁ।

ବିଜେପିକୁ ପରୋକ୍ଷରେ ଇଙ୍ଗିତ କରି ଶ୍ରୀ ସାହୁ କହିଥିଲେ, ଦେଶରେ ଜାତୀୟ ସ୍ତରରେ ଏପରି ଦଳ ଅଛନ୍ତି, ପ୍ରତିଶ୍ରୁତିକୁ ପରେ ଜୁମଲା ବୋଲି କହି ଟାଳିଦିଅନ୍ତି। ଏହାର ଅର୍ଥ କ୍ଷମତାକୁ ଆସିବା ପରେ ନିର୍ବାଚନ ବେଳର ପ୍ରତିଶ୍ରୁତି ମିଛ ବୋଲି ନିଜେ ନିଜକୁ ପ୍ରମାଣିତ କରିଛନ୍ତି। କିନ୍ତୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାକୁ କାର୍ଯ୍ୟରେ ପରିଣତ କରି ଦେଖାଇଛନ୍ତି। ସାଧାରଣ ଲୋକମାନେ ମର୍ମେ ମର୍ମେ ସରକାରଙ୍କ ପ୍ରଗତିର ସୁଫଳ ଅନୁଭବ କରୁଛନ୍ତି। ସବୁ ବର୍ଗର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରିଆସିଛନ୍ତି। ଆସନ୍ତା ନିର୍ବାଚନ ପାଇଁ ସବୁ ଦଳର ଇସ୍ତାହାର ପ୍ରସ୍ତୁତି ଚାଲିଥିବା ବେଳେ ବିଜେଡିର ଇସ୍ତାହାର ଓଡ଼ିଶାର ଲୋକେ ପ୍ରସ୍ତୁତ କରିବେ।

ବିଜେଡି ସରକାରଙ୍କ ସଫଳତା ଦର୍ଶାଇ କୃଷି କ୍ଷେତ୍ରରେ ୪ ଥର କୃଷି କର୍ମଣ ପୁରସ୍କାର, ୨୦୧୪ ପ୍ରତିଶ୍ରୁତି ମୁତାବକ ଅଧିକ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସଫଳତା, ଶୂନ ପ୍ରତିଶତରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ କୃଷି ଋଣ, ନିରାମୟ ଯୋଜନାରେ ରାଜ୍ୟର ୫୫ ଲକ୍ଷ କୃଷକ ପରିବାରକୁ ମାଗଣା ସ୍ବାସ୍ଥ୍ୟସେବା ସଂପର୍କରେ େନତାମାେନ ସୂଚାଇଥିଲେ। ଗତ ୫ ବର୍ଷରେ ଆବାସିକ ଯୋଜନାରେ ଗରିବଙ୍କ ପାଇଁ ୨୦ ଲକ୍ଷ ଗୃହ ନିର୍ମାଣ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପଡ଼ିଥିବା ୨୫ ଲକ୍ଷ ଗରିବ ହିତାଧିକାରୀ ପରିବାରଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇବାପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ସଂପର୍କରେ ସୂଚନା ଦିଆଯାଇଥିଲା।

ଶ୍ରୀ ସାହୁ କହିଥିଲେ, ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ନେଇ ସଂକଳ୍ପ କରି ଭାରତବର୍ଷର ସବୁ ରାଜନୈତିକ ଦଳର ସମର୍ଥନ ହାସଲ କରିବାରେ ସଫଳତା ମୁଖ୍ୟମନ୍ତ୍ରୀଙ୍କୁ ମିଳିଛି। ଯାହାକୁ ଜାତିସଂଘ ମଧ୍ୟ ପ୍ରଶଂସା କରିଛି। ଦୁଇ ଦୁଇ ଥର ମେକ୍ ଇନ ଓଡ଼ିଶା କନକ୍ଲେଭ କରି ରାଜ୍ୟକୁ ୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଇ ୨୦୧୫ ସୁଦ୍ଧା ୩୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏବେ ଲୋକଙ୍କ ଆଶା ମୁତାବକ ସରକାର ନୀତି ପ୍ରସ୍ତୁତ କରିବେ। ସେଥିପାଇଁ ଇସ୍ତାହାର ପ୍ରସ୍ତୁତ କରିବାକୁ ମତାମତ ଅଭିଯାନ ଆରମ୍ଭ କରାଯିବ ବୋଲି ଶ୍ରୀସାହୁ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ସସ୍ମିତ ପାତ୍ର ଓ ରାଜ୍ୟ ସମ୍ପାଦକ ବିଜୟ ନାୟକ ଉପସ୍ଥିତ ଥିଲେ।