ମାଲକାନଗିରି: ବିଜେଡି ନେତା ଭି କାର୍ତ୍ତିକ ପାଣ୍ଡିଆନଙ୍କ ଗସ୍ତକୁ ନେଇ ଜିଲ୍ଲା ଏବେ ଚଳଚଞ୍ଚଳ। ସକାଳ ୯ଟାରେ ମାଲକାନଗିରି ନିର୍ବାଚନ ମଣ୍ଡଳୀର କାଲିମେଳା ଠାରେ ଏକ ବିରାଟ ସାଧାରଣ ସଭାରେ ଯୋଗ ଦେବେ। ଏହାପରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ମାଥିଲି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି।ତେବେ ଏହାର ପୂର୍ବ ପ୍ରସ୍ତୁତି ଜୋରଦାର ଚାଲିଛି।
ମାଲକାନଗିରି ଜିଲ୍ଲାରେ ଏବେ ପ୍ରବଳ ଗରମ ଅନୁଭୁତି ହେଉଥିବା ବେଳେ ଏକ ବିରାଟ ଟେଣ୍ଟର ସୁବନ୍ଦବସ୍ତ କରାଯାଇଛି। ଲୋକେ ଯେପରି ଗରମରୁ ରକ୍ଷା ପାଇବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଉଛି। ମାଲକାନଗିରି ଜିଲ୍ଲାକୁ ପାଣ୍ଡିଆନଙ୍କ ଗସ୍ତ ଏକ ଭିନ୍ନ ରୂପ ନେବ ବୋଲି କୁହାଯାଉଛି। ମାଲକାନଗିରି ଏବଂ ଚିତ୍ରକୋଣ୍ଡାରେ ବିଜେଡିର ସ୍ଥିତି ସୁଦୃଢ ଥିଲେ ମଧ୍ୟ ଶ୍ରୀ ପାଣ୍ଡିଆନ ସରକାରଙ୍କର ସମସ୍ତ ଯୋଜନା ସଂପର୍କରେ ଲୋକଙ୍କୁ ପୁଣି ଅବଗତ କରାଇବା ସହ ନବୀନ ସରକାରଙ୍କର ବିକାଶକୁ ଆଗକୁ ନେବାକୁ ଭୋଟ ଭିକ୍ଷା କରିବେ।
ମାଲକାନଗିରି ଜିଲ୍ଲାକୁ ସବୁବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କର ଶୁଭ ଦୃଷ୍ଟି ସହ ସମସ୍ତ ବିକାଶ ମୂଳକ କାର୍ଯ୍ୟକୁ ପ୍ରଥମ କରି ଆରମ୍ଭ କରନ୍ତି। ତେଣୁ ସରକାରଙ୍କର ବିଶେଷ ଦୃଷ୍ଟି ଜିଲ୍ଲା ପ୍ରତି ରହିଛି। ଏନେଇ ଶ୍ରୀ ପାଣ୍ଡିଆନ ଲୋକଙ୍କୁ ପୁଣି ବିଜେଡି ମୁହାଁ କରିବାକୁ ଚେଷ୍ଟା କରିବେ। ଗତ ନିର୍ବାଚନରେ ମାଲକାନଗିରି ବିଧାନସଭା ଆସନରେ ବିଜେପି ବିପୁଳ ସଂଖ୍ୟାରେ ବିଜୟ ଲାଭ କରିଥିଲା। ତେଣୁ ଏଥର ଏହି ନିର୍ବାଚନ ମଣ୍ଡଳୀକୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି। ଏଥର କଂଗ୍ରେସ ନିଜର ସ୍ଥିତିକୁ ଆହୁରି ସୁଦୃଢ କରୁଥିବା ବେଳେ ବିଜେପି ପୁଣି ବିଜୟ ଲାଭ କରିବାର ଆଶା ରଖିଛି।
ତେବେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ବିଜେଡି ତାର ବିଜୟ ଧାରା ଜାରି ରଖିବ ବୋଲି କୁହାଯାଉଛି। ବିଜେପି କିନ୍ତୁ ଏଥର ଚିତ୍ରକୋଣ୍ଡା ବିଧାନସଭା ଆସନରେ ଭଲ ପ୍ରଦର୍ଶନ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହେବା ପରେ ପାଣ୍ଡିଆନଙ୍କ ଗସ୍ତ କିଛି ବିଜେଡିକୁ ଜିତାଇବାରେ ଏକ ବଡ ଭୁମିକା ଗ୍ରହଣ କରିବ ବୋଲି ଆଲୋଚନା ଜୋର ଧରିଛି।ତେବେ ପାଣ୍ଡିଆନଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା ଅତି କଡାକଡି କରାଯାଉଛି।ଏହି ସାଧାରଣ ସଭାରେ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝି ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡିଛି। ତେବେ ପାଣ୍ଡିଆନଙ୍କ ଗସ୍ତ ଦୁଇ ନିର୍ବାଚନ ମଣ୍ଡଳୀରେ କେତେ ଫରକ ପକାଉଛି ଦେଖିବାକୁ ବାକି ରହିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/MKg-Pandian-visit-preapare-2.jpg)