ଘୁ.ଉଦୟଗିରି: ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ବିଧିବତ ଭାବେ ନିର୍ବାଚନ କମିସନଙ୍କ ତାରିଖ ଘୋଷଣା ପରେ ସମସ୍ତ ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳ ବିଧାନସଭା ଏବଂ ସଂସଦ କ୍ଷେତ୍ର ପାଇଁ ନିଜ ନିଜର ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ରାଜନୀତି ସରଗରମ ହୋଇଛି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ତାତିକୁ ରାଜନୈତିକ ଉଷ୍ମତା ସେଇ ଅନୁସାରେ ମିଳିମିଶି ଆଗୁକୁ ବଢୁଛି। ପ୍ରାର୍ଥୀ ତାଲିକା ଘୋଷଣା କରିବାରେ ବିଜେଡି ଦଳ ଆଗରେ ଥିବା ବେଳେ ବିଜେପି ଏବଂ କଂଗ୍ରେସ ବିଳମ୍ବରେ ନିଜ ନିଜ ପ୍ରାର୍ଥୀ ଙ୍କ ନାମ ଘୋଷଣା କରିଥିଲେ। ହେଲେ ବିଜେପି ଏବଂ କଂଗ୍ରେସ ଦଳ ଯେଉଁ ମାନଙ୍କୁ ନିଜ ଦଳର ପ୍ରାର୍ଥୀ ଭାବେ ନାମ ଘୋଷଣା କରିଥିଲେ ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ନିଜ ଦଳୀୟ ନେତା, କର୍ମୀ ଏବଂ ଆଶାୟୀଙ୍କ ଦ୍ୱାରା ବିରୋଧର ସମ୍ମୁଖୀନ ହେବାକୁ ପଡୁଛି। ଦଳୀୟ ପ୍ରାର୍ଥୀ ବଦଳେଇବାକୁ ଦାବି ହେବା ସହ ଦଳୀୟ ଉଚ୍ଚପଦାଧିକାରୀଙ୍କ ଉପରେ ଚାପ ସୃଷ୍ଟି କରିବା ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳିଛି।
କଂଗ୍ରେସ ପ୍ରଫୁଲ ଚନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଘୁ.ଉଦୟଗିରି ବିଧାନସଭା କ୍ଷେତ୍ରର ସମସ୍ତ ବ୍ଲକ ଏବଂ ଗୋଟିଏ ଏନଏସିରେ ପ୍ରବଳ ବିରୋଧ ଆରମ୍ଭ ହୋଇଯିବା ସହ ପ୍ରାର୍ଥୀ ବଦଳେଇବା ନିମନ୍ତେ ପିସିସି ଉପରେ ଚାପ ସୃଷ୍ଟି କରାଯାଉଛି। ଆଶ୍ଚର୍ଯ୍ୟର କଥା ପ୍ରଫୁଲ ଟିକାବାଲି ବ୍ଲକର ଲୋକ ନିଜ ବ୍ଲକର ସଭାପତି ଏବଂ କର୍ମୀ ତାଙ୍କୁ ବିରୋଧ କରୁଛନ୍ତି।
ସେହିଭଳି ବିଜେପି ମାନଗୋବିନ୍ଦ ପ୍ରଧାନଙ୍କୁ ନିଜ ଦଳର ପ୍ରାର୍ଥୀ ଭାବେ ନାମ ଘୋଷଣା ପରେ ବିରୋଧର ସମ୍ମୁଖୀନ ହେଉଛନ୍ତି ମାନଗୋବିନ୍ଦ। ନିଜ ବ୍ଲକ ଏବଂ ନିଜ ପଞ୍ଚାୟତର ଦଳୀୟ ନେତା କର୍ମୀ ତାଙ୍କ ପ୍ରାର୍ଥୀତ୍ବକୁ ଘୋର ବିରୋଧ କରି ପ୍ରାର୍ଥୀ ବଦଳେଇବାକୁ ଦାବି କରିଛନ୍ତି। ନଚେତ ସମୂହ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି। ଅନ୍ୟ ପକ୍ଷରେ ବିଜେଡି ସାଲୁଗା ପ୍ରଧାନଙ୍କୁ ଦଳୀୟ ପ୍ରାର୍ଥୀ ଘୋଷଣା ପରେ ସାରା ନିର୍ବାଚନ ମଣ୍ଡଳୀରେ ବିଜେଡି କର୍ମୀଙ୍କ ମଧ୍ୟରେ ଆନନ୍ଦ ଏବଂ ଉତ୍ସାହ ଦେଖୁବାକୁ ମିଳିଥିଲା।ନିର୍ବାଚନକୁ ଆହୁରି ଦେଢ଼ ମାସ ବାକି ଥିବା ବେଳେ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିସାରିଲାଣି।
ଟିକାବାଲି ଠାରେ ଶୁକ୍ରବାର ବିଜେଡିର କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଆୟୋଜନ କରିଥିବା ଦେଖୁବାକୁ ମିଳିଥିଲା। ସମସ୍ତ ବ୍ଲକ ଏବଂ ପଞ୍ଚାୟତରେ କର୍ମୀ ସମ୍ମିଳନୀ ଆୟୋଜନ କରି ଦଳୀୟ କର୍ମୀ ମାନଙ୍କୁ ନିର୍ବାଚନ ପାଇଁ ପ୍ରସ୍ତୁତ କରାଯାଉଛି। ବିଜେଡିର କର୍ମୀ ସମ୍ମିଳନୀରେ ବିଜେଡି ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ, ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ସମେତ ବହୁ ଆଗଧାଡ଼ିର ନେତା ଉପସ୍ଥିତ ରହି ଦଳୀୟ କର୍ମୀମାନଙ୍କୁ ଆଗାମୀ ନିର୍ବାଚନ ପାଇଁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ବିଜେଡି ନିର୍ବାଚନ ପାଇଁ ଯୋଜନାବଦ୍ଧ ଭାବେ ଗୋଟି ଚଳେଇବା ଆରମ୍ଭ କରିଥିବାବେଳେ ବିଜେପି ଏବଂ କଂଗ୍ରେସ ନିର୍ବାଚନ ଲଢ଼ିବା ପୂର୍ବରୁ ନିଜ ନିଜ ଭିତରେ ଲଢ଼ିବାରେ ବ୍ୟସ୍ତ। ଦଳୀୟ ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୋଷର ନିଆଁ ରେ ଜଳୁଛନ୍ତି କଂଗ୍ରେସ ଏବଂ ବିଜେପି କର୍ମୀ। ଆଗକୁ କିଭଳି ବିଜେଡିର ମୁକାବିଲା କରିବେ ଏହି ଦୁଇ ଦଳ ଦେଖୁବାକୁ ବାକି ରହିଲା।