କୋଶଳୀ, ହୋ, ମୁଣ୍ଡାରି ଓ ଭୂମିଜ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ରାଷ୍ଟ୍ରପତିଙ୍କ ନିକଟରେ ଦାବି କରିବ ବିଜେଡି

ଭୁବନେଶ୍ୱର : ଆଦିବାସୀମାନଙ୍କ ଦ୍ୱାରା ବହୁଳ ବ୍ୟବହାର ହେଉଥିବା ଭାଷା ହୋ ଏବଂ ମୁଣ୍ଡାରୀକୁ ସମ୍ବିଧାନର ୮ମ ଅନୁଚ୍ଛେଦରେ ସାମିଲ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଦାବି କରାଯାଇଛି । ଏହି ଭାଷାଗୁଡିକୁ ସମ୍ବିଧାନରେ ସାମିଲ କରିବାର ବହୁଳ ଆବଶ୍ୟକତା ରହିଥିବା ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଜେଡି ବିଧାୟିକା ବାସନ୍ତୀ ହେମ୍ବ୍ରମ ଏବଂ ବିଜେଡିର ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ର ।

ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଏହି ତିନି ନେତା ଦର୍ଶାଇଛନ୍ତି ଯେ ଗୋଟିଏ ଜାତିର ପରିଚୟ ପାଇଁ ଭାଷା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଓଡିଶା ଜନସଂଖ୍ୟାର ୨୨.୮୫ ପ୍ରତିଶତ ଅନୁସୂଚିତ ଜନଜାତି ହୋଇଥିବା ବେଳେ ୧୩ ପ୍ରକାରର ବିଲୁପ୍ତପ୍ରାୟ ଜନଜାତିଙ୍କ ସହିତ ମୋଟ୍‌ ୬୨ ପ୍ରକାର ଜନଜାତି ଏଠାରେ ବସବାସ କରୁଛନ୍ତି । ହୋ ଏବଂ ମୁଣ୍ଡାରୀ ଭାଷାକୁ ସମ୍ବିଧାନରେ ସାମିଲ ପାଇଁ ଦୀର୍ଘଦିନରୁ ରାଜ୍ୟର ଆଦିବାସୀମାନେ ଦାବିକରି ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ଦୁଇଟି ଭାଷାକୁ ସମ୍ବିଧାନର ୮ମ ଅନୁଚ୍ଛେଦରେ ସାମିଲ ପାଇଁ କହିଛନ୍ତି । ଓଡିଶା ଓ ଝାଡଖଣ୍ଡରେ ବସବାସ କରୁଥିବା ପ୍ରାୟ ୧୦ଲକ୍ଷ ବ୍ୟକ୍ତି ହୋ ଭାଷା ବ୍ୟବହାର କରନ୍ତି । ସମ୍ବିଧାନରେ ସାମିଲ ହୋଇଥିବା ସାନ୍ତାଳି ପରେ ହୋ ହେଉଛି ଓଡିଶାର ଆଦିବାସୀଙ୍କ ପ୍ରଚଳିତ ଦ୍ୱିତୀୟ ବୃହତ୍‌ ଭାଷା । ସେହିଭଳି ମୁଣ୍ଡା ଏବଂ ମୁଣ୍ଡାରୀ ଆଦିବାସୀ ସମ୍ପ୍ରଦାୟର ୬ଲକ୍ଷରୁ ଅଧିକ ଲୋକ ମୁଣ୍ଡାରୀ ଭାଷା ବ୍ୟବହାର କରନ୍ତି । ଓଡିଶାରେ ବ୍ୟବହୃତ କେତେକ ଆଦିବାସୀ ଭାଷା ରହିଛି ଯାହା ସମ୍ବିଧାନର ୮ମ ଅନୁଚ୍ଛେଦରେ ସାମିଲ ପାଇଁ ଯୋଗ୍ୟ । ତେଣୁ ଏହି ଦୁଇ ଭାଷା ହୋ ଏବଂ ମୁଣ୍ଡାରୀକୁ ସମ୍ବିଧାନରେ ସାମିଲ ପାଇଁ ବିଜେଡି ପକ୍ଷରୁ ଦୃଢ ଦାବି କରାଯାଇଛି ।

ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଇଂରେଜ ସମୟରୁ ଭାଷା ପାଇଁ ସଂଗ୍ରାମ ଜାରି ରହିଛି । ସାଢେ ୪ କୋଟିରୁ ୧ କୋଟି ମାତୃଭାଷାକୁ ଅଲଗା ଭାବେ ବ୍ୟବହାର କରନ୍ତି । ସେ କୋଶଳୀ, ହୋ, ମୁଣ୍ଡାରୀ, ଭୂମିଜ ପରି ଭାଷା । ରାଜନୈତିକ ଦଳ ନିର୍ବାଚନ ଇସ୍ତାହାରରେ ଏହାକୁ ଉଲ୍ଲେଖ କରିଥିଲେ, ହେଲେ କଲେନି । ଏଥିପାଇଁ ଏକ ବିଶେଷଜ୍ଞ କମିଟି ହୋଇଥିଲା ଓ କମିଟି ତାହାର ରିପୋର୍ଟ ଦେଇଛି । ଆମେ ସବୁ ସାମ୍ବିଧାନିକ ପ୍ରକ୍ରିୟା ସାରିଛୁ । ଏ ସଂକ୍ରାନ୍ତରେ ଆମେ ରାଷ୍ଟ୍ରପତିଙ୍କୁ ଭେଟିବୁ । ତାଙ୍କର ଏହି କ୍ଷମତା ଅଛି ବୋଲି ସେ କହିଛନ୍ତି ।


ସେହିଭଳି ବିଧାୟିକା ଶ୍ରୀମତୀ ହେମ୍ବ୍ରମ କହିଛନ୍ତି ଯେ ଭାରତରେ ୩୦ ଲକ୍ଷ ଓ ଓଡ଼ିଶାରେ ୧୦ ଲକ୍ଷ ହୋ ଭାଷା ବ୍ୟବହାର କରନ୍ତି । ଏହାକୁ ମାନ୍ୟତା ନ ମିଳିଲେ, ଆଗାମୀ ଦିନରେ ଏହା ଲୋପ ପାଇଯିବ । ଶ୍ରୀମତୀ ମଶ୍ରୀମତୀ ମିଶ୍ର କହିଛନ୍ତି ଯେ କୋଶଳୀ ବହୁତ ମିଠା ଭାଷା । ୭୫ ଲକ୍ଷ ଲୋକ ଏହି ଭାଷା କହନ୍ତି । କୋଶଳୀରେ ରାମାୟଣ, ମହାଭାରତ ରଚନା କରାଯାଇଛି । ଏହି ଭାଷା ମନକୁ ପ୍ରଫୁଲିତ କରେ । ନୂଆଖାଇ ଭେଟଘାଟ ସାରା ଦେଶରେ ଆଦୃତ । ଲୋକ ଏହି ଭାଷାକୁ ଆଗେଇ ନେବାକୁ ଚାହୁଁଛନ୍ତି । କେନ୍ଦ୍ର ସରକାର ଏହାକୁ ଅଷ୍ଟମ ଅନୁଛେଦରେ ସାମିଲ କରନ୍ତୁ । ଆମ ପଶ୍ଚିମ ଓଡ଼ିଶାରୁ ଅନେକ ବିଜେପି ସାଂସଦ ଅଛନ୍ତି । ସେମାନେ ଏହି କଥା ସଂସଦରେ ଉଠେଇଲେ, ରାଜ୍ୟବାସୀ ଧନ୍ୟ ହେବେ । ପଶ୍ଚିମ ଓଡିଶାରେ ନିୟମିତ ଭାବେ ଏହି ଭାଷାରେ ପବ୍ର ନ୍ଧ, କର୍ମଶାଳା, ଗୋଷ୍ଠୀଗତ ଆଲୋଚନା ଏବଂ କବିତା ପାଠ ଆଦି ଆୟୋଜିତ ହେଉଛି । ପଶ୍ଚିମ ଓଡିଶାରେ ପ୍ରାଥମିକ ଶ୍ରେଣୀରେ କୋଶଳୀ ଭାଷାରେ ପଢ଼ାଇବା ଲାଗି ବୁଦ୍ଧିଜୀବୀମାନେ ଦାବି କରୁଛନ୍ତି । ତେଣୁ ଯେଉଁଠାରେ ପିଲା ଓଡିଆ ଭାଷା ବୁଝିପାରୁ ନାହାନ୍ତି ସେଠାରେ ଏହା ଅଧାରୁ ପାଠ ଛାଡିବା ହ୍ରାସ କରିବ । ତେଣୁ କୋଶଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ନିମୟିତ ଭାବେ ଦାବି ହୋଇ ଆସୁଥିବା ବିଜେଡି ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର