ମାଲକାନଗିରି ଜିଲ୍ଲାରେ ଅପହରଣ ରାଜନୀତି ସରଗରମ; ବିଜେପିକୁ ହାରିବାର ଭୟ ଘାରିଛି: ବିଜେଡି

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଜେଡି ତରଫରୁ ଆଜି ଏକ  ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ଗର୍ଜିଛନ୍ତି ଦଳୀୟ ନେତା। ବିଜେପିର ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହାରିବାର ଭୟ ରହିଥିବାରୁ ବାରମ୍ବାର ବିଜୁ ଜନତା ଦଳ ଉପରେ ମିଥ୍ୟ ଅପପ୍ରଚାର କରିବା ସହ କପୋଳକଳ୍ପିତ କାହାଣୀ ରଚୁଛନ୍ତି, ଯାହାକୁ ବିଜେଡି ନିନ୍ଦା କରିବା ସହ ଘୋର ବିରୋଧ କରିଛି।

ଆଜି ବିଜେଡିର ବରିଷ୍ଠ କର୍ମୀ ରାଜେନ୍ଦ୍ର ପଣ୍ଡା ଉପସ୍ଥିତ ରହି ବିଜେପି ହାରିବା ଭୟରେ ତାଟିଆ କାମୁଡୁଛି ବୋଲି ଅଭିଯୋଗ କରିଥିଲେ। ଗତ କିଛି ଦିନ ତଳେ କୋରକୋଣ୍ଡା ଜୋନ-୨ର ପ୍ରାର୍ଥୀଙ୍କୁ ଯେଉଁ ମୁଖା ପିନ୍ଧାମାନେ ଅପହରଣ କରିନେଇଥିଲେ ସେନେଇ ବିଜେପି ବିଜେଡିକୁ ଦାୟୀ କରୁଛି। ଏଥିରେ ବିଜେଡିର କୌଣସି ହାତ ନାହିଁ। ବିଜେଡିର ସ୍ବଚ୍ଛ ଶାସନ ଏବଂ ଲୋକପ୍ରିୟତା ଦେଖି ବିଜେପି ଘାବରେଇଲେଣି। ତେଣୁ ଏଣୁତେଣୁ କଥା କହୁଛନ୍ତି ବୋଲି ବିଜେଡି କହିଛି। ବିଜେଡି ବିରୋଧରେ ବିଜେପି ଯେତେ ମିଥ୍ୟା ପ୍ରଚାର କଲେ ମଧ୍ୟ ଲୋକେ ବିଜେଡି ସହ ଅଛନ୍ତି ଓ ରହିବେ। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଭାବମୂର୍ତ୍ତି ଏବଂ ବିକାଶ କାର୍ଯ୍ୟକୁ ବିଜେପି ସହ୍ୟ କରିପାରୁ ନାହିଁ, ଯାହାକୁ ନେଇ ସେ ବର୍ତ୍ତମାନ ଏଭଳି ମନ୍ତବ୍ୟ ଦେବାରେ ପଛାଉ ନାହିଁ।

ସେହିପରି କାଲିମେଳା ଜୋନ-୨ର ପ୍ରାର୍ଥୀନୀ ରୀନା କାବାସୀକୁ ମଧ୍ୟ ବିଜେଡି ହିଁ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଇବା ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଥିବା ନେଇ ମିଥ୍ୟା ପ୍ରଚାର କଲା। ଯେଉଁ ଦଶ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଛି ବୋଲି ବିଜେପି ଡିଣ୍ଡିମ ପିଟୁଛି ତାହା ଦେଖାଇପାରିବ କି ବୋଲି ବିଜେଡି ପ୍ରଶ୍ନ କରିଥିଲା। କାଲିମେଳା ଥାନାର ହୋମଗାର୍ଡ ସୁଧୀର ସ୍ବାଇଁ ଟଙ୍କା ଦେଇଥିବା କହିବା ସହ ବିଜେଡିର ହାତବାରିସି ସାଜିଥିବା ନେଇ ବିଜେପି କହିଥିଲା।

ପୁଣି ବିଜେପି ଅଭିଯୋଗ କରିଛି ଯେ ବିଜେଡିର ଏବେ ମାଟି ତଳୁ ଖସୁଛି। ଏହାକୁ ବିଜେଡି ହାସ୍ୟାସ୍ପଦ ବୋଲି କହିବା ସହ ବିଜେଡିର ବିଜୟ ଧାରାକୁ ସହ୍ୟ କରିନପାରି ଏଭଲି ବିଭ୍ରାନ୍ତିକର ଉକ୍ତି ପ୍ରଦାନ ବିଜେପି କରୁଛି ବୋଲି ବିଜେଡି କହିଥିଲା। ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ଜିଲ୍ଲା ପରିଷଦ ଆସନକୁ ହାତେଇବ ବୋଲି କହିଛି।ଏହି ସାମ୍ବାଦିକ ସମ୍ମିଳନୀରେ ମନୋଜ କୁମାର ବାରିକ, ହୃଦାନନ୍ଦ ସାହୁ ଓ ହେମନ୍ତ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର