ବିଧାନସଭା ବନ୍ଦ ନେଇ ବିଜେପି ଅଭିଯୋଗର ଜବାବ ରଖିଲା ବିଜେଡି- ରାଜନୀତି ନୁହେଁ, କରୋନା ପାଇଁ ଏକାଠି ହେବାର ବେଳ ଆସିଛି

ଭୁବନେଶ୍ୱର: ୟେସ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ଜମା ପ୍ରସଙ୍ଗ  ଓ ବିଧାନସଭା ବନ୍ଦ ନେଇ ଭାରତୀୟ ଜନତା ପାର୍ଟି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ ବିଜୁ ଜନତା ଦଳ ଜବାବ ରଖିଛି।

କରୋନା ଆଳରେ ଗୃହ ବନ୍ଦ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ମୁଖ୍ୟମନ୍ତ୍ରୀ ଯେଭଳି ଗୃହ ବନ୍ଦ କଲେ, ତା’ ପଛରେ ୟେସ ବ୍ୟାଙ୍କରେ ଜଗନ୍ନାଥ ଟଙ୍କା ଜମା କେଳେଙ୍କାରୀ ରହିଛି । କାଳେ ସରକାରଙ୍କ ଚରିତ୍ର ପଦାରେ ପଡିଯିବ, ସେ ନେଇ ଭୟରେ ଗୃହ ବନ୍ଦ କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି ।

ଏହି ଅଭିଯୋଗର  କଡ଼ା ଜବାବ ବିଜେଡି ଦେଇଛି। ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା କହିଛନ୍ତି, ବର୍ତ୍ତମାନ ରାଜନୀତି ନୁହେଁ, କରୋନା ପାଇଁ ଏକାଠି ହେବାର ସମୟ ଆସିଛି। ବିଜେପି ଦ୍ୱାରା ଅଣାଯାଇଥିବା ଅଭିଯୋଗ ସଂପୂର୍ଣ୍ଣ ଭାବେ ନିରାଧାର ବୋଲି ସେ କହିଛନ୍ତି।

କରୋନା ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ତେଣୁ ବିଜେପିର ଅଭିଯୋଗ ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି ବୋଲି କହିଛନ୍ତି ସଞ୍ଜୟ ଦାସବର୍ମା। ସେ କହିଛନ୍ତି କି କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ୨୦୦ କୋଟି ବ୍ୟୟବରାଦ କରିଛନ୍ତି। ଏପରି ବିପର୍ଯ୍ୟୟ ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ନେଇଛନ୍ତି । ଏହାକୁ ନେଇ ବିଜେପି ନେତୃତ୍ୱ କାହିଁକି ଆଶଙ୍କା ପ୍ରକାଶ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଚନ୍ତି । କେନ୍ଦ୍ର ସରକାର ମଧ୍ୟ କରୋନାକୁ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି। କରୋନା ମୁକାବିଲା ପାଇଁ ଓଡ଼ିଶାରେ ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହେବା ଦରକାର। ତେଣୁ ରାଜନୈତିକ ବୟାନବାଜି ନ କରି ଓଡ଼ିଶାର ସ୍ୱାର୍ଥ ପାଇଁ ଏକାଠି ହେବାକୁ ଆହ୍ବାନ କରିଛନ୍ତି ଦାସବର୍ମା।

ସମ୍ବନ୍ଧିତ ଖବର