ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ: ନବୀନ

ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସକୁ ନିର୍ଦ୍ଦେଶ ଦିଅନ୍ତୁ ନିର୍ବାଚନ କମିସନ

ଭୁବନେଶ୍ବର : ଖୋର୍ଦ୍ଧାରେ ଗତକାଲି ବିଳମ୍ବିତ ରାତିରେ ଘଟିଥିବା ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କ ହତ୍ୟାକାଣ୍ଡକୁ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ଏପରି ଘଟଣାକୁ ଘୋର ନିନ୍ଦା କରିଛନ୍ତି। ଟ୍ବିଟ୍ କରି ସ୍ବର୍ଗତଃ ଜେନାଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଅପରାଧୀ ବିରୋଧରେ ଧରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ନିର୍ଦ୍ଦେଶ ଦେବାକୁ ଶ୍ରୀ ପଟ୍ଟନାୟକ ନିର୍ବାଚନ କମିସନଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପଟେ ବିଜେପି ଯେପରି ଏହି ଘଟଣାକୁ ନେଇ ରାଜନୈତିକ ଫାଇଦା ନେବାକୁ ଉଦ୍ୟମ କରୁଛି ତାକୁ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି।

ମଙ୍ଗୁଳି ଜେନାଙ୍କ ପରିବାର ପ୍ରତି ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ବିଜେଡି ହିଂସାରେ ବିଶ୍ବାସ କରେ ନାହିଁ ବୋଲି ବିଜେଡି ସୁପ୍ରିମୋ ସ୍ପଷ୍ଟ କରିଦେଇଛନ୍ତି। ଅନ୍ୟପଟେ ଘଟଣାକୁ ତୀବ୍ର ନିନ୍ଦା କରିଛି ବିଜୁ ଜନତା ଦଳ। ସମ୍ବାଦିକ ସମ୍ମିଳନୀ କରି ବିଜେଡି ମୁଖପାତ୍ର ସସ୍ମିତ୍ ପାତ୍ର କହିଛନ୍ତି, ଓଡ଼ିଶା ଶାନ୍ତିପ୍ରିୟ ରାଜ୍ୟଭାବେ ଦେଶରେ ପରିଚିତ। କିନ୍ତୁ କିଛି ବର୍ଷ ହେଲାଣି ଏହି ଶାନ୍ତିପୂର୍ଣ୍ଣ ବାତାବରଣକୁ ନଷ୍ଟ କରିବା ପାଇଁ ମଧ୍ୟପ୍ରଦେଶ ଓ ବିହାରରୁ ଅପରାଧୀମାନଙ୍କୁ ଆଣି ରାଜନୈତିକ ହିଂସା ସୃଷ୍ଟି କରିବା ପାଇଁ କ୍ଷେତ୍ର ପ୍ରସ୍ତୁତି କରାଯାଇଛି। ବିଜେପୁର ଉପ-ନିର୍ବାଚନ ବେଳେ ଯେଭଳି ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇକୁ ଆକ୍ରମଣ କରାଯାଇଥିଲା ଓ ଜଣେ ବିଜେଡି କର୍ମୀଙ୍କ ହତ୍ୟା ହୋଇଥିଲା ସେହିପରି ଗତକାଲିର ଘଟଣାରେ ବି ସମାନ ଉପାୟ ଅବଲମ୍ବନ କରାଯାଇଥିବା ବିଜେଡି ଅଭିଯୋଗ କରିଛି। ଏହି ଘଟଣାରେ ଅପରାଧୀ ବିରୋଧରେ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ବିଜୁ ଜନତା ଦଳ ଦାବି କରିଛି।

ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ଲେନିନ ମହାନ୍ତି, ମୁଖପାତ୍ର ସୁଲୋଚନା ଦାସ, ମୁଖପାତ୍ର ସୁଲତା ଦେଓ ଓ ମୁଖପାତ୍ର ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର