ବଢ଼ୁଛି ତେଲ ତାତି: ୭ରୁ ପ୍ରତିବାଦ କରିବ ବିଜେଡି

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ୍‌ ଦର ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ କେନ୍ଦ୍ର ସରକାର ସ୍ଥାଣୁ ପାଲଟି ଯାଇଛନ୍ତି। କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍‌ର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ୪ବର୍ଷରେ ଯଥାକ୍ରମେ ୯ଟଙ୍କା ୨୦ରୁ ୧୯ଟଙ୍କା ୪୮କୁ ଏବଂ ୩ଟଙ୍କା ୪୬ରୁ ୧୫ଟଙ୍କା ୩୩ ପଇସାକୁ ବଢ଼ାଇଛନ୍ତି। ଯେଉଁଥିପାଇଁ ସାଢ଼େ ଚାରିବର୍ଷରେ ପେଟ୍ରୋଲ ଓ ଡିଜେଲ୍‌ ମୂଲ୍ୟ ବୃଦ୍ଧି ସର୍ବକାଳୀନ ରେକର୍ଡ ଛୁଇଁଛି। କିନ୍ତୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହୁଛନ୍ତି ତୈଳ ଦର ବୃଦ୍ଧି ପାଇଁ ଆମେରିକା ଦାୟୀ। ହାତ ଟେକିଦେଲେଣି। ଶାସକ ବିଜେଡି ଏଭଳି ଅଭିଯୋଗ ଆଣି ଏହାର ପ୍ରତିବାଦ କରିବାକୁ ଘୋଷଣା କରିଛି। ଆସନ୍ତା ୭ରୁ ୯ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ପର୍ଯ୍ୟାୟ କ୍ରମେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ପ୍ରତିବାଦ କରାଯିବ। ଏହି ତିନିଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ବିଜେଡିର ଛାତ୍ର, ଯୁବ ଓ ମହିଳା ସଂଗଠନ ପକ୍ଷରୁ ଖାଉଟିଙ୍କୁ ସଚେତନ କରାଯିବ। ଆଜି ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଦାସବର୍ମା କହିଲେ, ଲଗାତର ତୈଳ ଦର ବୃଦ୍ଧି ଯୋଗୁଁ ଖାଦ୍ୟପେୟ ଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶଛୁଆଁ ହୋଇଛି। ଏଥିରେ ଗୃହିଣୀ ଠାରୁ ଆରମ୍ଭ କରି ଖଟିଖିଆ ଗରିବ ଲୋକ ପର୍ଯ୍ୟନ୍ତ ସମସ୍ତେ ଅତିଷ୍ଠ ହୋଇଗଲେଣି। କେନ୍ଦ୍ର ସରକାର ଏବେ ତେଲ ଦର ବୃଦ୍ଧି କରି ପ୍ରତି ଘରୁ ଲୁଟ୍‌ ଆରମ୍ଭ କରିଛି। ସାଧାରଣ ଓ ଗରିବ ଲୋକଙ୍କ ସରକାର କହି ୨୦୧୪ରେ କ୍ଷମତାକୁ ଆସିଥିବା ବିଜେପି ଏବେ କେବଳ କର୍ପୋରେଟ୍‌ ଓ ପୁଞ୍ଜିବାଦୀଙ୍କ ହାତବାରିସ ସାଜିଛି ବୋଲି ସେ କହିଛନ୍ତି। ପେଟ୍ରୋଲ ଓ ଡିଜେଲକୁ ଜିଏସ୍‌ଟି ଅନ୍ତର୍ଭୁକ୍ତ କରିବା ଲାଗି ସେ ଦାବି କରିଛନ୍ତି। ଦଳ ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ସରକାର ଗତ ୪ବର୍ଷରେ ୧୨ଥର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବୃଦ୍ଧି କରି ପେଟ୍ରୋଲ ଉପରେ ପ୍ରାୟ ୧୦୦ ପ୍ରତିଶତ ଏବଂ ଡିଜେଲ୍‌ ଉପରେ ୫୦୦ ପ୍ରତିଶତ ଶୁଳ୍କ ବୃଦ୍ଧି କରିଛନ୍ତି। ଏହା କରି କେନ୍ଦ୍ର ସରକାର ଗତ ୪ବର୍ଷରେ ୧୧ଲକ୍ଷ କୋଟି ଟଙ୍କା ଆଦାୟ କରିସାରିଲେଣି। କେନ୍ଦ୍ର ସରକାର ଚାହିଁଥିଲେ ଏହି ଅର୍ଥ ରିହାତି ବାବଦରେ ତେଲ ଦର କମାଇପାରିଥାନ୍ତେ।

ତିନିଦିନ ପେଟ୍ରୋଲ ପମ୍ପ ସମ୍ମୁଖରେ ଖାଉଟିଙ୍କୁ ସଚେତନ କରାଯିବ
କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ନକମାଇ ରାଜ୍ୟ ଉପରେ ଦୋଷ ଲଦୁଛନ୍ତି

କେବଳ ସେତିକି ନୁହେଁ, କେନ୍ଦ୍ର ସରକାର ଟିକସ ନ କମାଇ ରାଜ୍ୟ ସରକାରଙ୍କୁ ଭାଟ୍‌ ହ୍ରାସ ପାଇଁ ପରାମର୍ଶ ଦେଉଛନ୍ତି। ଯେତେବେଳେ କି ଓଡ଼ିଶାରେ ତେଲ ଉପରେ ଭାଟ୍‌ ଅନ୍ୟ ରାଜ୍ୟ ତୁଳନାରେ କମ୍‌ ରହିଛି। ମହାରାଷ୍ଟ୍ରରେ ୨୦୧୮ ମାର୍ଚ୍ଚରୁ ୨୬ପ୍ରତିଶତ ଭାଟ୍‌ ସହ ଲିଟର ପିଛା ୯ଟଙ୍କା ଅତିରିକ୍ତ ଶୁଳ୍କ ଆଦାୟ ହେଉଛି। ଆସାମରେ ସରକାର ପେଟ୍ରୋଲ ଉପରେ ଭାଟ୍‌ ୩୨.୬୬ ପ୍ରତିଶତ ଥିବାବେଳେ ରାଜସ୍ଥାନରେ ୩୦ପ୍ରତିଶତ ଭାଟ୍‌ ସହ ପ୍ରତି ହଜାର ଲିଟର ପିଛା ୧୫୦୦ଟଙ୍କା ରାସ୍ତା ଉନ୍ନତୀକରଣ ସେସ୍‌ ନେଉଛନ୍ତି। ଏହା ତୁଳନାରେ ଓଡ଼ିଶାରେ ବହୁତ କମ୍‌ ଭାଟ୍‌ ଆଦାୟ ହେଉଛି। ଏସମ୍ପର୍କରେ ରାଜ୍ୟର ଖାଉଟିମାନଙ୍କୁ ସଚେତନ କରାଯିବ ବୋଲି ଦଳର ଅନ୍ୟତମ ସାଧାରଣ ସମ୍ପାଦକ ଅରୁଣ ସାହୁ କହିଛନ୍ତି। ପରିସଂଖ୍ୟାନ ରଖି ଦଳ କହିଛି, କେନ୍ଦ୍ର ସରକାର ବିଦେଶରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଶସ୍ତା ଦରରେ ବିକ୍ରି କରୁଥିବାବେଳେ ଦେଶରେ ଅଧିକ ଦରରେ ବିକ୍ରି କରୁଛନ୍ତି। ବିତ୍ତଶାଳୀ ୨୯ଟି ଦେଶକୁ ଲିଟର ପିଛା ୩୭ଟଙ୍କାରେ ଡିଜେଲ୍‌ ରତ୍ପାନି କରୁଥିବା ବେଳେ ୧୫ଟି ଦେଶକୁ ଲିଟର ପିଛା ୩୪ଟଙ୍କାରେ ପେଟ୍ରୋଲ ରତ୍ପାନି କରୁଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଅର୍ଥନୀତି କ’ଣ ତାହାର ଜବାବ ଲୋକଙ୍କୁ ମିଳିବା ଦରକାର। ଅପରପକ୍ଷେ ପାକିସ୍ତାନରେ ପେଟ୍ରୋଲ ମୂଲ୍ୟ ୫୦.୬୭ଟଙ୍କା ଥିବାବେଳେ ଶ୍ରୀଲଙ୍କାରେ ୪୯.୬୭ ଏବଂ ନେପାଳରେ ୬୬.୬୯ଟଙ୍କା ରହିଛି। କେନ୍ଦ୍ର ସରକାରଙ୍କ ଟିକସ ମାୟାରେ ଏବେ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି। ଖାଉଟି ସ୍ୱାର୍ଥକୁ ସୁହାଇଲା ଭଳି ତୈଳ ଦର ଲାଗୁ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ବିଜୁ ମହିଳା କ୍ୟାଡରର ମୁଖ୍ୟ ପ୍ରମିଳା ମଲ୍ଲିକ, ଛାତ୍ର ସଂଗଠନ ମୁଖ୍ୟ ରାଣା ପ୍ରତାପ, ଯୁବ ସଂଗଠନର ମୁଖ୍ୟ ଅମରେଶ ପତ୍ରି, ଚିନ୍ମୟ ସାହୁ, ମୁଖପାତ୍ର ସସ୍ମିିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର