ଗୋଟିଏ ବର୍ଷରେ ବିଜୁ ଜନତା ଦଳର ସମ୍ପତ୍ତି ୫୩% ବଢ଼ିଛି

ଭୁବନେଶ୍ୱର : ଗୋଟିଏ ବର୍ଷରେ ବିଜୁ ଜନତା ଦଳର ସମ୍ପତ୍ତି ପରିମାଣ ୫୩.୩୦ ପ୍ରତିଶତ ବଢ଼ିଛି। ୨୦୧୬-୧୭ ବର୍ଷରେ ବିଜେଡି ତାହାର ମୋଟ ସମ୍ପତ୍ତି ପରିମାଣ ୧୬.୪୨ କୋଟି ଟଙ୍କା ଦର୍ଶାଇ ଥିବାବେଳେ ୨୦୧୭-୧୮ ବର୍ଷରେ ଏହା ବୃଦ୍ଧି ପାଇ ୨୫କୋଟି ୧୭ଲକ୍ଷ ଟଙ୍କାରେ ପହଞ୍ଚିଛି। ନେସନାଲ୍‍ ଇଲେକସନ ୱାଚ୍‍ ଓ ଏଡିଆର ପକ୍ଷରୁ ଆଞ୍ଚଳିକ ଦଳଗୁଡ଼ିକର ସମ୍ପତ୍ତି ପରିମାଣ ବିଶ୍ଳେଷଣ କରି ଏହି ସୂଚନା ଦିଆଯାଇଛି।

ଏଡିଆର ତାହାର ରିପୋର୍ଟରେ ଦର୍ଶାଇଛି ଯେ ୨୦୧୬-୧୭ ବର୍ଷରେ ଦେଶର ୩୯ଟି ରାଜନୈତିକ ଦଳ ସେମାନଙ୍କର ସମ୍ପତ୍ତି ପରିମାଣ ୧୨୬୭କୋଟି ୮୧ଲକ୍ଷ ଟଙ୍କା ଥିବା ଦର୍ଶାଇଥିଲେ। ତେବେ ୨୦୧୭-୧୮ ବର୍ଷରେ ୪୧ଟି ଆଞ୍ଚଳିକ ଦଳ ସେମାନଙ୍କର ସମ୍ପତ୍ତି ପରିମାଣ ୧୩୨୦କୋଟି ୬ଲକ୍ଷ ଟଙ୍କା ହୋଇଥିବା ଦର୍ଶାଇଛନ୍ତି। ତେବେ ଏହି ସମୟ ମଧ୍ୟରେ ବିଜେଡିର ସମ୍ପତ୍ତି ପରିମାଣ ୧୬କୋଟି ୪୨ଲକ୍ଷ ଟଙ୍କାରୁ ବୃଦ୍ଧି ପାଇ ୨୫କୋଟି ୧୭ଲକ୍ଷ ଟଙ୍କାରେ ପହଞ୍ଚିଛି।

ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ସମ୍ପତ୍ତି ପରିମାଣ କ୍ଷେତ୍ରରେ ଏକ ନମ୍ବର ସ୍ଥାନରେ ରହିଛି ସମାଜବାଦୀ ପାର୍ଟି। ଏହି ଦଳର ସମ୍ପତ୍ତି ପରିମାଣ ୨୦୧୬-୧୭ ବର୍ଷରେ ୫୭୧କୋଟି ୧୨ ଲକ୍ଷ ଟଙ୍କା ଥିବାବେଳେ ଗୋଟିଏ ବର୍ଷ ମଧ୍ୟରେ ତାହା ବୃଦ୍ଧି ପାଇ ୫୮୩କୋଟି ୨୯ଲକ୍ଷ ଟଙ୍କାରେ ପହଞ୍ଚିଥିଲା। ଏହା ପଛକୁ ରହିଛି ଡିଏମ୍‍କେ। ଏହି ଦଳର ସମ୍ପତ୍ତି ୧୮୩ କୋଟି ରୁ ୧୯୧ କୋଟି ଟଙ୍କାକୁ ବଢିଥିବା ବେଳେ ଏଆଇଏଡିଏମ୍‍କେର ସମ୍ପତ୍ତି ପରିମାଣ ୧୮୭କୋଟି ୭୨ଲକ୍ଷ ଟଙ୍କାରୁ ୧୮୯ କୋଟି ୫୪ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ଟିଡିପି, ଟିଆରଏସ୍‍, ଆରଜେଡି, ଜେଡିଏସ୍‍ ଓ ଜେଡିୟୁ ଭଳି ଆଞ୍ଚଳିକ ରାଜନୈତିକ ଦଳର ସମ୍ପତ୍ତି ପରିମାଣ ବି ବୃଦ୍ଧି ପାଇଥିବା ନେସନାଲ ଇଲେକସନ ଵାଚ୍ ତାହାର ରିପୋର୍ଟରେ ଦର୍ଶାଇଛି। ଏଥିରେ ଦର୍ଶା ଯାଇଛି ଯେ ୨୦୧୬-୧୭ ବର୍ଷରେ ୧୦ଟି ପ୍ରମୁଖ ଆଞ୍ଚଳିକ ରାଜନେତିକ ଦଳର ସମ୍ପତ୍ତି ପରମାଣ ୧୧୭କୋଟି ଟଙ୍କା ଥିବା ବେଳେ ୨୦୧୭-୧୮ ବର୍ଷରେ ତାହା ୧୨୫କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଆଞ୍ଚଳିକ ଦଳ ଗୁଡିକ ସେମାନଙ୍କ ସମ୍ପତ୍ତି ଭାବେ ସ୍ଥାୟୀ ସମ୍ପତ୍ତି, ଋଣ ଏବଂ ଅଗ୍ରୀମ, ଏଫ୍‍ଡିଆର/ଜମା, ଟିଡିଏସ୍‍, ନିବେଶ ଏବଂ ଅନ୍ୟାନ୍ୟ ଦର୍ଶାଇଥାନ୍ତି। ୨୦୧୭-୧୮ ବର୍ଷରେ ଆଞ୍ଚଳିକ ଦଳ ଗୁଡିକ ସ୍ଥାୟୀ ଜମା ଆକାରରେ ୮୫୯କୋଟି ୮୯ ଲକ୍ଷ ଟଙ୍କା ଥିବା ଦର୍ଶାଇଥିଲେ ଯାହାକି ମୋଟ ସମ୍ପତ୍ତିର ୬୫.୧୫ ପ୍ରତିଶତ ଅଟେ। ସେହିଭଳି ଏହି ରାଜନୈତିକ ଦଳ ଗୁଡିକ ୨୦୧୬-୧୭ ବର୍ଷରେ ୧୬୮କୋଟି ୯୧ ଲକ୍ଷ ଟଙ୍କା ନିବେଶ କରିଥିବାବେଳେ ୨୦୧୭-୧୮ ବର୍ଷରେ ଏହାର ପରିମାଣ ୧୮୦କୋଟି ୮୯ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା। ଅର୍ଥନିବେଶ କ୍ଷେତ୍ରରେ ଡିଏମ୍େ‍କ ଦଳ ସବୁଠାରୁ ଆଗରେ ରହିଛି। ୨୦୧୭-୧୮ ବର୍ଷରେ ଏହି ଦଳ ଏକାକୀ ୧୭୧ କୋଟି ୪୮୪ କୋଟି ଟଙ୍କା ନିବେଶ କରିଥିଲା ଯାହାକି ପୂର୍ବବର୍ଷ ତୁଳନାରେ ପ୍ରାୟ ୧୦ କୋଟି ଟଙ୍କା ଅଧିକ ଥିଲା।

ସମ୍ବନ୍ଧିତ ଖବର