ଭୁବନେଶ୍ବର : ପୂର୍ବତଟ ରେଳପଥର ବିଭାଜନକୁ ନେଇ ରାଜ୍ୟ ରାଜନୀତି ଜୋର୍‌ ଧରିଛି। କଂଗ୍ରେସ ଏହି ପ୍ରସ୍ତାବକୁ ବିରୋଧ କରିଥିଲା ବେ‌େଳ ଆଜି ବିଜେଡି ରାସ୍ତାକୁ ଓହ୍ଲାଇଛି। ଦଳ ପକ୍ଷରୁ ପୂର୍ବତଟ ରେଳପଥ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କଡ଼ା ପ୍ରତିବାଦ ଜଣାଇଛନ୍ତି। ଅପର ପକ୍ଷରେ ବିଜେଡି ହୀନ ରାଜନୀତି କରୁଛି ବୋଲି ଆକ୍ଷେପ କରିଛି ବିଜେପି।

Advertisment

ବିଜେଡି ପକ୍ଷରୁ ହୋଇଥିବା ବିକ୍ଷୋଭ ଓ ପ୍ରତିବାଦ ସଭାରେ ଦଳର ନେତାମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଷୋଦଗାର କରିଥିଲେ। ସେମାନେ କହିଥିଲେ, କେନ୍ଦ୍ର ସରକାର ପୂର୍ବତଟ ରେଳପଥକୁ ବିଭାଜନ କରି ନୂଆ କରି ଦକ୍ଷିଣତଟ ରେଳପଥ ଜୋନ୍ କରିବା ନିଷ୍ପତ୍ତି ଓଡ଼ିଶାର ରେଳବାଇ ବିକାଶରେ ବଡ଼ ପ୍ରତିବନ୍ଧକ ସାଜିବ। ଗୋଟିଏ ପଟେ ଉତ୍ତର ଓ ପଶ୍ଚିମ ଓଡ଼ିଶାର ବିସ୍ତୃତ ଅଞ୍ଚଳ, ଯେଉଁଠାରୁ ଅଧିକ ପରିମାଣର କୋଇଲା ଓ ଲୁହାପଥର ରେଳ ଦ୍ବାରା ପଠାଯାଇଥାଏ, ତାହା ବିଳାସପୁର( ଏସଇସିଆର) ଓ ଚକ୍ରଧରପୁର (ଏସଇଆର) ଡିଭିଜନ ଅଧୀନରେ ପୂର୍ବବତ ରହିଥିବାରୁ ଓଡ଼ିଶାର ଜନସାଧାରଣ ନିଜ ରାଜ୍ୟ ଭିତରୁ ସେବା ପାଇବା ଅଧିକାରରୁ ବଞ୍ଚିତ ହୋଇଛନ୍ତି। ଏବେ ପୁଣି ଵାଲଟିୟର ରେଳ ଡିଭିଜନକୁ ଫାଳ ଫାଳ କରି ବୃହତର ଅଂଶକୁ ନୂଆ ରେଳପଥ ଜୋନ୍ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ ଓ ପ୍ରୟାସ ଓଡ଼ିଶାର ପୂର୍ବତଟ ରେଳପଥ ଲାଗି ମୃତ୍ୟୁର ଘଣ୍ଟି ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଓଡ଼ିଶା ପାଇଁ କେବଳ କୁମ୍ଭୀର କାନ୍ଦଣା କାନ୍ଦିବାରେ ବ୍ୟସ୍ତ ଥିବା ଅଛନ୍ତି। ଆନ୍ଧ୍ରବାସୀଙ୍କୁ ସନ୍ତୁଷ୍ଟ କରି ନିର୍ବାଚନରେ ଫାଇଦା ହାସଲ କରିବା ଓ ଓଡ଼ିଶାର ରେଳପଥ କ୍ଷେତ୍ରକୁ ଧ୍ବସ୍ତବିଧ୍ବସ୍ତ କରିବା ଏବଂ ଓଡ଼ିଶାକୁ ଠକିବା ଆଗାମୀ ଦିନରେ ମହଙ୍ଗା ପଡ଼ିବ ବୋଲି ସେମାନେ ସତର୍କ କରାଇ ଦେଇଥିଲେ। କେନ୍ଦ୍ର ସରକାର ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ନ ଆଣିଲେ ବିଜେଡିର ଛାମୁଆ ସଂଗଠନ ଆଗାମୀ ଦିନରେ ରାଜ୍ୟବ୍ୟାପୀ ରାଜରାସ୍ତାକୁ ଓହ୍ଲାଇବ ବୋଲି ବିଜେଡି ନେତାମାନେ ଚେତାବନୀ ଦେଇଥିଲେ। ବିକ୍ଷୋଭ କାର୍ଯ୍ୟକ୍ରମରେ ବିଧାୟକ ସଞ୍ଜୟ କୁମାର ଦାସବର୍ମା, ବିଜୟ ମହାନ୍ତି ଓ ପ୍ରିୟଦର୍ଶୀ ମିଶ୍ର, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର ଓ ମହିଳା ବିଜେଡି ସଭାନେତ୍ରୀ ମିନତି ବେହେରାଙ୍କ ସମେତ ବହୁ ନେତା ଅଂଶଗ୍ରହଣ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ନିଜର ଅସନ୍ତୋଷ ଜଣାଇଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି, ପୂର୍ବତଟ ରେଳପଥରୁ ୱାଲ୍‌ଟିୟର ଡିଭିଜନ୍‌ରୁ କିଛି ଅଂଶ କାଢ଼ି ନେଇ ଦକ୍ଷିଣ ତଟ ରେଳପଥ ଜୋନ୍‌ ଘୋଷଣା କରିବା ଓଡ଼ିଶାବାସୀଙ୍କୁ ଶକ୍ତ ଧକ୍କା ଦେଇଛି। ଦେଶରେ ସର୍ବାଧିକ ବୃହତ୍‌ ଖଣିଜ ଦ୍ରବ୍ୟ ଯଥା: କୋଇଲା, ଲୁହା, ବକ୍ସାଇଟ୍‌, ମାଙ୍ଗାନିଜ୍‌ ଆଦି ଓଡ଼ିଶାରେ ଉପଲବ୍ଧ। ଶିଳ୍ପାୟନ ଓ ମେକ୍‌ ଇନ୍‌ ଓଡ଼ିଶା ଭଳି ପଦକ୍ଷେପ ରାଜ୍ୟ ସରକାର ନେଉଥିବାରୁ ରାଜ୍ୟ ଭିତରେ ଏସବୁ ଖଣିଜକୁ ମୂଲ୍ୟଯୁକ୍ତ କରିବାକୁ ସକ୍ଷମ ହେଉଛନ୍ତି। ବିଶେଷ କରି ରାଜ୍ୟର ଇସ୍ପାତ ଓ ଆଲୁମିନିୟମ ଉତ୍ପାଦନ ଦେଶରେ ସର୍ବାଧିକ। ବିଦ୍ୟୁତ୍‌ ଉତ୍ପାଦନକାରୀ ପ୍ଲାଣ୍ଟ, ବନ୍ଦର, ଅନ୍ୟାନ୍ୟ ପ୍ରମୁଖ ଭିତ୍ତିଭୂମି ଯୋଗୁଁ ଶିଳ୍ପ ଉତ୍ପାଦନ ଓ ଅଭିବୃଦ୍ଧି ଉଲ୍ଲେଖନୀୟ ହୋଇପାରିଛି। ଏଭଳି ଅଭିବୃଦ୍ଧିକୁ ବଜାୟ ରଖିବାକୁ ହେଲେ ରାଜ୍ୟରେ ଏକ ସ୍ବତନ୍ତ୍ର ଦକ୍ଷ ଓ ଦୃଢ଼ ରେଳ ପ୍ରାଶାସନିକ ସଂଗଠନର ଆବଶ୍ୟକତା ଅପରିହାର୍ଯ୍ୟ।

ରାଜ୍ୟ ସରକାର ହରିଦାସପୁର-ପାରାଦୀପ, ଅନୁଗୁଳ-ସୁକିନ୍ଦା ଭଳି ନୂଆ ରେଳପଥ ପ୍ରକଳ୍ପ ବାବଦରେ ଆବଶ୍ୟକ ପଡ଼ୁଥିବା ଅର୍ଥ ଭରଣା କରିବାକୁ ଆଗେଇ ଆସିଥିବା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଖୋର୍ଧା ରୋଡ୍‌-ବଲାଙ୍ଗୀର, ଜୟପୁର-ମାଲକାନଗିରି, ଜୟପୁର-ନବରଙ୍ଗପୁର ଭଳି ପ୍ରକଳ୍ପ ନିମନ୍ତେ ସରକାର ମାଗଣାରେ ଜମି ଯୋଗାଇ ଦେଉଛନ୍ତି। ଏଭଳି ବିଭିନ୍ନ ରେଳ ପ୍ରକଳ୍ପ ନିମନ୍ତେ ରାଜ୍ୟ ସରକାର ପ୍ରାୟ ୫ ହଜାର କୋଟି ନିବେଶ ପାଇଁ ପ୍ରତିଶ୍ରୁତିବଦ୍ଧ। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ରେଳ ପୁନର୍ଗଠନ କରି ରାଜ୍ୟ ଭିତରେ ଯାଇଥିବା ବିଭିନ୍ନ ରେଳପଥକୁ ପୂର୍ବତଟ ରେଳବାଇ ଅଧୀନରେ ଆଣିବାକୁ ରାଜ୍ୟ ଦାବି କରୁଛି। ତେବେ କେନ୍ଦ୍ର ସରକାର ଦକ୍ଷିଣ ତଟ ରେଳ ସୃଷ୍ଟି କରିଥିବାରୁ ଓଡ଼ିଶାର ଅନୁରୂପ ଦାବି ପୂରଣ ଦାବିକୁ ବିଚାର କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି। ଏ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରି ରାଉରକେଲା ଓ ଯାଜପୁରକୁ ୨ଟି ନୂଆ ରେଳ ଡିଭିଜନ୍‌ ଘୋଷଣା କରିବା ସହିତ ସମଗ୍ର ଓଡ଼ିଶାର ରେଳପଥକୁ ପୂର୍ବତଟ ରେଳ ପ୍ରଶାସନିକ ନିୟନ୍ତ୍ରଣାଧୀନ କରିବାକୁ ସେ ଅନୁରୋଧ କରିଛନ୍ତି। ‌େ‌ଯ ପର୍ଯ୍ୟନ୍ତ ସେହି ଦାବିଗୁଡ଼ିକ କାର୍ଯ୍ୟକାରୀ ନ ହୋଇଛି, ଓଡ଼ିଶାର ବିନା ପରାମର୍ଶରେ ବିଶାଖାପାଟଣା ମୁଖ୍ୟ ଦପ୍ତରରେ ଦକ୍ଷିଣ ତଟ ରେଳପଥ କାର୍ଯ୍ୟକ୍ଷମ ନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତିି।

ଅପର ପକ୍ଷରେ ଏହାର ପ୍ରତିବାଦ କରିଛି ବିଜେପି। ଦଳର ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ନିଜର ଅପାରଗତାକୁ ଲୁଚାଇବାକୁ ଯାଇ ବିଜେଡି ଔଷଧ ବିକଳରେ ତାଟିଆ କାମୁଡ଼ୁଛି। ପୂର୍ବରୁ ଓଡ଼ିଶାକୁ ରେଳ ବଜେଟ୍‌ରେ କଂଗ୍ରେସ ସରକାର ୫ ବର୍ଷରେ ୫ ହଜାର ଟଙ୍କା ଅନୁଦାନ ଦେଉଥିଲା ବେଳେ ଗତ ୫ ବର୍ଷରେ ମୋଦୀ ସରକାର ୨୦ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରିଛନ୍ତି। ଏହା ସତ୍ତ୍ବେ ଜଙ୍ଗଲ ଜମି ଅଧିଗ୍ରହଣ ହୋଇ ପାରି ନ ଥିବାରୁ ୧୨,୨୨୦ କୋଟି ଟଙ୍କା ଓ ୧୦୨୦ କିମି ରେଳ ଲାଇନ୍‌ର କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ। ପୂର୍ବତଟ ରେଳପଥର ବିଭାଜନ ପରେ ରାୟଗଡ଼ାରେ ଏକ ନୂଆ ଡିଭିଜନ୍ ହେବ। ଏହି ଡିଭିଜନ୍ ଦ୍ବାରା ରାୟଗଡ଼ା ସମେତ ୮ଟି ଜିଲ୍ଲାର ବିକାଶ ହୋଇପାରିବ। ଏତେ ସୁବିଧା ପରେ ଶାସକ ବିଜେଡି ନିଜର ଦୁର୍ବଳତା ଲୁଚାଇବାକୁ ଅଯଥା ରାଜନୀତି କରୁଛି।