ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଓଡ଼ିଶା ବିରୋଧୀ ମନୋଭାବ ସହିତ ଦରଦାମ ବୃଦ୍ଧି ବିରୋଧରେ ଗର୍ଜିଛି ବିଜେଡି। ଦଳ ପକ୍ଷରୁ ଗୁରୁବାର ଦିନ ବିଧାନସଭା ନିକଟରେ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଝିପିଝିପି ବର୍ଷା ସତ୍ତ୍ବେ ଦଳର ଯୁବ, ଛାତ୍ର ଓ ମହିଳା ଶାଖାର ଶତାଧିକ କର୍ମୀ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଦଳୀୟ କର୍ମୀ, ନେତାଙ୍କୁ ନେଇ ବାଇକ୍ ଶୋଭାଯାତ୍ରା ପାର୍ଟି କାର୍ଯ୍ୟାଳୟରୁ ବାହାରି ବିଧାନସଭା ନିକଟ ବିକ୍ଷୋଭ ସ୍ଥଳ ନିକଟରେ ପହଞ୍ଚିଥିଲା। ଏହାସହ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଦଳର କର୍ମୀଙ୍କ ସମେତ ଦଳର ନେତୃବୃନ୍ଦ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଥିଲେ। ଦଳ ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି। ତୈଳ ଦର ଅହେତୁକ ଭାବେ ବୃଦ୍ଧି ପାଇଛି। ରନ୍ଧନ ଗ୍ୟାସ୍ ଦର ଲୋକଙ୍କ ଅଣ୍ଟା ଭାଙ୍ଗି ଦେଲାଣି। ମହିଳାମାନେ ପୁଣିଥରେ ଚୂଲି ମୁଣ୍ଡକୁ ଫେରିବାକୁ ବାଧ୍ୟ ହୋଇଛନ୍ତି। ଦରଦାମ ବୃଦ୍ଧି ସାଧାରଣ ଗରିବ ଖଟିଖିଆଙ୍କୁ ବହୁତ ବାଧୁଛି। କରୋନା ସମୟରେ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଥିବା ବେଳେ ଦରଦାମ୍ ବୃଦ୍ଧି ବୋଝ ଉପରେ ଲଳିତା ବିଡ଼ା ସାଜିଛି। ୨୦୧୪ ମସିହାରେ କେନ୍ଦ୍ର ସରକାର ଯେଉଁ ନାରା ଦେଇ ଶାସନକୁ ଆସିଥିଲେ ଆଜି ଏହାର ଓଲଟା ଦେଖିବାକୁ ମିଳିଛି। ମୋଦୀ ସରକାରଙ୍କ ‘ଅଚ୍ଛେ ଦିନ୍’ ପ୍ରତିଶ୍ରୁତି ଏବେ ପ୍ରତାରଣାରେ ପରିଣତ ହୋଇଛି। ମିଛ ପ୍ରତିଶ୍ରୁତି ଦେଇ ଭୋଟ ନେବା କେନ୍ଦ୍ର ସରକାରଙ୍କ ଏକ ପ୍ରହସନରେ ପରିଣତ ହୋଇଗଲାଣି। ଦରଦାମ ବୃଦ୍ଧି ବିଜେଡିର ପ୍ରସଙ୍ଗ ନୁହେଁ, ଏହା ସାଧାରଣ ଲୋକଙ୍କ ପ୍ରସଙ୍ଗ। କେବଳ ଦରଦାମ୍ ବୃଦ୍ଧି ନୁହେଁ, ଓଡ଼ିଶାକୁ ବିଭିନ୍ନ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରାଯାଉଛି। ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦିଆଗଲା ନାହିଁ। କେନ୍ଦ୍ର ମନ୍ତ୍ରୀ ରାଜଧାନୀରେ ଏହାକୁ ମାନ୍ୟତା ଦେବା ପାଇଁ କହିଥିଲେ। ହେଲେ ଏବେ ମାନ୍ୟତା ଦେବାକୁ ମନା କରୁଛନ୍ତି। ଅପରପକ୍ଷରେ ରାଜ୍ୟ ସରକାର ଗତ ୨୧ବର୍ଷରେ ରାଜ୍ୟ ସରକାରଙ୍କ ଲୋକଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା କରିଛନ୍ତି। ତେଣୁ କେନ୍ଦ୍ର ସରକାର ଦରଦାମ ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ନିୟନ୍ତ୍ରଣ ନ କଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।
ଆଜିର ବିକ୍ଷୋଭ କାର୍ଯ୍ୟକ୍ରମରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମହିଳା ସଭାପତି ସ୍ନେହାଙ୍ଗିନୀ ଛୁରିଆ, ଯୁବ ସଭାପତି ବ୍ୟୋମକେଶ ରାୟ, ଛାତ୍ର ସଭାପତି ଦେବୀ ରଂଜନ ତ୍ରିପାଠୀ, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ପ୍ରଣବ ବଳବନ୍ତରାୟ ଓ ରୁଦ୍ର ମହାରଥୀ ପ୍ରମୁଖ ଯୋଗ ଦେଇଥିଲେ।