ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡ଼ିଶାର ଚାଷୀମାନେ ପାଇବାକୁ ଥିବା ଅର୍ଥ ଠିକ୍ ସମୟରେ ମିଳୁନଥିବା ପ୍ରତିବାଦରେ ସୋମବାର ଦିନ ବିଜେଡି ପକ୍ଷରୁ ରାଜଭବନ ସମ୍ମୁଖ ସମେତ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାସହ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ସୋମବାର ଦିନ ବିଜେଡି ପକ୍ଷରୁ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ବରେ ଶହଶହ ଚାଷୀଙ୍କୁ ନେଇ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ବିଜେଡି ବିଧାୟକମାନେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ସର୍ବଦା ଗୁରୁତ୍ବ ଦେଉଥିବାବେଳେ ବାରମ୍ବାର କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ଓଡ଼ିଶା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଉଛି। ଯେ ପର୍ଯ୍ୟନ୍ତ କେନ୍ଦ୍ର କେନ୍ଦ୍ର ସରକାର ଚାଷୀଙ୍କ ପ୍ରତି ଅବହେଳା କରୁଥିବେ ସେତେଦିନ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଏ ଲଢ଼େଇ ଜାରି ରହିବ। ଚାଷୀମାନେ ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କୁ କଡ଼ା ଜବାବ୍ ଦେବେ।
ଏହି ବିକ୍ଷୋଭରେ ବିଧାୟକ ଅନନ୍ତ ନାରାୟଣ ଜେନା, ନୃସିଂହ ସାହୁ, ରମେଶ ବେହେରା, ଅରବିନ୍ଦ ଢାଲି, ଦେବୀ ରଂଜନ ତ୍ରିପାଠୀ,ରାଜେନ୍ଦ୍ର ସାହୁ, ଉମାକାନ୍ତ ସାମନ୍ତରାୟ, ସୁଧୀର ସାମଲ, ରୁଦ୍ର ପ୍ରତାପ ମହାରଥୀ, ସତ୍ୟ ନାରାୟଣ ପ୍ରଧାନ, ସୌଭିକ୍ ବିଶ୍ବାଳ, ବିଏମ୍ସି ମେୟର ସୁଲୋଚନା ଦାସ, ବିଭୂତି ବଳବନ୍ତରାୟ, ଅରୂପ ପଟ୍ଟନାୟକ, ରବି ସାମଲ, ସୁବାସ ଚନ୍ଦ୍ର ପାତ୍ର, ଦୁର୍ଗା ସାମନ୍ତରାୟ, ଅମରେଶ ଜେନା, ବିରଞ୍ଚି ନାରାୟଣ ମହାସୁପକାର, ମଞ୍ଜୁଲତା କହଁର, ବିଜୟଲକ୍ଷ୍ମୀ ମହାପାତ୍ର, ଦେବାଶିଷ ପଟ୍ଟନାୟକ, ସୁବାସ ସାହୁଙ୍କ ସମେତ ବିଏମ୍ସିର ବହୁ କର୍ପୋରେଟର, ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ଖୋର୍ଦ୍ଧା, ବେଗୁନିଆ, ସତ୍ୟବାଦୀ, ପିପିଲି, ରଣପୁର, କଟକ ଚୌଦ୍ବାର, କଟକ ସଦର, ବାଙ୍କୀ, ଜଟଣୀ, ଜୟଦେବ, ଦଶପଲ୍ଲା ଆଦି ଅଞ୍ଚଳରୁ ଶହ ଶହ ଚାଷୀ ଏଥିରେ ସାମିଲ୍ ହୋଇଥିଲେ।