ଭୁବନେଶ୍ବର : ରୋଷେଇ କରିବା ପାଇଁ ଚୁଲିରେ କାଠ ଜାଳିଜାଳି ଓଡ଼ିଶା ତଥା ଭାରତବର୍ଷର ମହିଳାଙ୍କ ଆଖିରେ ଲୁହ ନ ଆଣିବା ପାଇଁ କେନ୍ଦ୍ର ସରକାର ଉଜ୍ଜ୍ବଳା ଯୋଜନା କରିଛନ୍ତି। କିନ୍ତୁ ଗ୍ୟାସ୍‌ ଦରକୁ ଏମିତି ବଢ଼ାଇଛନ୍ତି ଯେ ମହିଳାମ‌ାନେ ପୁଣି ଥରେ ଚୁଲିକୁ ଫେରି କାଠ ଜାଳୁଛନ୍ତି ଓ ଆଖିରୁ ଲୁହ ଗଡ଼ାଇବାକୁ ବାଧ୍ୟ ହେଉଛନ୍ତି। କେନ୍ଦ୍ର ସରକାରଙ୍କ ଏଭଳି ଲୋକ ଦେଖାଣିଆ କାରବାର ଲୋକମାନେ ବୁଝିପାରୁଛନ୍ତି। କେବଳ ଗ୍ୟାସ୍‌ ନୁହେଁ, ୨୦୧୪ରେ କେନ୍ଦ୍ରରେ ବିଜେପି ଦାୟିତ୍ୱ ନେବା ସମୟରେ ଗ୍ୟାସ୍‌ ଦାମ ୫୦୦ ଟଙ୍କା ଥିବା ବେଳେ ଏବେ ୧୨୦୦ ଟଙ୍କା, ପେଟ୍ରୋଲ ଦର ୬୦ ଟଙ୍କା ଥିବା ବେଳେ ଏବେ ୧୨୦ ଟଙ୍କା ଓ ଡିଜେଲ ୫୦ ଟଙ୍କା ଥିବା ବେଳେ ଏବେ ୧୧୦ ଟଙ୍କା ହେଲାଣି। ୯ ବର୍ଷ ଭିତରେ କେନ୍ଦ୍ର ସରକାର କେବଳ ଏହି ଦରବୃଦ୍ଧିରେ ଆଗୁଆ ଅଛନ୍ତି। ଭୋଟ ରାଜନୀତି ନ କରି ବିଜେପି ସରକାର ଦର ନିୟନ୍ତ୍ରଣ କରନ୍ତୁ, ନ ହେଲେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ ହେବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

Advertisment

ବୁଧବାର ଦିନ ବିଜେଡି ତରଫରୁ ରନ୍ଧନ ଗ୍ୟାସ୍‌, ପେଟ୍ରୋଲ, ଡିଜେଲର ଅହେତୁକ ଦରବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ରାଜଭବନ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସଭା ପରେ ଏକ ୩୦ ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲା। ବିଧାୟକ ତଥା ଭୁବନେଶ୍ବର ଜିଲ୍ଲା ବି‌ଜେଡି ସଭାପତି ସୁଶାନ୍ତ ରାଉତ, ବିଧାୟକ ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ଅନନ୍ତ ନାରାୟଣ ଜେନା, ଦେବୀ ରଂଜନ ତ୍ରିପାଠୀ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, ଓଡିଶା ମତ୍ସ୍ୟନିଗମ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପାତ୍ର, କର୍ପୋରେଟର ଅମରେଶ ଜେନା, ଚିନ୍ମୟ ସାହୁ, ଦୁର୍ଗା ସାମନ୍ତରାୟ, କସ୍ତୁରୀ ମହାପାତ୍ର, ଶ୍ରୀମୟୀ ମିଶ୍ର, ବିଜୟ ଲକ୍ଷ୍ମୀ ମହାପାତ୍ର, ମିରା ପରିଡ଼ା, ଇପ୍‌ସିତା ସାହୁ, ସଂଧ୍ୟା ବିଶ୍ୱାଳଙ୍କ ସମେତ ସମସ୍ତ କର୍ପୋରେଟର, ବହୁ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ସାଂଗଠନିକ ପଦାଧିକାରୀ, ଯୁବ, ଛାତ୍ର, ମହିଳା, ବରିଷ୍ଠ ନେତା, ବୁଦ୍ଧିଜୀବୀ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଏହି ଦରବୃଦ୍ଧିର ପ୍ରତିବାଦ କରିଥିଲେ।