ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ସ୍ବାର୍ଥରକ୍ଷାରେ କେନ୍ଦ୍ର ବିଫଳ : ପ୍ରତିବାଦରେ ବିଜେଡିର ଧାରଣା

ଭୁବନେଶ୍ବର : ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ରକ୍ଷାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି। ଧାର୍ଯ୍ୟ ସମୟରେ ଛାତ୍ରବୃତ୍ତି ନ ଦେଇ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେବାକୁ ଚକ୍ରାନ୍ତ ଚାଲିଥିବା ଅଭିଯୋଗ କରିଛି ବିଜେଡି। ଏହାର ପ୍ରତିବାଦରେ ଆଜି ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଥିଲା।

ଦଳ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ପ୍ରାୟ ୨ଲକ୍ଷ ଅନୁସୂଚିତ ଜାତିର ଛାତ୍ରଛାତ୍ରୀ ମାଟ୍ରିକ ପରବର୍ତୀ ଉଚ୍ଚତର ଶିକ୍ଷାରେ ଅଧ୍ୟୟନ କରିଥାନ୍ତି। ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାର ପ୍ରସାର ପାଇଁ ରାଜ୍ୟରେ ୭ହଜାରରୁ ଅଧିକ ଛାତ୍ରାବାସ ନିର୍ମାଣ କରାଯାଇଛି। ମାତ୍ର କେନ୍ଦ୍ରରେ ଥିବା ଏନ୍‌ଡିଏ ସରକାର ଓଡ଼ିଶା ପାଇଁ ବୈମାତୃକ ମନୋଭାବ ରଖୁଛନ୍ତି। ଏହି ବର୍ଗର ଛାତ୍ରଛାତ୍ରୀଙ୍କ ଉଚ୍ଚତର ଶିକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମେଧାବୃତ୍ତି ବ୍ୟବସ୍ଥା କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଉଛି। ଏହି ବ୍ୟବସ୍ଥାରେ କେନ୍ଦ୍ର ୯୦ପ୍ରତିଶତ ଅର୍ଥ ବହନ କରୁଛି। ୨୦୧୬-୧୭ ଆର୍ଥିକ ବର୍ଷରେ ଏହି କ୍ରମରେ ୨୧୫.୮କୋଟି କେନ୍ଦ୍ରର ଅଂଶ ହୋଇଥିବା ବେଳେ ରାଜ୍ୟ ଅଂଶ ୨୨.୪୮ କୋଟି। ହଠାତ୍ କେନ୍ଦ୍ର ସରକାର ଏହି ବ୍ୟବସ୍ଥାରେ ପରିବର୍ତନ କରି ଦେଇଛନ୍ତି। ଯାହାକି ଏହି ବର୍ଗର ଛାତ୍ରଛାତ୍ରୀଙ୍କ ପ୍ରତି ଅନ୍ୟାୟ। ୨୦୧୭-୧୮ବର୍ଷରେ ମେଧାବୃତ୍ତି ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ୨୩୮.୨୮ କୋଟି ଟଙ୍କାର ଆର୍ଥିକ ବୋଝକୁ ବହନ କରିବାକୁ ପଡ଼ିବ। ଏହି ଅନୁଦାନ କ୍ଷେତ୍ରରେ ପୁନର୍ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟକୁ ପତ୍ର ଲେଖିଛନ୍ତି। ଅନୁସୂଚିତ ବର୍ଗର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତିରେ କେନ୍ଦ୍ର ପୁନର୍ବିଚାର କରୁ ବୋଲି ବିଜେଡି ନେତୃମଣ୍ଡଳୀ ଦାବି କରିଥିଲେ। ଧାରଣାରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା, ବିଧାୟିକା ତଥା ଉପ-ସଭାପତି ପ୍ରମିଳା ମଲ୍ଲିକ, ସାଧାରଣ ସଂପାଦକ ପଦ୍ମନାଭ ବେହେରା, ରାୟଗଡ଼ା ଜିଲ୍ଲା ସଭାପତି ତଥା ବିଧାୟକ ଲଲବିହାରୀ ହିମିରିକା ପ୍ରମୁଖ ଏଥିରେ ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର