ଲୋକ ପ୍ରତିନିଧିଙ୍କ କଥା ଶୁଣୁନାହାନ୍ତି ବ୍ଲକ୍‌ ଅଧିକାରୀ, ବ୍ଲକ୍‌ କାର୍ଯ୍ୟାଳୟରେ ତାଲା ପକାଇ ବିଜେଡିର ବିକ୍ଷୋଭ

ରେମୁଣା : ସରକାରୀ ଯୋଜନାର ସଠିକ୍‌ କାର୍ଯ୍ୟାନ୍ବୟନ କ୍ଷେତ୍ରରେ ବିଧାୟକ ଓ ପଞ୍ଚାୟତ ପ୍ରତିନିଧିମାନଙ୍କ କଥାକୁ ଗୁରୁତ୍ବ ଦେଉନାହାନ୍ତି ବିଡିଓ। ଏହାର ପ୍ରତିବାଦରେ ଆଜି ରେମୁଣା ବ୍ଲକ କାର୍ଯ୍ୟାଳୟକୁ ବିଜେଡି ପକ୍ଷରୁ ଘେରାଉ କରାଯାଇଥିଲା।

ରେମୁଣା ବ୍ଳକରେ ଉନ୍ନୟନ ପ୍ରକଳ୍ପଗୁଡ଼ିକ ଠିକଣା ଭାବେ କାର୍ଯ୍ୟକାରୀ କରାନଯିବା, ପିସି କାରବାର, ଆବାସ ଯୋଜନାରେ ଅର୍ଥ ଆଦାୟ, ଜିଆରଏସ୍‌ ଓ ପିଇଓଙ୍କୁ ମନଇଚ୍ଛା ବଦଳି ଆଦି ଅଭିଯୋଗ ଆଣି ଜିଲ୍ଲା ଯୁବ ବିଜେଡି ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜଙ୍କ ନେତୃତ୍ବରେ ସମିତି ସଭ୍ୟ, ସରପଞ୍ଚ ଓ ୱାର୍ଡସଭ୍ୟମାନେ ବୁଧବାର ବ୍ଲକ୍‌ କାର୍ଯ୍ୟାଳୟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏ ନେଇ ସ୍ଥାନୀୟ ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଓ ଜିଲ୍ଲାପାଳଙ୍କ ମଧ୍ୟରେ ଆଲୋଚନା ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟ‌ାହୃତ ହୋଇଥିଲା। ବିଧାୟକ ଶ୍ରୀ ପରିଡ଼ା, ଜିଲ୍ଲା ଯୁବ ବିଜେଡି ସଭାପତି ଶ୍ରୀ ଦାସ ମଙ୍ଗରାଜଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆଜି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ସମସ୍ତ ଅଭିଯୋଗ ଶୁଣିବା ପରେ ଜିଲ୍ଲାପାଳ ଏ‌ ସମ୍ପର୍କରେ ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀପ ନାୟକ, ଆୟେସାନ ଖାଁ, ସତ୍ୟବ୍ରତ ମିଶ୍ର, ରୂପେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ, ବିଡିଓ ଲଳିତ ସରେଙ୍ଗଙ୍କୁ ପଚରାଯିବାରୁ ସେ କହିଥିଲେ, ବ୍ଲକର ସମସ୍ତ କାର୍ଯ୍ୟ ସରକାରୀ ବିଧି ମୁତାବକ ହେଉଛି। ପିସି କାରବାର, ଆବାସ ଯୋଜନାରେ ଅର୍ଥ ଆଦାୟ କିମ୍ବା ଅନ୍ୟ କୌଣସି ଅନିୟମିତତା ସଂପର୍କରେ ନିର୍ଦ୍ଦିଷ୍ଟ ଭାବେ କେହି ଅଭିଯୋଗ ଆଣିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ତେବେ ବିଧାୟକ କିମ୍ବା ଲୋକ ପ୍ରତିନିଧିମାନଙ୍କୁ ଅଣଦେଖା କରୁଥିବା ପ୍ରସଙ୍ଗକୁ ସେ ଅସ୍ବୀକାର କରିଥିଲେ।

ସମ୍ବନ୍ଧିତ ଖବର