ଭୁବନେଶ୍ୱର: ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିର ପ୍ରତିବାଦ କରିଛି ବିଜେଡି। ଆଜି ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଓ ଲେଖାଶ୍ରୀ ସାମନ୍ତସିଂହାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ଆନ୍ଦୋଳନ ଚେତାବନୀ ଦେଇଛନ୍ତି।
ଶ୍ରୀମତୀ ମଲ୍ଲିକ କହିଥିଲେ, ରାଜ୍ୟରେ ପରିବର୍ତ୍ତନ ଓ ସୁଶାସନର ନାରା ଦେଇ ବିଜେପି ସରକାର ଦାୟିତ୍ୱ ନେବାର ଏକମାସ ପୂରି ନାହିଁ। କିନ୍ତୁ ଅତ୍ୟାବଶ୍ୟକୀୟ ଜିନିଷ ଗୁଡ଼ିକର ଦର ଆକାଶଛୁଆଁ ହେବାରେ ଲାଗିଛି। ଚାଉଳ, ଡାଲି, ଅଟା, ତେଲ, ଜିରା ଇତ୍ୟାଦିର ଦର କିଲୋ ପିଛା ପ୍ରାୟ ପାଞ୍ଚ ଟଙ୍କାରୁ କୋଡ଼ିଏ ଟଙ୍କା ବୃଦ୍ଧି ହୋଇଥିବା ବେଳେ ବିଭିନ୍ନ ପନିପରିବା ଦର ମଧ୍ୟ ଆକାଶଛୁଆଁ ହୋଇଛି। ଏଥି ପାଇଁ ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚାଉଳ କିଲୋ ଦର ପ୍ରାୟ ପାଞ୍ଚ ଟଙ୍କା ବୃଦ୍ଧି ପାଇଥିବା ବେଳେ ଡାଲି ଦରରେ ପ୍ରତି କିଲୋ ପ୍ରାୟ ଦଶ ଟଙ୍କା ବୃଦ୍ଧି ପାଇଛି। ହରଡ଼ ଡାଲି ଦର ପ୍ରତି କିଲୋ ୧୮୦ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ବୁଟ ଡାଲି ଦର ପ୍ରତି କିଲୋ ନବେ ଟଙ୍କା ହୋଇଛି। ସେହିପରି ସୋରିଷ ତେଲ ଦରରେ ମଧ୍ୟ ପ୍ରତି ଲିଟର ପିଛା ପ୍ରାୟ ଦଶ ଟଙ୍କା ବୃଦ୍ଧି ପାଇଛି। ଆଳୁ ପିଆଜ ଓ ପରିବା ଦର ମଧ୍ୟ ବୃଦ୍ଧି ପାଇଛି।
ଶ୍ରୀମତୀ ସାମନ୍ତସିଂହାର କହିଥିଲେ, ଦର ହୁ ହୁ ହୋଇ ବଢ଼ି ଚାଲିଥିଲେ ମଧ୍ୟ ରାଜ୍ୟ ସରକାର ନିଦାବିଷ୍ଣୁ ସାଜିଛନ୍ତି। ଦରବୃଦ୍ଧିକୁ ନିୟନ୍ତ୍ରଣରେ ରଖିବା ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ପନିପରିବା ଦର ନିୟନ୍ତ୍ରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ କୌଣସି ଭୂମିକା ନାହିଁ ବୋଲି ନିକଟରେ ରାଜ୍ୟ ସରକାରଙ୍କ ବିଭାଗୀୟ ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସମ୍ଭବତଃ ରାଜ୍ୟ ସରକାର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବ୍ୟସ୍ତ ଅଛନ୍ତି ଓ ଲୋକଙ୍କର ଦୁଃଖ ଦୁର୍ଦ୍ଦଶାକୁ ଦୂର କରିବା ପାଇଁ ତାଙ୍କ ପାଖରେ ସମୟ ନାହିଁ। ଡବଲ ଇଞ୍ଜିନ ବିଜେପି ସରକାର ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ସାହାଯ୍ୟ ନେଇ ଓଡ଼ିଶାରେ ଦରଦାମକୁ ନିୟନ୍ତ୍ରଣରେ ରଖନ୍ତୁ। ସରକାର ତୁରନ୍ତ ପଦକ୍ଷେପ ନେବାରେ ଅବହେଳା କଲେ ବିଜେଡି ରାଜ୍ୟବାସୀଙ୍କ ହିତରେ ଆନ୍ଦୋଳନାତ୍ମକ ପଦକ୍ଷେପ ନେବ।
ନିକଟରେ ବିଜେପି ଦ୍ୱାରା ଆୟୋଜିତ ସମ୍ବର୍ଦ୍ଧନା ସଭାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ଯଥାକ୍ରମେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ରୂପ ଭାବେ ଅଭିହିତ କରିଥିବାରୁ ଶ୍ରୀମତୀ ମଲ୍ଲିକ ଏହାର ନିନ୍ଦା କରିଥିଲେ। ଜଣେ କ୍ଷମତାସୀନ ରାଜନେତାଙ୍କୁ ଜଗନ୍ନାଥଙ୍କ ସହ ସମାନ କରିବା ଅର୍ଥ ନିଜର ଅହଙ୍କାର ପ୍ରଦର୍ଶନ କରିବା ଏବଂ ଆମ ଆରାଧ୍ୟ ଦେବତାଙ୍କ ପ୍ରତି ଅପମାନ ସଦୃଶ। ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ନ ଦେଇ ନିଜ ଦଳର କ୍ଷମତାସୀନ ନେତାଙ୍କୁ ଆରାଧ୍ୟ ଦେବତାଙ୍କ ସହିତ ସମାନ କରିବା ନିଶ୍ଚିତ ଭାବେ ନିନ୍ଦନୀୟ ବୋଲି ଶ୍ରୀମତୀ ମଲ୍ଲିକ କହିଥିଲେ।